ପ୍ରାର୍ଥୀଙ୍କ ପ୍ରଥମ ସୂଚୀ ପାଇଁ ବିଜେପିର ମନ୍ଥନ, ବିଳମ୍ୱିତ ରାତି ଯାଏ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକ

Published By : Prameya-News7 Bureau | March 01, 2024 IST

ନୂଆଦିଲ୍ଲୀ: ବିଜେପି ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାଁ ଉପରେ ସାରାରାତି ମନ୍ଥନ କରିଛି । କେନ୍ଦ୍ରୀୟ ନିର୍ବାଚନ ସମିତିର ବୈଠକ ରାତି ପ୍ରାୟ ୧୧ ବେଳେ ଆରମ୍ଭ ହୋଇ ସକାଳ ସାଢେ ୩ଟା ଯାଏ ଚାଲିଥିଲା । କୁହାଯାଉଛି ଯେ ଚଳିତ ଥର ବିଜେପି ନିଜର ୨୫ରୁ ୩୦ ସିଟିଂ ସାଂସଦଙ୍କ ଟିକଟ କାଟିପାରେ । ଲୋକସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ବିଜେପି ନିଜର ଅଧିକାଂଶ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଦେବ, ଏଥିପାଇଁ ପାର୍ଟି ନିଜ ପ୍ରସ୍ତୁତି ଶେଷ କରିସାରିଛି ।

ଦିଲ୍ଲୀରେ ବିଜେପି ମୁଖ୍ୟାଳୟରେ ହୋଇଥିବା କେନ୍ଦ୍ରୀୟ ନିର୍ବାଚନ ସମିତିର ବୈଠକ ଏହି ପ୍ରସ୍ତୁତିର ଅଂଶ ଅଟେ । ବୈଠକରେ ବିଜେପିର କେନ୍ଦ୍ରୀୟ ନିର୍ବାଚନ ସମିତିର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହ, ଜେପି ନଡ୍ଡାଙ୍କ ସମେତ ଦେବେନ୍ଦ୍ର ଫଡଣଭୀସ, ପ୍ରକାଶ ଜାଭେଡକର, ମନସୁଖ ମାଣ୍ଡଭିୟ, ପୁଷ୍କର ସିଂ ଧାମି, ପ୍ରମୋଦ ସାୱନ୍ତ, ଭୂପେନ୍ଦ୍ର ଯାଦବ, ଜ୍ୟୋତିରାଦିତ୍ୟ ସିନ୍ଧିଆ, କେଶବ ମୌର୍ଯ୍ୟାଙ୍କ ସମେତ ଅନ୍ୟ ନେତା ସାମିଲ ହୋଇଛନ୍ତି ।

ପଢନ୍ତୁ: ନରେନ୍ଦ୍ର ମୋଦୀ ଦୁନିଆର ସର୍ବଶ୍ରେଷ୍ଠ ନେତା, ଆମେରିକାରେ ଏପରି ଜଣେ ନେତା ଥାନ୍ତେ କି : USISPF ଅଧ୍ୟକ୍ଷ ଜନ୍ ଚାମ୍ୱର୍ସ

ବୈଠକରେ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ, ଛତିଶଗଡ଼, କେରଳ, ତେଲଙ୍ଗାନା, ରାଜସ୍ଥାନ, ଗୋଆ ଏବଂ ଗୁଜରାଟର ଲୋକସଭା ଆସନ ଉପରେ ପ୍ରାର୍ଥୀଙ୍କ ନାଁକୁ ନେଇ ଚର୍ଚ୍ଚା ହୋଇଛି । ଅନୁମାନ କରାଯାଉଛି ଯେ ବିଜେପି ମାର୍ଚ୍ଚ ୧୦ ପୂର୍ବରୁ ଅତି କମରେ ୩୦୦ ଆସନରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରେ ।

ଚର୍ଚ୍ଚା ଅନୁସାରେ ପ୍ରଧାନମନ୍ତ୍ରୀ ମୋଦି ବାରାଣସୀରୁ ନିର୍ବାଚନ ଲଢ଼ିବା କଥା କୁହାଯାଇଥିଲା ବେଳେ ରାଜନାଥ ସିଂହ ଲକ୍ଷ୍ନୌ, ଅମିତ ଶାହ ଗାନ୍ଧୀନଗର, ସ୍ମୃତି ଇରାନୀ ଆମେଥି, ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର, ସମ୍ବିତ ପାତ୍ର ପୁରୀ, ଭୁପେନ୍ଦ୍ର ଯାଦବ ମହେନ୍ଦ୍ରଗଡ, ରାଜୀବ ଚନ୍ଦ୍ରଶେଖର ତିରୁଅନନ୍ତପୁରମ, କିରେନ ରିଜିଜୁ ଅରୁଣାଚଳ ପଶ୍ଚିମ, ଅର୍ଜୁନ ରାମ ମେଘୱାଲ ବିକାନେର, ଗଜେନ୍ଦ୍ର ସିଂହ ଶେଖାୱତ ଯୋଧପୁର, ଜ୍ୟୋତିରାଦିତ୍ୟ ସିନ୍ଧିଆ ଗ୍ୱାଲିୟର, ପିୟୁଷ ଗୋୟଲ ଉତ୍ତର ମୁମ୍ବାଇ, ଅର୍ଜୁନ ମୁଣ୍ଡା ଖୁଣ୍ଟି, ସର୍ବାନନ୍ଦ ସୋନୋୱାଲ ଦିବ୍ରୁଗଡ, ଶିବରାଜ ସିଂହ ଚୌହାନ ବିଦିଶା, ଦିଲ୍ଲୀପ ଘୋଷ ମୋଦିନପୁର, ଲକେଟ ଚାଟାର୍ଜୀ ହୁଗୁଳି, ନିଶିଥ ପ୍ରାମାଣିକ କୁଚବେହରା ଓ ଅଜୟ ମିଶ୍ର ଟେନି ଖିରି ଆସନରୁ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଛି ।

ବିଜେପି ମୁଖ୍ୟାଳୟରେ କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକରେ ୧୦୦ରୁ ଅଧିକ ପ୍ରାର୍ଥୀଙ୍କ ନାଁ ଉପରେ ମନ୍ଥନ କରାଯାଇଛି । ବୈଠକରେ ବର୍ତ୍ତମାନର କିଛି ସାଂସଦଙ୍କ ଟିକଟ୍ କାଟିବା ଉପରେ ବିଚାର କରାଯାଇଛି । ଖବର ଅନୁସାରେ ଚଳିତଥର ବିଜେପି ୨୫ରୁ ୩୦ ପ୍ରତିଶତ ସାଂସଦଙ୍କ ଟିକଟ କାଟିପାରେ । ଏଥିରେ ସେହି ସାଂସଦଙ୍କ ନାଁକୁ ସାମିଲ କରାଯାଇପାରେ ଯେଉଁମାନେ ତିନି ଥରରୁ ଅଧିକ ଥର ନିର୍ବାଚନ ଜିତି ସାରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.