ସିରିଜ୍ ବୋମାମାଡ଼ ପରେ ନାଥପୁର ଗାଁ ପୁରୁଷଶୂନ୍ୟ, ଯାଞ୍ଚ ବେଳେ ମିଳିଲା ୧୦ରୁ ଅଧିକ ଅଫୁଟା ବୋମା

Published By : Prameya-News7 Bureau | November 08, 2021 IST

ବ୍ରହ୍ମଗିରି ୮।୧୧: ସିରିଜ୍‌ ବୋମାମାଡ଼ ପରେ ପୁରୁଷଶୂନ୍ୟ ନାଥପୁର ଗାଁ । ପୁରୀ ଜିଲ୍ଲା ବ୍ରହ୍ମଗିରି ନାଥପୁର ଗାଁରେ ସିରିଜ୍‌ ବୋମାମାଡ଼ ଘଟଣା ପରେ ଗାଁ ଏବେ ପୁରୁଷଶୂନ୍ୟ ହୋଇଯାଇଛି । ବର୍ତ୍ତମାନ ସେଠାକାର ସ୍ଥିତି ନିୟନ୍ତ୍ରଣାଧୀନ ଥିବା ପୁରୀ ଜିଲ୍ଲାପାଳ କହିଛନ୍ତି । ପରିସ୍ଥିତିକୁ ନଜରରେ ରଖି ୫ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି ।

ସୋମବାର ନାଥପୁର ଗାଁରେ ଯାଂଚ ବେଳେ ୧୦ରୁ ଅଧିକ ଅଫୁଟା ବୋମା ମିଳିଥିଲା । ବୋମାମାଡ଼ରେ ୨୦ରୁ ଅଧିକ ଘର ପୋଡ଼ି ଯାଇଥିବା ବେଳେ କ୍ଷତିଗ୍ରସ୍ତ ପରିବାରକୁ ପ୍ରଶାସନ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ସରକାରୀ ଜମି ଜବରଦଖଲ ବିବାଦକୁ ନେଇ ଗତକାଲି ଦୁଇ ଗୋଷ୍ଠୀ ଭିତରେ ଗଣ୍ଡଗୋଳ ଓ ବୋମାମାଡ଼ ହୋଇଥିଲା ।

ସାତପଡ଼ା ନାଥପୁର ଗାଁରେ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଲୋକଙ୍କ ଦ୍ବାରା ଏହି ବୋମାମାଡ଼ କରାଯାଇଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ୩୫ମୌଜା ଜମିକୁ ନିର୍ଦ୍ଦଷ୍ଟ ଗୋଷ୍ଠୀ ଜବରଦଖଲ କରିଥିବା ଅଭିଯୋଗ ହୋଇଥିଲା । ଯାହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା । ଯାହା ଉଗ୍ର ରୂପ ନେଇଥିଲା । ଗୋଟିଏ ଗୋଷ୍ଠୀର ବୋମାମାଡ଼ରେ ବସ୍ତିର ଚାଳଘର ସବୁ ଜଳି ଯାଇଥିଲା । ତେବେ ଆଇନକୁ ହାତକୁ ନେଇଥିବା ଲୋକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ଓ ଏସପି । ଘଟଣାର ତଦନ୍ତ ପାଇଁ ୨ଟି ଟିମ୍‌ ଗଠନ କରାଯାଇଛି । ଗଣ୍ଡଗୋଳ ଅଭିଯୋଗରେ କିଛି ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.