ସାବାସ୍ ଶ୍ରୀମତି : ଟ୍ରେନ୍ ତଳୁ ଟାଣି ବଂଚାଇଲା ସାଂଗର ଜୀବନ, ନିଜଠୁ ଦୁଇବର୍ଷ ବଡ ରକ୍ତଜୁଡୁବୁଡୁ ଆହତ ସାଂଗକୁ କାନ୍ଧରେ ବୋହି ପହଂଚାଇଲା ଘରେ…

Published By : Prameya-News7 Bureau | December 14, 2018 IST

ତାଳଚେର ୧୪|୧୨: କମ୍ ବୟସ ହେଲେ ମଧ୍ୟ ସାହସ ଓ ଉପସ୍ଥିତ ବୁଦ୍ଧି ଯୋଗୁଁ ତାଳଚେର ଡେରା ମୁଣ୍ତା ବସ୍ତିର ଜଣେ ନାବାଳିକା ନିଜ ସାଂଗର ଜୀବନ ବଂଚାଇପାରିଛନ୍ତି । ଛିଡା ହୋଇଥିବା ଟ୍ରେନ୍ ତଳ ଦେଇ ଶ୍ରୀମତି ଏବଂ ପ୍ରମିଳା ଦୁଇ ସାଂଗ ରାସ୍ତାପାର ହେଉଥିବାବେଳେ ହଠାତ୍ ଟ୍ରେନ୍ ଚାଲିବା ଆରମ୍ଭ କରିଥିଲା । ସେତେବେଳକୁ ଶ୍ରୀମତି ଟ୍ରେନ୍ ତଳୁ ବାହାରି ଆସିଥିବାବେଳେ ଟ୍ରେନ୍ ତଳେ ରହିଥିଲେ ସାଂଗ ପ୍ରମିଳା । ଟ୍ରେନ୍ ଚାଲିବା ଦେଖି ଶ୍ରୀମତି ସାମାନ୍ୟ ବିଳମ୍ବ ନକରି ପ୍ରମିଳାକୁ ଟ୍ରେନ୍ ତଳୁ ଟାଣି ଆଣିଥିଲେ । ଏଥିରେ ପ୍ରମିଳାର ଜୀବନ ବଂଚି ଯାଇଥିଲା । ହେଲେ କଟିଯାଇଥିଲା ପ୍ରମିଳାର ପାଦ । ରକ୍ତ ଜୁଡୁବୁଡୁ ପ୍ରମିଳାକୁ କାନ୍ଧରେ ବୋହି ବୋହି ଶ୍ରୀମତି ନିଜ ବସ୍ତିରେ ପହଂଚାଇଥିଲେ । ବସ୍ତିବାସିନ୍ଦା ପ୍ରମିଳାକୁ ଡାକ୍ତରଖାନାକୁ ନେଇଥିଲେ । ସ୍ଥାନୀୟ ଡାକ୍ତରଖାନାରେ ଡାକ୍ତର ପ୍ରାଥମିକ ଚିକିତ୍ସା କରି କଟକ ଏସସିବିକୁ ପଠାଇଥିଲେ । ଏସିସିବିରେ ପ୍ରମିଳାଙ୍କ ଅସ୍ତ୍ରୋପଚାର କରି ଆଣ୍ଠୁ ତଳକୁ ଗୋଡ କାଟି ଦିଆଯାଇଛି ।

ତେବେ ଦୁର୍ଘଟଣା ଘଟିବାପରେ ମଧ୍ୟ ପ୍ରମିଳାକୁ ଯଦି ତୁରନ୍ତ ଡାକ୍ତରଖାନାରେ ପହଂଚା ଯାଇନଥାନ୍ତା ତାହେଲେ ଅଧିକ ରକ୍ତସ୍ରାବ ଯୋଗୁଁ ତା ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥାନ୍ତା ବୋଲି ତାଳଚରରେ ଚିକିତ୍ସାବେଳେ ଡାକ୍ତର କହିଛନ୍ତି । ପ୍ରଥମେ ସାହସିକତା ଦେଖାଇ ଓ ଉପସ୍ଥିତ ବୁଦ୍ଧି ବଳରେ ସାଂଗକୁ ଟ୍ରନ୍ ତଳୁ ଟାଣି ଜୀବନ ବଂଚାଇବା ଏବଂପରେ ଆହତ ସାଂଗକୁ କାନ୍ଧରେ ବୋହି ବୋହି ଗୋଟେ କିଲୋମିଟର ଦୂରରେ ଥିବା ନିଜ ବସ୍ତ୍ରିରେ ପହଂଚାଇବା କିଛି କମ୍ କଥା ନୁହେଁ । ସେଥିପାଇଁ ଶ୍ରୀମତିକୁ ଏବେ ସବୁଠି ମିଳୁଛି ସାବାସି ।

{"id":63476}

ସୂଚନାଯୋଗ୍ୟ ଯେ, ତାଳଚେର ବ୍ଲକ୍ ଘଣ୍ଟପଡା ନୋଡାଲ ଉଚ୍ଚ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀରେ ପଢ଼ନ୍ତି ଶ୍ରୀମତି ଭଦ୍ରା । ବାପା କିଷାନ ବଦ୍ରା ଓ ମା ରଇବାରି ବଦ୍ରା । ସେହି ସ୍କୁଲ‌ରେ ଷଷ୍ଠ ଶ୍ରେଣୀର ଛାତ୍ରୀ ପ୍ରମିଳା ମୁଣ୍ତା । ଭିନ୍ନ ଶ୍ରେଣୀରେ ପାଠ ପଢ଼ୁଥିଲେ ମଧ୍ୟ ଗୋଟିଏ ବସ୍ତିରେ ରହୁଥିବାରୁ ଉଭ‌ୟଙ୍କ ମଧ୍ୟରେ ଭଲ ବନ୍ଧୁତା ଥିଲା।ଉଭୟେ ରହୁଥିବା ଡେରା ମୁଣ୍ତା ବସ୍ତିରୁ ବିଦ୍ୟାଳୟର ଦୂରତ୍ବ ପ୍ରାୟ ଦେଢ଼ କିଲୋମିଟର। ବାଟରେ ପଡ଼େ ଖଣି ଅଞ୍ଚଳକୁ ଯାଇଥିବା ରେଳଲାଇନ୍‌। ଗତ ୬ ତାରିଖ ଦିନ ବିଦ୍ୟାଳୟ ଛୁଟି ପରେ ଉଭୟେ ରେଳ ଲାଇନ୍ ରାସ୍ତାଦେଇ ଘରକୁ ଫେରୁଥିବା ବେଳେ ଘଟିଥିଲା ଏହି ଦୁର୍ଘଟଣା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.