ବନ୍ୟାଗ୍ରସ୍ତ ଅଞ୍ଚଳରେ ଜେଇଇ ମେନ ପରୀକ୍ଷା ପାଇଁ ପୁଣି ଆବେଦନ କରିପାରିବେ ପରୀକ୍ଷାର୍ଥୀ
1/09/2020 at 1:05 PM

ମୁମ୍ବାଇ ୦୧/୦୯ : ବମ୍ବେ ହାଇକୋର୍ଟଙ୍କ ନାଗପୁର ବେଞ୍ଚ ମଙ୍ଗଳବାର ଦିନ ଜେଇଇ ମେନ ପରୀକ୍ଷା (JEE Main Exam) ଉପରେ ରୋକ ଲଗାଇବାକୁ ମନା କରିଦେଇଛନ୍ତି | କୋର୍ଟ କହିଛନ୍ତି ଯେ, ମହାରାଷ୍ଟ୍ରର ବନ୍ୟା ପ୍ରଭାବିତ ଅଞ୍ଚଳରେ ରହୁଥିବା ଛାତ୍ରଛାତ୍ରୀ ଯଦି ପରୀକ୍ଷା କେନ୍ଦ୍ରରେ ପହଞ୍ଚି ନ ପାରନ୍ତି କିମ୍ବା ବିଳମ୍ବରେ ପହଞ୍ଚନ୍ତି ତାହେଲେ ସେ ଏନଟିଏ ପାଖରେ ପୁଣି ପରୀକ୍ଷା ପାଇଁ ଆବେଦନ କରିପାରିବେ |
ଜଷ୍ଟିସ ରବି ଦେଶପାଣ୍ଡେ ଏବଂ ଜଷ୍ଟିସ ପୁଷ୍ପା ଗନେଦିଵାଲା କହିଛନ୍ତି ଯେ, ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ୍ସି ଏହି ଆବେଦନ ଉପରେ ନିଶ୍ଚୟ ବିଚାର କରିବେ ଏବଂ ଏହାକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେବେ | ସୂଚନାଯୋଗ୍ୟ ଯେ ସାରା ଦେଶରେ ସେପ୍ଟେମ୍ବର ୧ ତାରିଖ ମଙ୍ଗଳବାର ସକାଳ ୯ଟା ରୁ ପରୀକ୍ଷା ଆରମ୍ଭ ହୋଇଛି | କୋର୍ଟ କହିଛନ୍ତି ବନ୍ୟା ଯୋଗୁଁ ଅନେକ ଜିଲ୍ଲାରେ ସ୍ଥିତି ବହୁତ ଖରାପ ରହିଛି | ଏଥିପାଇଁ ଛାତ୍ରଛାତ୍ରୀଙ୍କୁ କୌଣସି ସମସ୍ୟା ହେବା ଉଚିତ ନୁହେଁ କାରଣ ଏଥିରେ ତାଙ୍କର କୌଣସି ଭୁଲ ନାହିଁ |
କୋର୍ଟ କହିଛନ୍ତି, ଛାତ୍ରଛାତ୍ରୀ ନିଜ ପରୀକ୍ଷା କେନ୍ଦ୍ରର କୋ-ଅର୍ଡିନେଟର ଜରିଆରେ ଏନଟିଏ ନିକଟରେ ପୁଣି ଆବେଦନ କରିପାରିବେ | ଏହାପରେ ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ୍ସି ସମ୍ବନ୍ଧିତ ଜିଲ୍ଲାର ଜିଲ୍ଲା ଅଧିକାରୀଙ୍କ ସହ କଥାବାର୍ତ୍ତା ହୋଇ ୧୫ ଦିନ ମଧ୍ୟରେ ଏ ସମ୍ବନ୍ଧରେ ନିଷ୍ପତ୍ତି ନେବେ |
ଏହା ପୂର୍ବରୁ ହାଇକୋର୍ଟ ସୋମବାର ଦିନ ଜଣେ ଛାତ୍ରଙ୍କ ଚିଠିକୁ ନେଇ ବିଚାର କରିଥିଲେ | ଭଣ୍ଡାରା ଜିଲ୍ଲାରେ ରହୁଥିବା ନୀତେଶ ନାମକ ଏହି ଛାତ୍ର ବନ୍ୟାଗ୍ରସ୍ତ ଅଞ୍ଚଳରେ ରହୁଥିବା ପରୀକ୍ଷାର୍ଥୀଙ୍କ ଚିନ୍ତା ପ୍ରକାଶ କରିଥିଲେ ଯେ ସେମାନେ ପରୀକ୍ଷା କେନ୍ଦ୍ର ଯାଏଁ କିଭଳି ପହଞ୍ଚିବେ | ଏଥିପାଇଁ ନୀତେଶ ପରୀକ୍ଷା ସ୍ଥଗିତ ରଖିବାକୁ ଦାବି କରିଥିଲେ | ସେ କହିଛନ୍ତି ଯେ, ନାଗପୁର, ଅମରାବତୀ, ଅକୋଲା, ଚନ୍ଦ୍ରପୁର, ଗୋଂଡିଆ ଏବଂ ଗଣ୍ଡଚିରୌଲି ଭଳି ବନ୍ୟାଗ୍ରସ୍ତ ଜିଲ୍ଲାରେ ପରୀକ୍ଷା ସ୍ଥଗିତ ରଖାଯାଉ |
ସୋମବାର ଦିନ କୋର୍ଟ କେନ୍ଦ୍ର ସରକାର, ମହାରାଷ୍ଟ୍ର ସରକାର, ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ୍ସି ଓ ସମ୍ବନ୍ଧିତ ଜିଲ୍ଲାର ଜିଲ୍ଲା ଅଧିକାରୀଙ୍କୁ ବନ୍ୟାଗ୍ରସ୍ତ ଅଞ୍ଚଳର ଜେଇଇ ମେନ ପରୀକ୍ଷା ସ୍ଥଗିତ ରଖିବା ଉପରେ ବିଚାର କରିବାକୁ କହିଥିଲେ |