ଅଢେଇ ଦିନର ଶିଶୁ ଦେହରେ କରୋନା ଭାଇରସ୍, ଅଧିକାଂଶ ମୃତକଙ୍କ ବୟସ ୬୦ ବର୍ଷରୁ ବେଶି

Published By : Prameya-News7 Bureau | February 05, 2020 IST

ବେଜିଂ୦୫/୦୨-ଜନ୍ମର ମାତ୍ର ୩୦ ଘଣ୍ଟା ହୋଇଛି, କିନ୍ତୁ ଶିଶୁ ଦେହରେ କରୋନାଭାଇରସ । ରକ୍ତ ନମୁନା ପରୀକ୍ଷାପରେ ଆସିଛି ପଜିଟିଭ୍ ରେଜଲ୍ଟ । ଚୀନର  ସବୁଠୁ ବେଶି କରୋନାଭାଇରସ ପ୍ରଭାବିତ ସହର ଉହାନରେ ଏହି ଦୁଃଖଦ ଘଟଣା । ଆଉ ଏହି ଶିଶୁଟି କରୋନା ଭାଇରସ ସଂକ୍ରମିତ ସବୁଠୁ କମ୍ ବୟସ୍କ ବା କନିଷ୍ଠ ବୋଲି କୁହାଯାଉଛି ।ତେବେ ଶିଶୁ ଶରୀରକୁ ତାର ମାଆ ଠାରୁ ଏହି ଭୟଙ୍କର ଭାଇରସ ଆସିଥିବା ସନ୍ଦେହ କରାଯାଉଛି ।

 ଚୀନ ଷ୍ଟେଟ ମିଡିଆ ଖବର ଅନୁଯାୟୀ ଉହାନ ସହରରେ ଜନ୍ମିତ ଏହି ଶିଶୁ ଜନ୍ମର ୩୦ ଘଣ୍ଟା ଭିତରେ କରୋନା ଭାଇରସ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ବୁଧବାର ଆସିଛି ଏହି ରିପୋର୍ଟ । ବିଶେଷଜ୍ଞ ଏହାକୁ ଭର୍ଟିକାଲ ଟ୍ରାନ୍ସମିଶନ ସନ୍ଦେହ କରୁଛନ୍ତି । ଶିଶୁକୁ ଜନ୍ମ ଦେବା ପୂର୍ବରୁ ତାର ମାଆ କରୋନା ଭାଇରସ ପଜିଟିଭ୍ ବୋଲି ପରୀକ୍ଷାରୁ ଜଣାପଡିଥିଲା । ତେଣୁ ଶିଶୁକୁ ତାର ମାଆ ଠାରୁ , କିମ୍ବା ଜନ୍ମ ସମୟରେ ଅଥବା ଜନ୍ମ ପରେ ପରେ କରୋନାଭାଇରସ ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଉଛି ।

 ତେବେ ଚୀନ୍‌ର ସରକାରୀ ମିଡିଆ ଝିନୁଆ ନ୍ୟୁଜ୍‌ ଏଜେନ୍ସୀ ଗତ ସୋମବାର ଦେଇଥିବା ଏକ ଖବରରେ ଦର୍ଶାଇଥିଲା ଯେ, ଜଣେ କରୋନା ଭାଇରସ ପଜିଟିଭ୍‌ ମହିଳା ଜନ୍ମଦେଇଥିବା ଶିଶୁ ପରୀକ୍ଷା ବେଳେ କରୋନାଭାଇରସ୍‌ ଦ୍ୱାରା ଆକ୍ରାନ୍ତ ହୋଇନଥିବା ଅର୍ଥାତ୍‌ ନେଗେଟିଭ୍‌ ରିପୋର୍ଟ ଆସିଥିଲା । କିନ୍ତୁ ଏବେ ୩୦ ଘଣ୍ଟାର ଶିଶୁ ସଂକ୍ରମିତ ।

 ଅନ୍ୟପକ୍ଷରେ କରୋନାଭାଇରସ ଆକ୍ରାନ୍ତଙ୍କ ମଧ୍ୟରେ ସବୁଠୁ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ବୟସ ୯୦ ବର୍ଷ ହେବ ବୋଲି ଜଣାଯାଇଛି । ତା ସହ ଏବେ ସୁଦ୍ଧା ଚୀନ୍‌ରେ କରୋନା ଭାଇରସ ଆକ୍ରାନ୍ତ ମୃତକଙ୍କ ମଧ୍ୟରୁ ୮୦ ପ୍ରତିଶତ ଲୋକଙ୍କ ବୟସ ୬୦ ବର୍ଷ କିମ୍ବା ତାଠାରୁ ବେଶି ବୋଲି ରିପୋର୍ଟରୁ ଜଣାଯାଇଛି ।

 ଗତ ବର୍ଷ ଡିସେମ୍ବରରେ ଚୀନ୍‌ରେ ଦେଖାଦେଇଥିବା ଏବି ଭୟଙ୍କର ଭୂତାଣୁରେ ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ଏହା ମଧ୍ୟରେ ୫ ଶହ ଟପିଲାଣି । ଉହାନରେ  ବଜାରରେ ବିକ୍ରି କିଛି ଜଙ୍ଗଲି ପଶୁ ପକ୍ଷୀଙ୍କ ମାଂସରୁ  ଏହି ରୋଗ ବ୍ୟାପିଥିବା ସନ୍ଦେହ କରାଯାଉଛି ।ସେପଟେ  ପ୍ରାୟ ଦୁଇ ଡଜନ ଦେଶକୁ ଏହା ସଂକ୍ରମିତ ହୋଇଥିବା ସନ୍ଦେହ କରି ବିଶ୍ୱସ୍ୱାସ୍ଥ୍ୟ ସଂଗଠନ କରୋନାଭାଇରସ ଜନୀତ ସ୍ଥିତିକୁ ଜରୁରୀ ସ୍ୱାସ୍ଥ୍ୟଗତ ବିପତ୍ତି ଘୋଷଣା କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.