ବ୍ରେଟଲିଙ୍କ ଭବିଷ୍ୟବାଣୀ- ଏଥର ଡବ୍ଲ୍ୟୁଟିସି ଫାଇନାଲ୍ ଏବଂ ବିଶ୍ଵକପ୍ ଜିତିବେ ଏହି ଦୁଇ ଦଳ
21/03/2023 at 4:05 PM

ନୂଆଦିଲ୍ଲୀ: ଚଳିତ ବର୍ଷ ଆଇସିସିର ଦୁଇଟି ବଡ ଟୁର୍ଣ୍ଣାମେଣ୍ଟ ଖେଳାଯିବ। ଜୁନରେ ଇଂଲଣ୍ଡର ଓଭାଲ ମଇଦାନରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ଆଇସିସି ବିଶ୍ଵ ଟେଷ୍ଟ ଚାମ୍ପିଅନସିପ(ଡବ୍ଲ୍ୟୁସିଟି) ୨୦୨୧-୨୩ର ଫାଇନାଲ୍ ମୁକାବିଲା। ପୁଣି ଭାରତରେ ଅକ୍ଟୋବର-ନଭେମ୍ବରରେ ଦିନିକିଆ ବିଶ୍ଵକପ୍ ଖେଳାଯିବ। ଏଥର ବିଶ୍ଵକପ୍ ଏବଂ ବିଶ୍ଵ ଟେଷ୍ଟ ଚାମ୍ପିଅନସିପ ଫାଇନାଲ୍ ମୁକାବିଲା କିଏ ଜିତିବ ତାକୁ ନେଇ ଅନେକ ପୂର୍ବତନ କ୍ରିକେଟର ଭବିଷ୍ୟତବାଣୀ କରୁଛନ୍ତି। ଏହି କ୍ରମରେ ଅଷ୍ଟ୍ରେଲିଆର ପୂର୍ବତନ ବୋଲର Brett lee ଏହି ଦୁଇଟି ଟାଇଟଲ୍ କିଏ ଜିତିବ ତାକୁ ନେଇ ପୂର୍ବାନୁମାନ କରିଛନ୍ତି।
ସ୍ପୋର୍ଟ ୟାରିରେ ଡବ୍ଲ୍ୟୁସିଟି ଫାଇନାଲ୍କୁ ନେଇ ହୋଇଥିବା ପ୍ରଶ୍ନର ଉତ୍ତରରେ ବ୍ରେଟଲି କହିଛନ୍ତି, ନିଶ୍ଚିତ ରୂପେ ଅଷ୍ଟ୍ରେଲିଆ ଡବ୍ଲ୍ୟୁସିଟି ଫାଇନାଲ୍ ଜିତିବ। ଏତିକି କହି ହସିବା ସହ ବ୍ରେଟଲି କହିଛନ୍ତି, ଭାରତ ଶକ୍ତିଶାଳୀ ଦଳ, ମାତ୍ର ଇଂଲଣ୍ଡର ଓଭାଲ ମଇଦାନରେ ଫାଇନାଲ୍ ମୁକାବିଲା ଖେଳାଯିବ। ମୋ ମତରେ ସେଠାକାର ପରିବେଶ ଏବଂ ପରିସ୍ଥିତି ଅଷ୍ଟ୍ରେଲିଆକୁ ଅଧିକ ସୁହାଇବ।
ଯେବେ ବିଶ୍ଵକପ୍କୁ ନେଇ ତାଙ୍କୁ ପ୍ରଶ୍ନ କରାଗଲା, ସେ କହିଛନ୍ତି, ବିଶ୍ଵକପ୍ରେ ଭାରତକୁ ଭାରତ ମାଟିରେ ହଟାଇବା ବହୁତ ମୁସ୍କିଲ। ଭାରତ ଘରୋଇ ପରିବେଶରେ ବେଶ ଶକ୍ତିଶାଳୀ ଏବଂ ସ୍ଥିତି ସହ ଅବଗତ। ତେଣୁ ମୋ ହିସାବରେ ଭାରତ ବିଶ୍ଵକପ୍ ଜିତିବାର ପ୍ରବଳ ଦାବିଦାର।
ଉଲ୍ଲେଖନୀୟ ବର୍ତ୍ତମାନ ଭାରତରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଖେଳାଯାଉଛି। ଶୃଙ୍ଖଳା ବର୍ତ୍ତମାନ ୧-୧ରେ ବରାବର ରହିଛି। ପ୍ରଥମ ମ୍ୟାଚ୍ ଭାରତ ଜିତିଥିବା ବେଳେ ଦ୍ଵିତୀୟ ମ୍ୟାଚ୍ ଜିତିଛି ଅଷ୍ଟ୍ରେଲିଆ। ଆସନ୍ତାକାଲି ଶୃଙ୍ଖଳାର ଅନ୍ତିମ ତଥା ନିର୍ଣ୍ଣାୟକ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ।