ମହାନଦୀ ଫୁଲୁଛି : ବୌଦ୍ଧରେ ବନ୍ୟା ସ୍ଥିତି, ହରଭଙ୍ଗା ବ୍ଲକ୍‌ର ୫୫ ଗାଁ ପ୍ରଭାବିତ

Published By : Prameya-News7 Bureau | August 14, 2022 IST

ବୌଦ୍ଧ, ୧୪|୦୮:ବୌଦ୍ଧ ଜିଲ୍ଲାରେ ଲାଗି ରହିଛି ଲଘୁଚାପ ଜନିତ ବର୍ଷା । ଉପର ମୁଣ୍ଡରେ ବର୍ଷା ହେବାରୁ ହୀରାକୁଦ ଜଳଭଣ୍ଡାର ସ୍ତର ବୃଦ୍ଧି ପାଉଛି । ବର୍ଷା ସାଙ୍ଗକୁ ହୀରାକୁଦ ଜଳଭଣ୍ଡାରରୁ ପର୍ଯ୍ୟାୟ କ୍ରମେ ୩୪ଟି ଗେଟ ଖୋଲାଯିବା ପରେ ବୌଦ୍ଧ ଜିଲ୍ଲାର ମହାନଦୀରେ ବଡ଼ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।

ମହାନଦୀର ଜଳସ୍ତର ବିପଦ ସ୍ତର ପର୍ଯ୍ୟନ୍ତ ପହଁଚିଲାଣି ।  ଉଭୟ ତେଲନଦୀ ଓ ମହାନଦୀରେ ଜଳସ୍ତର ବୃଦ୍ଧି ପାଇବା ସହିତ ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବିଶେଷ କରି ହରଭଙ୍ଗା ବ୍ଲକର ୫୫ଟି ଗାଁ ପ୍ରଭାବିତ ହୋଇଛି । ବନ୍ୟା ଯୋଗୁଁ ହରଭଙ୍ଗା-ଧଳପୁର ଜଗନ୍ନାଥ ସଡ଼କର ସାକୁସିଙ୍ଗା ନାଳ, କୁଶାସିଙ୍ଗା ନାଳ, ଡିଆଁଘାଟ ପୋଲ, ମଲ୍ଲିକପଡା ପୋଲ, ସଦଲଗଣ୍ଡା ନାଳ ଭେଜିଗୋରା ପୋଲ ଉପରେ ୫ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି। 

ଫଳରେ ବୌଦ୍ଧ-ହରଭଙ୍ଗା ଯାତାୟାତ ଠପ୍ ହୋଇଥିବା ବେଳେ ୫୦ରୁ ଉର୍ଦ୍ଧ୍ବ ଗାଁ ଜଳବନ୍ଦୀ ହୋଇ ରହିଛି । ମାରାଡ଼ା ଓ ଖଣ୍ଡିସାହି ବନ୍ୟାଜଳ ଘେରରେ ରହିଥିବା ଜଣାପଡିଛି । ମହାନଦୀ ବନ୍ୟାଜଳରେ ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ ହେବା ସହିତ ଧାନ ଗଛ ଗୁଡିକ ବନ୍ୟପାଣିରେ ବୁଡି ରହିଛି । ସେପଟେ ପ୍ରଶାସନ ତରଫରୁ ହରଭଙ୍ଗା ତଳିଆ ଅଞ୍ଚଳ ଗୁଡ଼ିକୁ ରେଡ୍ ଜୋନ୍ ତାଲିକା ଭୁକ୍ତ କରାଯାଇ ଲୋକଙ୍କୁ ସତର୍କ କରାଯାଇଛି।  ସମ୍ପୃକ୍ତ ଅଞ୍ଚଳର ଆରଆଇ ଓ ପଞ୍ଚୟତ ନିର୍ବାହି ଅଧିକାରୀଙ୍କୁ ଆଲର୍ଟ ରହିବାକୁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.