ବିବାହ ଉତ୍ସବରେ ବର-କନ୍ୟା ସମେତ ସଂସ୍କୃତରେ କରୋନା ସୁରକ୍ଷା ନେଇ ଶପଥ ନେଲେ ଅତିଥି

Published By : Prameya-News7 Bureau | December 06, 2020 IST

ବାଗେଶ୍ଵର ୦୬/୧୨ : ହିନ୍ଦୁ ଧର୍ମରେ ବିବାହ ସମୟରେ ସଂସ୍କୃତରେ ମନ୍ତ୍ର ଉଚ୍ଚାରଣ କରାଯାଏ। କିନ୍ତୁ କୌଣସି ବିବାହ ଉତ୍ସବରେ ସଂସ୍କୃତ କରୋନା ଶପଥ ନେବା ଆପଣ କେବେ ଶୁଣିଛନ୍ତି କି ? ଉତ୍ତରାଖଣ୍ଡରେ ଏହିଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି। ବାଗେଶ୍ଵର ଜିଲ୍ଲାରେ ଜଣେ ପୋଲିସ ଅଧିକାରୀ ବିବାହ ଉତ୍ସବ ମଧ୍ୟରେ କରୋନା ନିୟମ ଯାଞ୍ଚ କରିବାକୁ ଆସିଥିବା ସମୟରେ ବର-କନ୍ୟା ସମେତ ଉପସ୍ଥିତ ସମସ୍ତ ଅତିଥିଙ୍କୁ କରୋନାରୁ ରକ୍ଷା ପାଇଁ ଶପଥ ପାଠ କରାଇଥିଲେ।

ବାଗେଶ୍ଵର ଜିଲ୍ଲାର ପୋଲିସ ଅଧିକ୍ଷକ ମଣିକାନ୍ତ ମିଶ୍ର କରୋନା ପ୍ରୋଟୋକଲ୍ ଯାଞ୍ଚ ପାଇଁ ହଠାତ ଏକ ବିବାହ ଉତ୍ସବକୁ ଯାଇଥିଲେ। ବିବାହ ଉତ୍ସବରେ କରୋନା ଗାଇଡଲାଇନ ପାଳନ କରାଯାଇଛି ନା ନାହିଁ ସେ ତାହା ଯାଞ୍ଚ କରିବାକୁ ଯାଇଥିଲେ। ସେଠାକୁ ଯାଇ ସେ ବର-କନ୍ୟା ସମେତ ବିବାହ ଉତ୍ସବରେ ଉପସ୍ଥିତ ସମସ୍ତଙ୍କୁ କରୋନା ସୁରକ୍ଷା ନେଇ ଶପଥ ନେବାକୁ କହିଥିଲେ। ସେ ନିଜେ ଲୋକଙ୍କୁ ଶପଥ ପାଠ କରାଇଥିଲେ। ଖାସ କଥା ହେଲା ସମସ୍ତେ ସଂସ୍କୃତ ଭାଷାରେ ଶପଥ ନେଇଥିଲେ। ଶପଥ ନେବା ସମୟରେ ସାମୁହିକ ମନ୍ତ୍ର ଉଚ୍ଚାରଣ କଲା ଭଳି ଜଣାପଡୁଥିଲା।

ବାଗେଶ୍ଵର ଏସପି ମଣିକାନ୍ତ ମିଶ୍ର ସଂସ୍କୃତରେ ଶପଥ ପାଠ କରାଇବା ପଛର କାରଣ ମଧ୍ୟ ଦର୍ଶାଇଛନ୍ତି। ସେ କହିଛନ୍ତି ଯେ କନ୍ୟା ପିତା ଯେତେବେଳେ ତାଙ୍କୁ ବିବାହ ସମ୍ବନ୍ଧରେ କହିଥିଲେ ସେତେବେଳେ ସେ କନ୍ୟା ପିତାଙ୍କୁ କରୋନା ଗାଇଡଲାଇନ ସମ୍ପର୍କରେ ତାଗିଦ କରିଥିଲେ। ବିବାହ ଉତ୍ସବ ପାଇଁ ସରକାର ଜାରି କରିଥିବା ଗାଇଡଲାଇନ ସମ୍ପର୍କରେ ସେ କନ୍ୟା ପିତାଙ୍କୁ ଜଣାଇଥିଲେ। ଏସପି କହିଥିଲେ ଯେ ସେ ଯାଇ ଯାଞ୍ଚ ମଧ୍ୟ କରିବେ। ସେଥିପାଇଁ ବାହାଘର ଦିନ ମଣ୍ଡପରେ ଯାଇ ପହଞ୍ଚିଥିଲେ। ସେ ଯେତେବେଳେ ଯାଇ ମଣ୍ଡପରେ ପହଞ୍ଚିଲେ ସେଠାରେ ବହୁ ସଂଖ୍ୟାରେ ଅତିଥି ଜମା ହୋଇଥିଲେ। ପଣ୍ଡିତ ବିବାହ ମନ୍ତ୍ର ପଢିବାରେ ବ୍ୟସ୍ତ ଥିଲେ। ଏସପିଙ୍କ ସହ ଆସିଥିବା ପୋଲିସକର୍ମୀ ବର-କନ୍ୟାଙ୍କ ସମେତ ଅନ୍ୟମାନଙ୍କୁ ଏକ ପାମ୍ପଲେଟ୍ ଦେଇଥିଲେ ଯେଉଁଥିରେ କରୋନା ସୁରକ୍ଷାକୁ ନେଇ ମନ୍ତ୍ର ଲେଖା ହୋଇଥିଲା.  ତାପରେ ଏସପି କରୋନା ସେଫ୍ଟି ଶପଥ ପଢିଥିଲେ ଏବଂ ସେଠାରେ ଉପସ୍ଥିତ ସମସ୍ତେ ତାକୁ ଦୋହରାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.