ହଜିଗଲଣି ମାନବିକତା ! ବାଳକ ନଦୀରେ ବୁଡି ଯାଉଥିଲା, ବଞ୍ଚାଇବା ଛାଡି ଭିଡିଓ କରୁଥିଲେ ଲୋକେ, ମୃତଦେହ ଉଦ୍ଧାର

Published By : Prameya-News7 Bureau | July 07, 2020 IST

ଗୁନା ୦୭/୦୭ : ମଧ୍ୟ ପ୍ରଦେଶ ରାଜଗଢ଼ ଜିଲ୍ଲା ସୁଠାଲିୟାରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ଯାହା ସମସ୍ତଙ୍କ ମନକୁ ଆନ୍ଦୋଳିତ କରିଦେଇଛି | ପାର୍ବତୀ ନଦୀରେ ଅଚାନକ ଝଡ ଆସି ଜଣେ ୧୫ ବର୍ଷର ବାଳକକୁ ଭସାଇ ନେଇଥିଲା | ଦେଖୁ ଦେଖୁ ବାଳକ ନଦୀ ସ୍ରୋତରେ ଭାସିବାକୁ ଲାଗିଲା | ତେବେ ଆଶ୍ଚର୍ଯ୍ୟର କଥା ହେଲା ବାଳକକୁ ଉଦ୍ଧାର କରିବାକୁ ସେଠାରେ ଉପସ୍ଥିତ ଥିବା ଲୋକେ ଚେଷ୍ଟା କରିନଥିଲେ ବରଂ ନଦୀକୂଳରେ ଛିଡା ହୋଇ ମୋବାଇଲରେ ଭିଡିଓ ରେକର୍ଡିଙ୍ଗ କରୁଥିଲେ | ଲୋକଙ୍କ ଅବହେଳା ଓ ଅମାନବିକତା ଯୋଗୁଁ ବାଳକଟି ବୁଡିଗଲା | ଘଟଣାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି |

ବାଳକ ଟିଣ୍ଡି ଗାଁର ରାମସ୍ୱରୂପ ଲୋଧି | ସେ ନିଜ ପିଉସୀଙ୍କ ଘର ମହୁଆକୁ ଆସିଥିଲା | ନିଜ ପରିବାର ସହ ସେ ନିଜ ଗାଁକୁ ଫେରୁଥିଲା | ସେତେବେଳେ ପାର୍ବତୀ ନଦୀରେ ଝଡ ଆସିଥିଲା | ଘୋଘରା ଘାଟରେ ନଦୀ ସ୍ରୋତ ଅଧିକ ଥିବାରୁ ସେ ଚାଲି ଚାଲି ନଦୀ ପାରି କରୁଥିଲା | କିନ୍ତୁ ନଦୀର ପ୍ରଖର ସ୍ରୋତ ତାକୁ ଭସାଇ ନେଇଥିଲା | ଅନ୍ୟମାନେ ବାଇକରେ ଥିଲେ | ସେମାନେ ବଞ୍ଚିଗଲେ | ବାଳକ ଭାସୁଥିବାର ଦେଖି ଲୋକ ପାଟି କରିଥିଲେ କିନ୍ତୁ ନଦୀର ସ୍ରୋତ ଏତେ ପ୍ରଖର ଥିଲା ଯେ କେହି ନଦୀକୁ ଡେଇଁ ତାକୁ ବଞ୍ଚାଇବାକୁ ସାହସ କରିନଥିଲେ | ନଦୀକୂଳରେ ଛିଡା ହୋଇଥିବା ଲୋକେ ଭିଡିଓ ରେକର୍ଡିଙ୍ଗ କରୁଥିଲେ | ବାଳକ ରାମସ୍ୱରୂପ ନିଜକୁ ବଞ୍ଚାଇବା ପାଇଁ ବହୁତ ସଂଘର୍ଷ କରିଥିଲା ଏବଂ ଶେଷରେ ହାରିଯାଇଥିଲା |

ଖବର ପାଇ ମଧୁସୂଦନଗଢ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବାଳକକୁ ଖୋଜାଖୋଜି ଆରମ୍ଭ କରିଥିଲା | କିନ୍ତୁ ସେତେବେଳକୁ ବହୁତ ବିଳମ୍ବ ହୋଇସାରିଥିଲା | ଉଦ୍ଧାରକାରୀ ଦଳ ରାମସ୍ୱରୂପର ମୃତଦେହ ଉଦ୍ଧାର କରିଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.