ନୂଆଦିଲ୍ଲୀ: ସୋମବାର ଟ୍ରେନ୍ ଟିକଟ ବୁକିଂ ଉପରେ ବଡ଼ ଘୋଷଣା କରିଛି ଭାରତୀୟ ରେଳବାଇ। ଏଣିକି ଆଇଆରସିଟିସି ୱେବସାଇଟ୍ ଏବଂ ଆପଲିକେସନରେ ଲୋକେ ଗୋଟିଏ ମାସରେ ୨୪ଟି ଟିକଟ ବୁକ କରିପାରିବେ। ତେବେ ଏଥିପାଇଁ ୟୁଜର ଆଇଡିକୁ ଆଧାର ସହ ଲିଙ୍କ୍ କରିବାକୁ ପଡିବ। ୟୁଜର ଆଇଡି ସହ ଆଧାର ଲିଙ୍କ ହୋଇ ନ ଥିଲେ ଜଣେ ୧୨ଟି ଟିକଟ ବୁକ କରିପାରିବେ। ଏହା ପୂର୍ବରୁ ଆଇଆରସିଟିସି ୟୁଜର ଆଇଡିରୁ ମାସକୁ କେବଳ ୬ଟି ଟିକଟ ବୁକ ହୋଇପାରୁଥିଲା। ଆଧାର ଲିଙ୍କ ହୋଇଥିବା ୟୁଜର ଆଇଡିରୁ ୧୨ଟି ଟିକଟ ବୁକ ପାଇଁ ଅନୁମତି ଥିଲା ।
ଏନେଇ ରେଲୱେ ମନ୍ତ୍ରଣାଳୟ ପକ୍ଷରୁ ଏକ ବୟାନ ଜାରି କରାଯାଇଛି। ବୟାନ ଅନୁସାରେ, ଯାତ୍ରୀଙ୍କ ସୁବିଧା ପାଇଁ ଟିକଟ ବୁକିଂ ସୀମା ବୃଦ୍ଧି କରିବାକୁ ଭାରତୀୟ ରେଲୱେ ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି ଦ୍ୱାରା ଟ୍ରେନରେ ନିୟମିତ ଯାତ୍ରା କରୁଥିବା ଯାତ୍ରୀ ବେଶ ଲାଭବାନ ହେବେ।
ଏହା ପୂର୍ବରୁ ଆଇଆରସିଟିସିର ଟିକଟ ବୁକିଂ ସୀମା କମ ଥିବାରୁ ବହୁ ଯାତ୍ରୀଙ୍କୁ ଅସୁବିଧାର ସାମନା କରିବାକୁ ପଡୁଥିଲା। ରେଲୱେର ଏହି ନିଷ୍ପତ୍ତି ପରେ ନିୟମିତ ଟ୍ରେନ ଯାତ୍ରୀଙ୍କୁ ବଡ଼ ଲାଭ ମିଳିବ।