ବେଦୀ ପୂର୍ବରୁ ଉଠିଲା ଶବ : ବ୍ୟୁଟି ପାର୍ଲର ଭିତରେ କନ୍ୟାକୁ ଗଳା କାଟି ହତ୍ୟା, ଅଭିଯୁକ୍ତ ଫେରାର

Published By : Prameya-News7 Bureau | July 05, 2020 IST

ରତଲାମ ୦୫/୦୭ : ମଧ୍ୟ ପ୍ରଦେଶ ରତଲାମ ଜିଲ୍ଲା ଜାବରାରେ ରବିବାର ସକାଳୁ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି | ଯେଉଁ ଘରେ ଖୁସିର ଲହର ଖେଳି ଯାଇଥିଲା ଆଖି ପିଛୁଳାକେ ସେହି ଘରେ ଶୋକର କଳା ବାଦଲ ଛାଇଗଲା | ବାହାଘର ପାଇଁ ମେକ ଅପ କରିବାକୁ ପାର୍ଲର ଯାଇଥିବା ଯୁବତୀଙ୍କୁ ଦୁର୍ବୁତ୍ତ ଗଳା କାଟି ହତ୍ୟା କରିଛି | ହତ୍ୟା ପଛରେ ପ୍ରେମ ପ୍ରସଙ୍ଗ ଥାଇପାରେ ବୋଲି ସନ୍ଦେହ କରାଯାଉଛି | ଘଟଣା ସମ୍ପର୍କରେ ସୂଚନା ପାଇ ଜାବରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିଛି | ପୋଲିସ ପହଞ୍ଚି ସୋନୁଙ୍କୁ ହସ୍ପିଟାଲକୁ ନେଇଥିଲା କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ପୋଲିସ ପୁରା ଅଞ୍ଚଳକୁ ନାକାବନ୍ଦୀ କରି ଅଭିଯୁକ୍ତକୁ ଖୋଜୁଛି |

ମିଳିଥିବା ସୂଚନା ଅନୁଯାୟୀ, ଘଟଣା ରବିବାର ସକାଳେ ଘଟିଛି | ରାଜାପୁରର ସୋନୁ ଯାଦବ ବିବାହ ପାଇଁ ନିଜ ପରିବାର ସହ ଜାବରା ଆସିଥିଲେ | ବିବାହ ପୂର୍ବରୁ ମେକ ଅପ ପାଇଁ ସେ ନିଜ ଭଉଣୀ ସହ ମନସାପୁରମ ସ୍ଥିତ ଏକ ବ୍ୟୁଟି ପାର୍ଲର ଯାଇଥିଲେ | ପାର୍ଲରରେ ଥିବାବେଳେ ଜଣେ ଯୁବକ ସୋନୁଙ୍କୁ ପାର୍ଲର ବାହାରେ ଥାଇ ଫୋନ କରିଥିଲା | ଏହାପରେ ହଠାତ ପାର୍ଲର ଭିତରେ ପଶି ଏକ ଧାରୁଆ ଅସ୍ତ୍ରରେ ସୋନୁଙ୍କ ଗଳା କାଟି ସେଠାରୁ ପଳାଇ ଯାଇଥିଲା |

ଅଭିଯୁକ୍ତ ହତ୍ୟାକାରୀ ରାହୁଲ ବୋଲି ଜଣାପଡିଛି | କିଛି ବର୍ଷ ପୂର୍ବରୁ ଉଜ୍ୱେନର ଜଣେ ଯୁବକଙ୍କ ସହିତ ସୋନୁଙ୍କର ବାହାଘର ହୋଇଥିଲା | କୌଣସି କାରଣବଶତଃ ସମ୍ପର୍କ ଭାଙ୍ଗିଗଲା ଏବଂ ସେ ସ୍ୱାମୀ ଠାରୁ ଅଲଗା ହୋଇଯାଇଥିଲେ | ବର୍ତ୍ତମାନ ସେ ନଗଦାର ଜୈନ ସମ୍ପ୍ରଦାୟର ଜଣେ ଯୁବକଙ୍କୁ ଦ୍ୱିତୀୟ ବିବାହ କରିବାକୁ ଯାଉଥିଲେ | କିନ୍ତୁ ବାହାଘର ପୂର୍ବରୁ ତାଙ୍କୁ ହତ୍ୟା କରିଦିଆଯାଇଛି | ହତ୍ୟା ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.