ଭୁବନେଶ୍ବର ବରମୁଣ୍ଡା ଶିବ ମନ୍ଦିର ନିକଟରେ ବୋମାମାଡ କରି ଦୁର୍ବୃତ୍ତ ଫେରାର ; କାରଣ ଅସ୍ପଷ୍ଟ
16/10/2018 at 9:16 AM

ଭୁବନେଶ୍ବର ୧୬|୧୦: ଭୁବନେଶ୍ବର ବରମୁଣ୍ଡା ଶିବ ମନ୍ଦିର ନିକଟରେ ବୋମାମାଡ ହୋଇଛି । ଗତକାଲି ରାତି ପ୍ରାୟ ୧୦ଟାରେ ବରମୁଣ୍ଡା ଶିବ ମନ୍ଦିର ନିକଟ କମ୍ୟୁନିଟି ହଲ୍ ଉପରକୁ ବୋମାମାଡ଼ ହୋଇଛି। ଦୁର୍ବୃତ୍ତମାନେ ହଲକୁ ଲକ୍ଷ୍ୟ କରି ଗୋଟିଏ ବୋମା ଫିଙ୍ଗି ଫେରାର୍ ହୋଇଯାଇଛନ୍ତି। ଫଳରେ ହଲର ମୁଖ୍ୟ ଦ୍ବାରରେ ଲାଗିଥିବା ଲୁହା କବାଟ ଭାଙ୍ଗି ଯାଇଛି । ଏଥିରେ କେହି ମୃତାହତ ହୋଇନାହାନ୍ତି । ଖଣ୍ଡଗିରି ଥାନା ପୁଲିସ ଛାନଭିନ ଆରମ୍ଭ କରିଛି। ତେବେ ବୋମାମାଡ଼ର କାରଣ ଜଣାପଡ଼ି ନାହିଁ । ଦଶହରା ପାଇଁ ଶାନ୍ତିଶୃଙ୍ଖଳାକୁ ନଜରରେ ରଖି କମିସନରେଟ୍ ପୁଲିସ ଜୋରଦାର ପ୍ରସ୍ତୁତି କରିଛି । ମାତ୍ର ପୁଲିସକୁ ଚ୍ୟାଲେଞ୍ଜ ଦେବା ଭଳି ପୂଜା ପୂର୍ବ ରାତିରେ ଦୁର୍ବୃତ୍ତମାନେ ବୋମାମାଡ଼ କରିଛନ୍ତି। ରାତି ପ୍ରାୟ ୧୦ଟାବେଳେ ହଠାତ୍ ଭୟଙ୍କର ଶବ୍ଦରେ ଶିବ ମନ୍ଦିର ଅଞ୍ଚଳ କମ୍ପି ଉଠିଥିଲା। କମ୍ୟୁନିଟି ହଲରେ ଗାଁର ପିଲାମାନେ ବହୁ ସମୟରେ ଏକତ୍ର ହୋଇ ବିଭିନ୍ନ କାର୍ଯ୍ୟକ୍ରମ କରନ୍ତି। ତେଣୁ କିଛି ଲୋକ ଭୟରେ ଘରକୁ ପଳାଇଥିବାବେଳେ ଅନ୍ୟମାନେ ହଲ୍ ନିକଟକୁ ଘଟଣା ବାବଦରେ ଜାଣିବାକୁ ଯାଇଥିଲେ। କିନ୍ତୁ ସେତେବେଳକୁ ଘଟଣାସ୍ଥଳରେ କେହି ନଥିଲେ।