ସୋସିଆଲ୍ ମିଡିଆକୁ ସାବଧାନ କଲେ ବମ୍ବେ ହାଇକୋର୍ଟ , କହିଲେ – ‘ବାକ୍ସ୍ବାଧୀନତା ଆଳରେ ସମାଜରେ ସୌହାର୍ଦ୍ଦ୍ୟର କ୍ଷତି କର ନାହିଁ’
22/08/2020 at 4:58 PM

ନୂଆଦିଲ୍ଲୀ ୨୨/୮: ବାକ୍-ସ୍ବାଧୀନତାର ଆଳରେ ସୋସିଆଲ୍ ମିଡିଆରେ ଆପତ୍ତିଜନକ ପୋଷ୍ଟ କରୁଥିବା ବ୍ୟକ୍ତିଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ବମ୍ବେ ହାଇକୋର୍ଟ। ଗତ ଶୁକ୍ରବାର ଏକ ଆବେଦନ ଉପରେ ଶୁଣାଣି କରିବାକୁ ନେଇ ବମ୍ବେ ହାଇକୋର୍ଟ କହିଥିଲେ ଯେ ବାକ୍ ସ୍ବାଧୀନତା ଆଳରେ ୨ଟି ଧାର୍ମିକ ସମୁଦାୟ ମଧ୍ୟରେ ପାରସ୍ପରିକ ସୌହାର୍ଦ୍ଦ୍ୟ ବିଗାଡ଼ିବା ଅନୁଚିତ୍। କୋର୍ଟ ଆଗକୁ କହିଛନ୍ତି,‘ସୋସିଆଲ୍ ମିଡିଆରେ ଏପରି ବିବାଦୀୟ ପୋଷ୍ଟ କରିବା ସମୟରେ ଏସବୁ କଥା ପ୍ରତି ନିଶ୍ଚୟ ଧ୍ୟାନ ରଖିବା ଆବଶ୍ୟକ।’
ଏହି ମାମଲାରେ କୋର୍ଟର ମୁଖ୍ୟ ବିଚାରପତି ଦୀପଙ୍କର ଦତ୍ତ ଏବଂ ଜଷ୍ଟିସ୍ ମାଧବ ଜାମଦାରଙ୍କ ବେଞ୍ଚଙ୍କ କହିବା ଅନୁସାରେ ଭାରତ ଏକ ଧର୍ମନିରପେକ୍ଷ ଦେଶ। ଏଠାରେ ପ୍ରତ୍ୟେକ ସମୁଦାୟକୁ ଅନ୍ୟ ସମୁଦାୟ ସହ ମିତ୍ରତା ବ୍ୟବହାର କରିବା ଉଚିତ୍। ଏହା ସହିତ ଲୋକଙ୍କୁ ବାକ୍ ସ୍ବାଧୀନତାର ଅଧିକାର ଅନ୍ୟ ଧର୍ମକୁ ଧ୍ୟାନରେ ରଖି ବ୍ୟବହାର କରିବା ଉଚିତ୍।
ବେଞ୍ଚ କହିଛନ୍ତି ଯେ ସୋସିଆଲ ମିଡିଆରେ ପୋଷ୍ଟ କରିବା ସମୟରେ ଏହି କଥା ପ୍ରତି ସବୁଠୁ ଅଧିକ ଧ୍ୟାନ ରଖିବା ଆବଶ୍ୟକ। ସେ କହିଛନ୍ତି ଯେ ଆଲୋଚନା ନିରପେକ୍ଷ ଏବଂ ରଚନାତ୍ମକ ହେବା ଆବଶ୍ୟକ। ବାକ୍-ସ୍ବାଧୀନତାର ସାହାଯ୍ୟ ନେଇ ଅନ୍ୟକୁ ଆଘାତ ପହଞ୍ଚାଇବା ଅନୁଚିତ୍।
ବେଞ୍ଚ ଏହି ସମସ୍ତ କଥା ସେହି ସମୟରେ କହିଥିଲେ ଯେତେବେଳେ ଜଣେ ଆବେଦନକାରୀ ଇମରାନ ଖାନଙ୍କ ଆବେଦନ ଉପରେ ଶୁଣାଣି ଚାଲିଥିଲା। ଦାୟର କରାଯାଇଥିବା ଆବେଦନରେ ଦାବି କରାଯାଇଥିଲା ଯେ ଆଇଏମଆଇଏମ ସମର୍ଥକ ଅବୁ ଫୈଜଲ୍ ସୋସିଆଲ୍ ମିଡିଆରେ ବିବାଦୀୟ ବା ଆପତ୍ତିଜନକ ପୋଷ୍ଟ କରୁଛନ୍ତି ଯାହା ଫଳରେ ସାମାଜିକ ସୌହାର୍ଦ୍ଦ୍ୟ ବିଗିଡ଼ିପାରେ।
ଏହା ସହିତ ବେଞ୍ଚ ଆବେଦନକୁ ଗମ୍ଭୀରତାର ସହ ନେଇ ଆବେଦନକାରୀଙ୍କୁ ସୂଚନା ପ୍ରାଦ୍ୟୋଗିକ ଆଇନ୍ ଅନୁସାରେ କେନ୍ଦ୍ର ସରକାରଙ୍କ ଜରିଆରେ ସମ୍ବନ୍ଧିତ ନୋଡାଲ ଅଧିକାରୀଙ୍କ ନିକଟରେ ନିଜର ଅଭିଯୋଗ ରୁଜୁ କରିବା କଥା କହିଥିଲେ ଏବଂ ଏହା ସହିତ ବେଞ୍ଚ ଫୈଜଲଙ୍କ ବିରୋଧରେ ମାମଲା ରୁଜୁ କରିବାର ନିର୍ଦେଶ ଦେବାକୁ ମନା କରି ଦେଇଥିଲେ।
ସମ୍ବିଧାନର ଅନୁଚ୍ଛେଦ ୧୯(୨)ସରକାରଙ୍କୁ ଆଇନ୍ ମୁତାବକ ତର୍କସଙ୍ଗତ କାରଣ ଆଧାରରେ ବାକ୍-ସ୍ବାଧୀନତାର ଅଧିକାର ଉପରେ ଅଙ୍କୁଶ ଲଗାଇବାର ଅନୁମତି ଦେଇଥାଏ। ସରକାର ସୋସିଆଲ୍ ମିଡିଆରେ ବିବାଦୀୟ ପୋଷ୍ଟରେ ଲଗାମ ଲଗାଇବା ପାଇଁ ଅନୁଚ୍ଛେଦ୧୯(୨) ଅନୁସାରେ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିପାରେ।