ଛାତ୍ରଙ୍କୁ ଯୌନଶୋଷଣ କରୁଥିଲେ ପ୍ରଧାନଶିକ୍ଷକ, ଜଣାପଡିବା ପରେ ଫେରାର ଶିକ୍ଷକକୁ ଗିରଫ କଲା ପୋଲିସ
4/08/2019 at 3:39 PM

ଗିରିଡିହା ୪|୮: ଝାଡଖଣ୍ଡ ଗିରିଡିହା ଜିଲ୍ଲା ସିରିୟା ଥାନା ଅଞ୍ଚଳରେ ଜଣେ ଛାତ୍ରଙ୍କୁ ଯୌନ ଶୋଷଣ କରାଯାଇଥିବା ଘଟଣା ଦେଖିବାକୁ ମିଳିଛି । ସ୍ଥାନୀୟ ପୋଖରିଆଡିହି ସ୍ଥିତ ଏକ ଘରୋଇ ବିଦ୍ୟାଳୟର ପ୍ରଧାନଶିକ୍ଷକ ଜଣେ ଛାତ୍ରଙ୍କୁ ଯୌନ ଶୋଷଣ କରିଥିବା ପୀଡିତ ଛାତ୍ରଙ୍କ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଘଟଣା ଜଣାପଡିଥିଲା । ଅଭିଯୋଗ ଆଧାରରେ ପୋଲିସ ସଂପୃକ୍ତ ପ୍ରଧାନଶିକ୍ଷକଙ୍କୁ ଗିରଫ କରିଛି । ମାମଲାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।
ସୂଚନା ଅନୁସାରେ ପୋଖରିଆଡିହି ସ୍ଥିତ ଏକ ଘରୋଇ ବିଦ୍ୟାଳୟର ପ୍ରଧାନଶିକ୍ଷକ କୁଲଦୀପ ମଣ୍ଡଳ ଗତ ଗୁରୁବାର ଦିନ ବିଦ୍ୟାଳୟର ଜଣେ ଛାତ୍ରଙ୍କୁ ଯୌନ ଶୋଷଣ କରିଥିଲେ । ଘଟଣା ସଂପର୍କରେ କାହାରିକୁ କିଛି ନକହିବା ପାଇଁ ପ୍ରଧାନଶିକ୍ଷକ ପୀଡିତ ଛାତ୍ରଙ୍କୁ ଧମକ ଦେଇଥିଲେ । ଛାତ୍ର ଜଣଙ୍କ ଘଟଣା ସଂପର୍କରେ ନିଜ ପରିବାରଲୋକଙ୍କ ଆଗରେ ପ୍ରକାଶ କରିଥିଲେ । ଫଳରେ ପରିବାରଲୋକ ଉତକ୍ଷିପ୍ତ ହୋଇଯାଇଥିଲେ । ପରିବାରଲୋକ ଗ୍ରାମବାସୀଙ୍କୁ ନେଇ ଥାନାରେ ଅଭିଯୋଗ କରିବା ସହ ସେଠାରେ ହୋହଲ୍ଲା କରିଥିଲେ । ଖୁବ୍ ଶୀଘ୍ର ସଂପୃକ୍ତ ପ୍ରଧାନଶିକ୍ଷକଙ୍କୁ ଗିରଫ କରିବା ପାଇଁ ଦାବି କରିଥିଲେ । ଏହାପରେ ପୀଡିତ ଛାତ୍ରଙ୍କ ବୟାନ ଆଧାରରେ ପୋଲିସ ସଂପୃକ୍ତ ପ୍ରଧାନଶିକ୍ଷକଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ମାମଲା ରୁଜୁ ହେବା ପରେ ସଂପୃକ୍ତ ପ୍ରଧାନଶିକ୍ଷକ ଗାଁ ଛାଡି ଚାଲିଯିବାକୁ ଉଦ୍ୟମ କରୁଥିବାବେଳେ ରେଳ ଷ୍ଟେସନରୁ ପୋଲିସ ତାଙ୍କୁ ଗିରଫ କରିଛି । ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।