ବ୍ରଜରାଜ ଉପନିର୍ବାଚନ ପାଇଁ ପ୍ରଚାର ଯୋରଦାର; ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ କଲା ଫ୍ଲାଗ ମାର୍ଚ୍ଚ
18/05/2022 at 10:01 PM

ଝାରସୁଗୁଡ଼ା ୧୮/୦୫ : ବ୍ରଜରାଜନଗର ଉପନିର୍ବାଚନ ପାଇଁ ମାତ୍ର ଆଉ ୧୨ ଦିନ ବାକି ରହିଛି । ପ୍ରଚାର ସରିବାକୁ ୧୦ ଦିନ ସମୟ ରହିଛି। ତେଣୁ ମଙ୍ଗଳବାର ଦିନ ପ୍ରାର୍ଥୀପତ୍ର ପ୍ରତ୍ୟାହାର ସରିବା ପରେ ନିର୍ବାଚନ ରଣାଙ୍ଗନରେ ଥିବା ୧୧ ଜଣ ପ୍ରାର୍ଥୀ ପ୍ରଚାର ପାଇଁ ବାହାରି ପଡିଛନ୍ତି। ନିର୍ବାଚନ ପାଇଁ ଆଉ ଅଳ୍ପ ସମୟ ଥିବାରୁ ପ୍ରବଳ ଗ୍ରୀଷ୍ମପ୍ରବାହ ପାଇଁ ଲୋକେ ଘରୁ ବାହାରିବା ଅସମ୍ଭବ ହୋଇଥିବାରୁ ବିଭିନ୍ନ ଦଳର ପ୍ରାର୍ଥୀ ସନ୍ଧ୍ୟାରେ ପ୍ରଚାର କରୁଛନ୍ତି।
ମଙ୍ଗଳବାର ସନ୍ଧ୍ୟାରେ ବ୍ରଜରାଜନଗରରେ ବିଜେଡ଼ି କରିଥିଲା କର୍ମୀ ସମ୍ମିଳନୀ।ଏଥିରେ ମନ୍ତ୍ରୀ ପ୍ରତାପ ଜେନା, ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା, ବିଧାୟକ ଦେବୀ ମିଶ୍ରଙ୍କ ସହ ବହୁ ବିଧାୟକ ଯୋଗଦେଇ କର୍ମୀମାନଙ୍କୁ ତତ୍ପର ହେବାକୁ ପରାମର୍ଶ ଦେଇଥିଲେ। ସେହିପରି ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ଓ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ଲଖନପୁର ବ୍ଲକର ୧ ନମ୍ବର ଯୋନରେ ପ୍ରଚାର କରିଛନ୍ତି।କଂଗ୍ରେସ ପକ୍ଷରୁ ଯଜ୍ଞଶ୍ୱର ବାବୁ ଓ ବିଧାୟକ ରାଜନ ଏକ୍କା ପ୍ରାର୍ଥୀ କିଶୋର ପଟେଲଙ୍କ ସହ ମିଶି ପ୍ରଚାର ପାଇଁ ରୋଡ଼ ମ୍ୟାପ ପ୍ରସ୍ତୁତ କରିଛନ୍ତି। ଅପରପକ୍ଷରେ ଜିଲା ପ୍ରଶାସନ ପକ୍ଷରୁ ନିର୍ବାଚନକୁ ଶାନ୍ତି ଶୃଙ୍ଖଳା ସହ ସମାପନ କରିବାକୁ ମଙ୍ଗଳବାର ସନ୍ଧ୍ୟାରେ ବ୍ରଜରାଜନଗର ସହରରେ ପୋଲିସ ଫ୍ଲାଗମାର୍ଚ୍ଚ କରିଛି।