କାର୍ତ୍ତିକ ମାସରେ ପଡ଼ୁଛି ଉଭୟ ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ; ଶ୍ରୀମନ୍ଦିରରେ ହେବ ସ୍ୱତନ୍ତ୍ର ନୀତିକାନ୍ତି

Published By : Prameya-News7 Bureau | October 13, 2022 IST

ପୁରୀ ୧୩/୧୦: କାର୍ତ୍ତିକ ମାସରେ ଉଭୟ ସୂର୍ଯ୍ୟ ପରାଗ ଓ ଚନ୍ଦ୍ରଗ୍ରହଣ ପଡ଼ୁଛି। ତେବେ ଏହି ସମୟରେ ପାକତ୍ୟାଗ ଓ ହାଣ୍ଡିଛାଡ ପରମ୍ପରା ଥିବାରୁ ଦେବନୀତି କିଭଳି ଅନୁଷ୍ଠିତ ହେବ ସେନେଇ ସବୁଠି ଚର୍ଚ୍ଚା। ଶ୍ରୀମନ୍ଦିର ପରିଚାଳନା କମିଟିର ନିଷ୍ପତ୍ତି ଅନୁସାରେ ଅକ୍ଟୋବର ୨୫ ଦୀପାବଳୀ ଅମାବାସ୍ୟାରେ ପଡ଼ୁଛି ସୂର୍ଯ୍ୟପରାଗ। ସେହିପରି ନଭେମ୍ବର ୮ କାର୍ତ୍ତିକ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ପଡୁଛି। ଏଥିପାଇଁ ମହାପ୍ରଭୁଙ୍କ ଥିବା ସମସ୍ତ ନୀତି କାନ୍ତି ନିର୍ଦ୍ଧାରିତ ସମୟ ଅନୁଯାୟୀ ଅନୁଷ୍ଠିତ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। 

ଶ୍ରୀମନ୍ଦିରରେ ସୂର୍ଯ୍ୟ ପରାଗ ଓ ଚନ୍ଦ୍ରଗ୍ରହଣ ସମୟରେ ମହାପ୍ରଭୁଙ୍କ ଅନେକ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ।‌ ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ଅନୁସାରେ ଆସନ୍ତା ଅକ୍ଟୋବର ୨୫ରେ ଦୀପାବଳୀ ଅମାବାସ୍ୟାରେ ପଡ଼ୁଛି ସୂର୍ଯ୍ୟପରାଗ।‌ ଏହି ଦିନ ଅପରାହ୍ନ ୪.୫୬ ମିନିଟ୍ ୫୨ ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରିବ। ତେଣୁ ଏହି ଦିନ ଭୋର ୪.୫୭ରୁ ଅନ୍ନଭୋଜନ, ପାକତ୍ୟାଗ ଓ ଦେବନୀତି ନିଷେଧ କରାଯାଇଛି।‌ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର‌ ନୀତି କାନ୍ତିରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ଗ୍ରହଣ ସ୍ପର୍ଶ ପରେ ମହାପ୍ରଭୁଙ୍କର ଗ୍ରହଣ ମହାସ୍ନାନ ଆରମ୍ଭ ହେବ। ଗ୍ରହଣ ଭୋଗ ନୀତି ବଢ଼ିବା ପରେ ଅନ୍ୟାନ୍ୟ ନୀତିକାନ୍ତି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ। 

ସେହିପରି ଆସନ୍ତା ନଭେମ୍ବର ୮ରେ ଚନ୍ଦ୍ରଗ୍ରହଣ ପଡ଼ୁଥିବାରୁ ସେଦିନ ଅପରାହ୍ଣ ୨ଟା ୩୮ରେ ଗ୍ରହଣ ସ୍ପର୍ଶ କରୁଛି। ତେଣୁ ସେଦିନ ସକାଳ ୮ଟା ୨୯ ରୁ ଅନ୍ନଭୋଜନ, ପାକକର୍ମ ଓ ଦେବନୀତି ନିଷେଧ କରାଯାଇଛି। ଏହି ଗ୍ରହଣ ସର୍ବମୋକ୍ଷ ସନ୍ଧ୍ୟା ୬ଟା ୧୮ରେ ହେବ। ତେଣୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସ୍ବତନ୍ତ୍ର ନୀତିକାନ୍ତି ଅନୁସାରେ ଗ୍ରହଣ ସ୍ପର୍ଶ ପରେ ଗ୍ରହଣ ମହାସ୍ନାନ, ଗ୍ରହଣ ଭୋଗ ନୀତି ପରେ ଅନ୍ୟାନ୍ୟ ନୀତିକାନ୍ତି ବଢ଼ିବ। କିନ୍ତୁ ଅନ୍ୟ ଦେବାଦେବୀ ମନ୍ଦିରରେ ଗ୍ରହଣ ସର୍ବମୋକ୍ଷ ପରେ ନୀତି ବଢ଼ିବ। ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକଙ୍କ ମତ ଅନୁସାରେ ଚଳିତ ୨୫ ତାରିଖ ମଙ୍ଗଳବାର ଦିବା ୪ଟା ୫୬ ମିନିଟ ୫୨ ସେକେଣ୍ଡରେ ସୂର୍ଯ୍ୟ ପରାଗ ପୁରୀକୁ ସ୍ପର୍ଶ କରିବ। ସନ୍ଧ୍ୟା ୬ଟା ୨୬ ସେକେଣ୍ଡରେ ସୂର୍ଯ୍ୟ ପରାଗ ସର୍ବମୋକ୍ଷ ହେବା ସହ ୧ ଘଣ୍ଟା ୩୦ମିନିଟ ଧରି ଏହି ସୂର୍ଯ୍ୟ ପରାଗର ସମୟ ଅବଧି ରହିବ। ଏହି ସମୟରେ ମେଷ, ତୁଳା, ବିଛା, ମକର, କୁମ୍ଭ ଓ ମୀନ ରାଶିର ଲୋକେ ଗ୍ରହଣ ଦର୍ଶନ କରିବା ଅଶୁଭ ବୋଲି ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ମତବ୍ୟକ୍ତ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.