ବ୍ରଜରାଜନଗର: ବ୍ରଜରାଜନଗର ଉପନିର୍ବାଚନ ପାଇଁ ଜମିଲାଣି ପ୍ରଚାର ମଇଦାନ। ବ୍ରଜରାଜନଗରରେ ଭିଡ ଜମାଇଲେଣି ସବୁ ଦଳର ହେଭିୱେଟ ନେତା ଓ ଷ୍ଟାର କ୍ୟାମ୍ପେନର୍ । ଝାରସୁଗୁଡା ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ବେଳେ ନିର୍ବାଚନୀ ତାତି ଆହୁରି ତେଜିଲାଣି ।
ବ୍ରଜରାଜନଗର ଗଡ଼ ହାତେଇବା ପାଇଁ କସରତ । ପ୍ରଚାର ମଇଦାନକୁ ଓଲ୍ଲାଇଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ | ବେଲପାହାଡରେ ବିଜେପି କର୍ମୀଙ୍କ ସହ ଆଲୋଚନା କରିଛନ୍ତି | ଓଡିଶା ପଟେ ମହାନଦୀ ଶୁଖିଲା ପଡିବା ପ୍ରସଙ୍ଗ ଉଠାଇଛନ୍ତି କେନ୍ଦ୍ରମନ୍ତ୍ରୀ | ବ୍ରଜରାଜନଗର ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ଦଳୀୟ ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କ ପାଇଁ ପ୍ରଚାର କରିବେ ବିଶ୍ବେଶ୍ବର ଟୁଡୁ । କେନ୍ଦ୍ରମନ୍ତ୍ରୀଙ୍କ ସହ ଷ୍ଟାର ପ୍ରଚାରକ ତାଲିକାରେ ଥିବା ସାଂସଦ ସୁରେଶ ପୂଜାରୀ, ବିଧାୟିକା କୁସୁମ ଟେଟେଙ୍କ ସହ ବହୁ ବରିଷ୍ଠ ନେତା ମଧ୍ୟ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ।
ବ୍ରଜରାଜନଗର ଉପନିର୍ବାଚନ ପାଇଁ ହାତରେ ମାତ୍ର ୭ ଦିନ । ସବୁ ରାଜନୈତିକ ଦଳର ଛାମୁଆ ନେତା ଝାରସୁଗୁଡାରେ ଡେରା ପକାଇଛନ୍ତି । ପ୍ରଚାର ମଇଦାନରେ ନେତାଙ୍କ ଭିଡ। କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ୍, ସଇଁତଳା ବିଧାୟକ ସନ୍ତୋଷ ସିଂହ ସାଲୁଜା, ବିଧାୟକ ଅଧିରାଜ ପାଣିଗ୍ରାହୀ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ସମେତ ବହୁ ନେତା କର୍ମୀଙ୍କ ସହ ମନ୍ତ୍ରଣା କରିଛନ୍ତି । କିଶୋର ପଟେଲ ଜଣେ ଅନୁଭବୀ ନେତା ହୋଇଥିବାରୁ କଂଗ୍ରେସକୁ ଫାଇଦା ମିଳିବ ବୋଲି ଦଳର ଷ୍ଟାର ପ୍ରଚାରକ କହିଛନ୍ତି ।
ବ୍ରଜରାଜନଗରରେ ତାପମାତ୍ରା ୪୪ ଡିଗ୍ରୀ ଉପରେ, ହେଲେ ଖରାକୁ ଖାତିର କରୁ ନାହାନ୍ତି ନେତା ଓ ଜନତା। ଲଖନପୁର ବ୍ଲକରେ ବିଜେଡ଼ି ପ୍ରାର୍ଥୀ ଅଳକା ମହାନ୍ତି ପ୍ରଚାର କରିଥିବା ବେଳେ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ବେଲପାହଡରେ ପ୍ରଚାର କରିଥିଲେ। ଅଳକାଙ୍କ ସହ ମନ୍ତ୍ରୀ ଟୁକୁନି ସାହୁ,ବିଧାୟିକା ରୀତା ସାହୁ ପ୍ରଚାର କରିଛନ୍ତି। ସେହିଭଳି ବିଜେଡି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ ଓ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ |
ବ୍ରଜରାଜନଗର ମଇଦାନରେ ଏବେ ମାଳ ମାଳ ନେତା। ବିଜେଡିର ମଙ୍ଗ ସମ୍ଭାଳୁଛନ୍ତି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସହ ବହୁ ବିଧାୟକ ଓ ମନ୍ତ୍ରୀ । ବିଜେପି ବ୍ରିଗେଡ ସମ୍ଭାଳିଛନ୍ତି ସଭାପତି ସମୀର ମହାନ୍ତି ଏବଂ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କ ସହ ଦକର ବହୁ ବରିଷ୍ଠ ନେତା। କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ମଧ୍ୟ ମଇଦାନକୁ ଓହ୍ଲାଇଛି ଦଳର ତୁଙ୍ଗ ନେତା ।