ସରକାରଙ୍କ ବଦଳିଲା ଆଭିମୁଖ୍ୟ, ମନ୍ତ୍ରୀ କହିଲେ-ଏହି ବଡ଼ କମ୍ପାନିର ହେବନି ବିନିବେଶ

Published By : Prameya-News7 Bureau | June 11, 2024 IST

ନୂଆଦିଲ୍ଲୀ: ମୋଦୀ ୩.୦ରେ ସରକାରଙ୍କ ବିନିବେଶ ଉପରେ ଫୋକସ୍ ରହିପାରେ । କିନ୍ତୁ ଏବେ ସରକାରଙ୍କ ରଣନୀତି ବଦଳୁଥିବା ନଜର ଆସୁଛି । ଯେଉଁ ତୈଳ କମ୍ପାନିର ବିନିବେଶକୁ ନେଇ ଗତ କାର୍ଯ୍ୟକାଳରେ ସରକାର ଜୋରସୋରରେ ଲାଗିଥିଲେ, ଏବେ ସରକାରଙ୍କ ଆଭିମୁଖ୍ୟ ବଦଳୁଛି । ପେଟ୍ରୋଲିୟମ ମନ୍ତ୍ରଣାଳୟ ସମ୍ଭାଳିବା ପରେ ହରଦୀପ ସିଂହ ପୁରୀ କହିଛନ୍ତି ଯେ ବର୍ତ୍ତମାନ ସମୟରେ ବିପିସିଏଲକୁ ନେଇ ବିନିବେଶର କୌଣସି ଉଦ୍ଦେଶ୍ୟ ନାହିଁ ।

ବିନିବେଶକୁ ନେଇ ଏକ ପ୍ରଶ୍ନର ଜବାବ ଦେଇ ସେ କହିଛନ୍ତି ଯେ ସରକାରକୁ ଅୟଲ ଆଣ୍ଡ ଗ୍ୟାସ୍ ପିଏସୟୁରୁ ୧୯-୨୦ ପ୍ରତିଶତ ରେଭେନ୍ୟୁ ମିଳିଥାଏ । ତେଣୁ ଏବେ ବିପିସିଏଲରେ ବିନିବେଶର କୌଣସି ଉଦ୍ଦେଶ୍ୟ ନାହିଁ । ଆଗକୁ ଏକ୍ସପ୍ଲେରସନ ଏବଂ ଉତ୍ପାଦନ ଉପରେ ଫୋକସ କରିବାର ଯୋଜନା ରହିଛି । ଏହାସହ ତୈଳ ଉତ୍ପାଦନ ବଢାଇ ୪୫,୦୦୦ ବ୍ୟାରେଲ୍ ପ୍ରତିଦିନ କରାଯିବ ।

ଏହାସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଅଶୋଧିତ ତୈଳର ମୂଲ୍ୟ ୭୫-୮୦ ଡଲାର ପ୍ରତି ବ୍ୟାରେଲ ନିକଟରେ ପହଞ୍ଚିବା ପରେ ପେଟ୍ରୋଲ୍ ଏବଂ ଡିଜେଲ ମୂଲ୍ୟ ହ୍ରାସର ସମ୍ଭାବନା ରହିଛି । ହରଦୀପ ସିଂହ ପୁରୀ କହିଛନ୍ତି ଯେ ବିପିସିଏଲ୍ ଗ୍ରୀନଫିଲ୍ଡ ରିଫାଇନିଂ ପ୍ରସ୍ତୁତ କରିବା ପାଇଁ ଆଡଭାନ୍ସ ପର୍ଯ୍ୟାୟରେ ଅଛି । ପେଟ୍ରୋଲ ଏବଂ ଡିଜେଲକୁ ଜିଏସଟି ପରିସରକୁ ଆଣିବା ପାଇଁ ଉଦ୍ୟମ କରାଯିବ । ତେବେ ପେଟ୍ରୋଲ୍-ଡିଜେଲ୍ ମୂଲ୍ୟକୁ ଏବେ କମ କରିବା ମୁସ୍କିଲ ଅଟେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.