୧୦୦ ଟଙ୍କିଆ ୧୦ଟି ନୋଟ ଗଣିପାରିଲାନି ବର : ବାହାବେଦିରୁ ଉଠିଗଲେ କନ୍ୟା

Published By : Prameya-News7 Bureau | March 18, 2019 IST

ପଣ୍ଡୋଲ ୧୮/୩ : ବିହାର ମଧୂବନି ଜିଲ୍ଲାର ପଣ୍ଡୋଲ ଗାଁରେ ଜଣେ କନ୍ୟା ବାହାବେଦିରୁ ବରକୁ ଫେରାଇ ଦେଇଛନ୍ତି | କନ୍ୟା ଜଣକ ବିବାହ ପାଇଁ ମନା କରିଦେଇଛନ୍ତି | ବରକନ୍ୟାଙ୍କ ବରଣ ମାଳା ସରିଯାଇଥିଲା | ଏହାପରେ କନ୍ୟା ସେହି ବରକୁ ବାହା ହେବା ପାଇଁ ମନା କରିଦେଇଥିଲେ | ଯୁବତୀଙ୍କ ଏହିଭଳି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ଗ୍ରାମବାସୀ | ବାହାଘରରେ ଉପସ୍ଥିତ ଜଣେ ଅତିଥି ଯୁବତୀଙ୍କ ଏହିଭଳି ନିଷ୍ପତ୍ତିକୁ ଖୁବ ପ୍ରଶଂସା କରିଥିଲେ ଏବଂ ନିଜ ପୁଅ ପାଇଁ ବାହାଘର ପ୍ରସ୍ତାବ ରଖିଥିଲେ | ବ୍ୟକ୍ତି ଜଣକଙ୍କ ପ୍ରସ୍ତାବରେ ରାଜି ହୋଇଯାଇଥିଲେ ଯୁବତୀ |


ଘଟଣା ମାର୍ଚ୍ଚ ୧୩ ତାରିଖରେ | ପଣ୍ଡୋଲ ଅନ୍ତର୍ଗତ ବ୍ରହ୍ମୋତ୍ତର ଗାଁର ଯୁବକ ସହ ମୋମିନପୁରର ଯୁବତୀଙ୍କ ବାହାଘର ଠିକ ହୋଇଥିଲା | ନିର୍ଧାରିତ ତାରିଖରେ ବରଯାତ୍ରୀ ପହଂଚିଥିଲେ | ଏହାପରେ ଉଭୟ ବରକନ୍ୟା ପରସ୍ପରକୁ ବରଣ ମାଳା ପିନ୍ଧାଇଥିଲେ | ଏହାପରେ ଯୁବତୀଙ୍କ କିଛି ସାଙ୍ଗସାଥି ବର ସହ କଥାବାର୍ତ୍ତା କରୁଥିଲେ | କଥାବାର୍ତ୍ତା ବେଳେ ଯୁବତୀଙ୍କ ସାଙ୍ଗମାନଙ୍କୁ ସନ୍ଦେହ ହୋଇଥିଲା ଯେ, ଯୁବକ ଅଶିକ୍ଷିତ | ଏହାପରେ ସେମାନେ ବରକୁ ଅନେକ ପ୍ରଶ୍ନ ପଚାରିଥିଲେ | କିନ୍ତୁ ବର କୌଣସି ପ୍ରଶ୍ନର ଉତ୍ତର ଦେଇନଥିଲେ |


ଏହାପରେ ଯୁବତୀଙ୍କ ସାଙ୍ଗମାନେ ବରକୁ ୧୦ଟି ୧୦୦ ଟଙ୍କିଆ ନୋଟ ଗଣିବାକୁ ଦେଇଥିଲେ | ଯୁବକ ଠିକ ଭାବେ ୧୦ଟି ନୋଟ ଗଣି ପାରିନଥିଲା | ସେ ବହୁତ ଚେଷ୍ଟା କରି ମଧ୍ୟ ପ୍ରତ୍ୟେକ ଥର ଭୁଲ ଭାବେ ହିଁ ଟଙ୍କା ଗଣିଥିଲା | ଏହାପରେ ବରକୁ ନିଜ ନାଁ ଏବଂ ଗାଁ ନାଁ ପଚାର ଯାଇଥିଲା | ଏହାପରେ ଜିଲ୍ଲାର ନାଁ ପଚାର ଯାଇଥିଲା | ଜିଲ୍ଲା ନାଁ ପଚାରିବାରୁ ବର ଜବାବରେ ପଣ୍ଡୋଲ ବୋଲି କହିଥିଲା | ଏଥିରୁ ସ୍ପଷ୍ଟ ହୋଇଯାଇଥିଲା ଯେ, ଯୁବକ ଶିକ୍ଷିତ ନଥିଲା | ଏହାପରେ କନ୍ୟା ବେଶରେ ସଜେଇ ହୋଇ ବସିଥିବା ଯୁବତୀ ସେହି ଯୁବକଙ୍କୁ ବାହା ହେବେନି ବୋଲି ସଫା ସଫା ମନା କରିଦେଇଥିଲେ |


ଯୁବତୀଙ୍କ ଏହି ନିଷ୍ପତ୍ତିକୁ ସମସ୍ତେ ସ୍ୱାଗତ କରିଥିଲେ | ବରଯାତ୍ରୀରେ ଉପସ୍ଥିତ ଜଣେ ବ୍ୟକ୍ତି ମଧ୍ୟ ପ୍ରଶଂସା କରିଥିଲେ | ସେ ନିଜ ଶିକ୍ଷିତ ପୁଅ ପାଇଁ ପ୍ରସ୍ତାବ ରଖିଥିଲେ | ସେ କହିଥିଲେ ଯେ, ତାଙ୍କ ପୁଅ ଶିକ୍ଷିତ, ସେ ତାଙ୍କ ପୁଅକୁ ବିବାହ କରିବାକୁ ରାଜି ଅଛନ୍ତି କି ? କନ୍ୟାପକ୍ଷ ବ୍ୟକ୍ତିଙ୍କ ପ୍ରସ୍ତାବରେ ରାଜି ହୋଇଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.