ବାହାଘରରେ ଖରାପ୍ ମେକ୍ଅପ୍ କରିବାରୁ ଥାନାରେ ଏତଲା ଦେଲା କନିଆ, ଚାଲିଛି ତଦନ୍ତ
7/12/2022 at 9:30 PM

ନୂଆଦିଲ୍ଲୀ, ୦୭/୧୨: ବାହାଘରରେ ଖରାପ ମେକ୍ଅପ୍ କରିବାରୁ ଥାନାରେ ମାମଲା । ପୋଲିସ୍ ନିକଟରେ ହାଜର ହେଲେ ବିୟୁଟି ପାର୍ଲର ମାଲିକ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ମଧ୍ୟପ୍ରଦେଶର ଜବଲପୁରରେ । କନିଆଁର ମେକ୍ଅପ୍ ଖରାପ ହୋଇଯିବାରୁ ଜଣେ ବିୟୁଟିପାର୍ଲର କର୍ମୀଙ୍କ ସହ ଏହାର ମାଲିକ ଏବେ ହରଡ଼ଘଣାରେ ପଡ଼ିଛନ୍ତି । ପୋଲିସ୍ ନିକଟରେ ଏ ନେଇ କନିଆଁ ଜଣକ ମାମଲା ଦାୟର କରିଛନ୍ତି ।
ଏହାକୁ ନେଇ କୋଟୱାଲି ପୋଲିସ୍ ଏକ ମାମଲା ରୁଜୁ କରିଛି । ଥାନା ଅଧିକାରୀ ଅନିଲ୍ ଗୁପ୍ତାଙ୍କ ସୂଚନା ଅନୁସାରେ ଡିସେମ୍ୱର ୩ ତାରିଖରେ ଜଣେ ଯୁବତୀଙ୍କ ବିବାହ ହୋଇଥିଲା । ତାଙ୍କ ବିବାହରେ ମେକ୍ଅପ୍ ପାଇଁ ଯୁବତୀଙ୍କ ପରିବାର ମୋନିକା ମେକ୍ଅପ୍ ଷ୍ଟୁଡିଓର ପରିଚାଳକ ତଥା ମାଲିକ ମୋନିକା ପାଠକ୍ଙ୍କୁ ସମ୍ପର୍କ କରିଥିଲେ । ମୋନିକା ଏବଂ ଯୁବତୀଙ୍କ ମଧ୍ୟରେ ଟଙ୍କା ମଧ୍ୟ ଡିଲ୍ ହୋଇଥିଲା। ମୋନିକା ଏନେଇ କହିଛନ୍ତି ଯେ ସେ ମେକ୍ଅପ୍ ପାଇଁ ୩ ହଜାର ୫ ଶହ ଟଙ୍କା ଫାଇନାଲ୍ କରିଥିଲେ । ସେ ତାଙ୍କ ମେକଅପ୍ ଦିନ ମଧ୍ୟ ସେଠାରେ ଉପସ୍ଥିତ ନଥିଲେ । ପାର୍ଲର ଷ୍ଟାଫ୍ ତାଙ୍କ ମେକ୍ଅପ୍ କରିଥିଲେ ଏବଂ ଖରାପ କରିଦେଇଥିଲେ । ଏନେଇ କନିଆଁ ମୋନିକାଙ୍କୁ ଫୋନ୍ କରି ଗାଳି କରିବା ସହ ଅସଭ୍ୟ ଭାଷା କହିଥିବା ସେ ପାଲଟା ଅଭିଯୋଗ ଆଣିଛନ୍ତି ।
ତେବେ ପରେ ସେନ୍ ୱେଲ୍ଫେୟାର୍ ଆସୋସିଏସନ୍ ଅଫିସ୍ର କର୍ମୀ ଏ ସମ୍ୱନ୍ଧରେ ଜାଣି ମଙ୍ଗଳବାର କନିଆଁଙ୍କୁ ଧରି ଥାନାକୁ ଯାଇଥିଲେ । ମୋନିକା ପାଠକଙ୍କ ନାମରେ ଏତଲା ଦେଇଥିଲେ । ଏହାକୁ ନେଇ ପୋଲିସ୍ ତଦନ୍ତ ଆରମ୍ଭ କରିଛି ।