ମହିଳା ଜେଲ ଓ୍ୱାର୍ଡରଙ୍କୁ ଘରେ ପଶି ହତ୍ୟା : ଆତ୍ମସମର୍ପଣ କଲା ହତ୍ୟାକାରୀ ପ୍ରେମିକ

Published By : Prameya-News7 Bureau | March 16, 2020 IST

ଧାର ୧୬/୦୩ : ମହିଳା ଜେଲ ଓ୍ୱାର୍ଡରଙ୍କୁ ହତ୍ୟା କଲା ପ୍ରେମିକ। ଘର ଭିତରେ ପଶି ପ୍ରେମିକାକୁ ମାରିବା ପରେ ପୋଲିସରେ ଆତ୍ମ ସମର୍ପଣ କରିଛି ହତ୍ୟାକାରୀ। ମଧ୍ୟପ୍ରଦେଶର ଧାର ଜିଲ୍ଲାରେ ଘଟିଛି ଏହି ବୀଭତ୍ସ ହତ୍ୟାକାଣ୍ଡ | ମହିଳା ଜେଲ ଓ୍ୱାର୍ଡର  ଜଣକ ନିଜ ପ୍ରେମିକ ଠାରୁ ଦୂରେଇବାକୁ ଚାହିଁବା ଯୋଗୁଁ  ତାଙ୍କୁ ନିଜ ଜୀବନ ହାରିବାକୁ ପଡିଛି | ପ୍ରେମିକ ଉତକ୍ଷିପ୍ତ ହୋଇ ମହିଳା ଓ୍ୱାର୍ଡରଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିଲା | ମହିଳାଙ୍କ ବେକରେ ରଶି ବାନ୍ଧି ତାଙ୍କ ଗଳାକୁ ଛୁରୀରେ ଅନେକଥର ଆଘାତ କରିଥିଲା | ଫଳରେ ମହିଳାଙ୍କ ମୃତ୍ୟୁ ହୋଇଛି |

ଧାର ଜିଲ୍ଲା ଅନ୍ତର୍ଗତ ସନାବଦ ଅଞ୍ଚଳରେ ଥିବା ଗ୍ରୀନ ଗାର୍ଡେନ କଲୋନୀ ସ୍ଥିତ ତୃତୀୟ ମହଲାରେ ରହୁଥିବା ମହିଳା ଜେଲ ଓ୍ୱାର୍ଡରଙ୍କୁ ରବିବାର ସକାଳୁ ହତ୍ୟା କରାଯାଇଛି | ମହିଳା ମନାଁବର ଜେଲରେ ପଦସ୍ଥ ଜେଲ ଓ୍ୱାର୍ଡର ଥିଲେ | ମୃତକ ମହିଳା ହେଲେ ରାନୁ ବର୍ମା | ତାଙ୍କ ଘର ଗୋଗାଁୱା ଜିଲ୍ଲା ଖରଗୋନ ଅଞ୍ଚଳରେ | 

ହତ୍ୟା ଖବରପାଇ ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ତେଜୁ ମର୍ଯ୍ୟାକୁ ଗିରଫ କରିଛି | ଅଭିଯୁକ୍ତକୁ ଗିରଫ କରି ହତ୍ୟା ସମ୍ପକରେ ପଚରାଉଚୁରା କରୁଛି ପୋଲିସ | ହତ୍ୟାରେ ରାଶି ଓ ଛୁରୀ ବ୍ୟବହୃତ ହୋଇଥିବା ସ୍ପଷ୍ଟ ହୋଇଛି |

ଥାନା ଅଧିକାରୀ କରନ ସିଂହଙ୍କ ସୂଚନା ଅନୁଯାୟୀ, ଗ୍ରୀନ ଗାର୍ଡେନ କଲୋନୀରେ ଚନ୍ଦନ ନାମକ ଯୁବକଙ୍କ ଘରେ ରାନୁ ବର୍ମା ଭଡାରେ ରହୁଥିଲେ | ତେଜୁ ସହ ରାନୁ ବର୍ମାଙ୍କର ପୂର୍ବରୁ ସମ୍ପର୍କ ଥିଲା | ତେଜୁ ତାଙ୍କ ପାଖକୁ ଯିବା ଆସିବା କରୁଥିଲା | ରବିବାର ଭୋର ସମୟରେ ରାନୁଙ୍କ ଘର ମାଲିକଙ୍କୁ ସନ୍ଦେହ ହୋଇଥିଲା | ସେ ବାହାରକୁ ଆସି ଦେଖିବାରୁ ରାନୁଙ୍କ ମୃତଦେହ ପଡିଥିଲା | ଘର ମାଲିକ ଦେଖିଲାବେଳେ ଅଭିଯୁକ୍ତ ସେଠାରୁ ଡେଇଁ ପଳାଇଯିବାକୁ ବସିଥିଲା |

ଏହା ଦେଖି ଘର ମାଲିକ ସଙ୍ଗେସଙ୍ଗେ ପୋଲିସକୁ ଖବର ଦେଇଥିଲେ | ସୂଚନା ପାଇ ପୋଲିସ ତତକ୍ଷଣାତ ଘଟଣାସ୍ଥଳରେ ପହଞ୍ଚିଥିଲା | ପୋଲିସ ଆସି ଦେଖିଲାବେଳକୁ ରାନୁଙ୍କ ମୃତ୍ୟୁ ହୋଇସାରିଥିଲା | ପୋଲିସ ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା | ଘଟଣାର କିଛି ସମୟ ପରେ ଅଭିଯୁକ୍ତ ନିଜେ ଆସି ଥାନାରେ ଆତ୍ମସମର୍ପଣ କରିଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.