ବିଶାଳ ବିମାନବାହକ ପୋତକୁ ସମୁଦ୍ରରେ ବୁଡେଇ ଦେଲା ବ୍ରାଜିଲ, ଜାଣନ୍ତୁ କାହିଁକି ?
5/02/2023 at 6:38 PM

ସାଓପାଓଲୋ ୫।୨: ଦକ୍ଷିଣ ଆମେରିକୀୟ ଦେଶ ବ୍ରାଜିଲ ଏକ ବିଶାଳ ବିମାନ ବାହକ ପୋତକୁ ସମୁଦ୍ରରେ ବୁଡ଼େଇ ଦେଇଛି। ଏହି ପୋତକୁ ଫ୍ରାନ୍ସ ଠାରୁ ବିପୁଳ ବ୍ୟୟରେ କିଣା ଯାଇଥିଲା, ତେବେ ପୁରୁଣା ହେବା ପରେ ଏହାକୁ ନୌସେନାରୁ ଅବସର ଦେଇ ଦିଆଯାଇଥିଲା। ଯାହାକୁ ଏବେ ବ୍ରାଜିଲ ନୌସେନା ଆଟଲାଣ୍ଟିକ୍ ମହାସାଗରରେ ଜଳ ସମାଧି ଦେଇଛି। ତେବେ ଏହାକୁ ନେଇ ପରିବେଶବିଦ୍ ଏବେ ଆପତ୍ତି କରିଛନ୍ତି। ଏହା ଦ୍ୱାରା ସାମୁଦ୍ରିକ ପ୍ରାଣୀଙ୍କ ଜୀବନ ପ୍ରତି ବିପଦ ଉପୁଜିପାରେ ବୋଲି ଅଭିଯୋଗ କରିଛନ୍ତି।
ପରିବେଶ ବିଶେଷଜ୍ଞଙ୍କ ଚେତାବନୀ ସତ୍ତ୍ୱେ ବ୍ରାଜିଲ ନୌସେନା ନିଜ ଯୋଜନାକୁ ରୂପାୟନ କରିଛି। ଏ ନେଇ ଏକ ବିବୃତ୍ତି ଜାରି କରାଯାଇଥିବା ବେଳେ ବିମାନ ବାହକ ପୋତକୁ ଆବଶ୍ୟକ ବୈଷୟିକ କ୍ଷମତା ଓ ସୁରକ୍ଷାର ସହିତ ବୁଡେଇ ଦିଆଯାଇଥିବା କୁହାଯାଇଛି। ଏହା କରିବା ଜରୁରି ଥିଲା କାରଣ ବ୍ରାଜିଲକୁ ରସଦ, ଅପରେସନ, ପରିବେଶ ଓ ଆର୍ଥିକ କ୍ଷତିରୁ ରକ୍ଷା କରିବାର ଥିଲା ବୋଲି ବୟାନରେ କୁହାଯାଇଛି। ତେବେ ଜନୈକ ନୌସେନା ଅଧିକାରୀ ଏହି ପୂର୍ବତନ ଫରାସୀ ଜାହାଜଟି ବିଷାକ୍ତ ପଦାର୍ଥରେ ଭରା ଥିଲା ବୋଲି କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ବ୍ରାଜିଲ ନୌସେନା ଯେଉଁ ବିଶାଳ ବିମାନ ବାହକ ପୋତକୁ ସମୁଦ୍ରରେ ବୁଡେଇ ଦେଇଛି ତାର ନାମ ‘ସାଓପାଓଲୋ’ ଥିଲା। ଏହା ସେହି ବିମାନ ବାହକ ପୋତ ଥିଲା ଯାହା ଦ୍ୱାରା ଅତୀତରେ ପରମାଣୁ ପରୀକ୍ଷଣ କରାଯାଇଥିଲା। ହେଲେ ଏବେ ଏହା ଏକ ଭୂତିଆ ଜାହାଜରେ ପରିଣତ ହୋଇଥିଲା। କାରଣ ଏହା ଗତ ୫ ମାସ ହେଲା ଆଟଲାଣ୍ଟିକ ମହାସାଗରରେ ବିନା କୌଣସି କାମରେ ପହଁରୁଥିଲା। ଜାହାଜକୁ ବୁଡାଇ ଦେବା ପାଇଁ କଥା ଉଠିବାରୁ ପରିବେଶବିଦ୍ ମାନେ ଆପତ୍ତି କରିଥିଲେ। ତେବେ ପ୍ରତିରକ୍ଷା ବିଭାଗ ଜାହାଜକୁ ସବୁଠୁ ସୁରକ୍ଷିତ କ୍ଷେତ୍ରରେ ବୁଡାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ବିମାନବାହକ ପୋତୋକୁ ସାଓପାଓଲୋ ଉପକୂଳରୁ ୩୫୦ କିଲୋମିଟର ( ୨୧୭ ନଟିକାଲ ମାଇଲ) ଦୂରରେ ବୁଡାଇ ଦିଆଯାଇଛି। ଏହି ବିମାନ ବାହକ ପୋତଟି ଫ୍ରାନ୍ସରେ ୧୯୫୦ ଦଶକ ଶେଷ ବେଳକୁ ନିର୍ମିତ ହୋଇଥିଲା। ଫରାସୀ ନୌସେନା ଏହାକୁ ‘ଫୋକ’ ନାମକରଣ କରିଥିଲା। ଏହା ଦୀର୍ଘ ୩୭ ବର୍ଷ କାଳ ସେବା ଦେବା ପରେ ବ୍ରାଜିଲ ୨୦୦୦ ମସିହାରେ ଏହାକୁ କିଣି ଆଣିଥିଲା। ୨୬୬ ମିଟର ଲମ୍ଭ ଏହି ବିମାନ ବାହକ ପୋତରେ୧ହଜାର ୩ଶହ ଚାଳକ ଦଳ ସଦସ୍ୟ ଓ ୩୦ ବୋମାବର୍ଷି ଯୁଦ୍ଧବିମାନ ରଖିବାର ବ୍ୟବସ୍ଥା ଥିଲା।

‘ଫୋକ୍’କୁ ୧୯୬୦ ମସିହାରେ ପ୍ରଶାନ୍ତ କ୍ଷେତ୍ରରେ ପରମାଣୁ ପରୀକ୍ଷଣ ଲାଗି ଫ୍ରାନ୍ସ ବ୍ୟବହାର କରିଥିଲା। ତେବେ ପରେ ୧୯୭୦ରୁ ୧୯୯୦ ମସିହା ପର୍ଯ୍ୟନ୍ତ ଏହା ଆଫ୍ରିକା, ମଧ୍ୟ ପ୍ରାଚ୍ୟ, ଓ ପୂର୍ବ ୟୁଗୋସ୍ଲୋଭିଆରେ ମୁତୟନ ଥିଲା। ବ୍ରାଜିଲ ୨୦୦୦ ମସିହାରେ ଏହାକୁ ୧୨ ମିଲିୟନ ଡଲାର ମୂଲ୍ୟରେ ନୌସେନା ପାଇଁ କ୍ରୟ କରିଥିଲା। ୨୦୧୭ ମସିହାରୁ ଏହା ସେବାରୁ ନିବୃତ୍ତ ହୋଇଥିଲା। ସେବେଠାରୁ ଯୁଦ୍ଧ ଜାହାଜଟି ସମୁଦ୍ର ବଦଳେ ବନ୍ଦରରେ ସମୟ କଟାଉଥିଲା। ତୁର୍କିର ଏକ ସିପ୍ ୟାର୍ଡ କମ୍ପାନୀ ଏହି ଯୁଦ୍ଧ ଜାହାଜକୁ ୨ ମିଲିୟନ ଡଲାରରେ କ୍ରୟ କରିଥିଲା। ହେଲେ ଏହା ତାର ଗନ୍ତବ୍ୟରେ ପହଞ୍ଚି ପାରିନଥିଲା, କାରଣ ତୁର୍କି ପରିବେଶ ଅଧିକାରୀମାନେ ଏହି ଜାହାଜର ପ୍ରବେଶ ନିଷିଦ୍ଧ କରିଦେଇଥିଲେ।