'ବେଙ୍ଗାଲୁରୁ ସହରକୁ ବୋମାରେ ଉଡ଼ାଇ ଦେବୁ', କର୍ଣ୍ଣାଟକ ସରକାରଙ୍କୁ ଇ-ମେଲ୍‌ରେ ଧମକ

Published By : Prameya-News7 Bureau | March 05, 2024 IST

ବେଙ୍ଗାଲୁରୁ: ବେଙ୍ଗାଲୁରୁକୁ ବୋମାରେ ଉଡାଇ ଦେବାକୁ ଧମକ। ଏହି ଧମକ ଇମେଲ ମାଧ୍ୟମରେ ପଠାଯାଇଛି। ଏହି ମେଲରେ କୁହାଯାଇଛି ଯେ ଶନିବାର ବେଙ୍ଗାଲୁରୁରେ ବୋମା ବିସ୍ଫୋରଣ ହେବ। ଅପରାହ୍ନ ୨.୪୮ରେ ସହରରେ ବୋମା ବିସ୍ଫୋରଣ ହେବ, ଯେଉଁଥିରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା, ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର, ଗୃହମନ୍ତ୍ରୀ ଏବଂ ବେଙ୍ଗାଲୁରୁ ପୋଲିସ କମିଶନରଙ୍କୁ ଟାର୍ଗେଟ କରାଯିବ। ସହିଦ ଖାନ ନାମକ ଜଣେ ବ୍ୟକ୍ତି ଏହି ଇମେଲ ପଠାଇଛନ୍ତି।

ଏହା ସହିତ ବସ୍, ଟ୍ରେନ୍, ମନ୍ଦିର, ହୋଟେଲ ଏବଂ ଏପରିକି ଆମ୍ବାରି ପର୍ବରେ ବୋମା ଲଗାଯାଇଛି ବୋଲି ଧମକ ଦିଆଯାଇଛି। ଧମକପୂର୍ଣ୍ଣ ଇମେଲ ପାଇବା ପରେ ଅଧିକାରୀମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ସାଇବର କ୍ରାଇମ ଷ୍ଟେସନରେ ଏଫଆଇଆର ପଞ୍ଜିକରଣ କରି ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ରିପୋର୍ଟ ଅନୁଯାୟୀ, ବେଙ୍ଗାଲୁରୁ ପୋଲିସ କମିଶନରଙ୍କୁ ଅଲଗା ଧମକ ମିଳିଛି। ଏହା ପରିସ୍ଥିତିକୁ ଅଧିକ ଗମ୍ଭୀର କରିଦେଇଛି।

ଏହି ଘଟଣାର ତଦନ୍ତ ପାଇଁ ବାଙ୍ଗାଲୋର ସାଇବର କ୍ରାଇମ ପୋଲିସର ଏକ ଟିମ୍ ନିୟୋଜିତ କରାଯାଇଛି। ଏହି ଧମକପୂର୍ଣ୍ଣ ଇମେଲ ପରେ କର୍ଣ୍ଣାଟକରେ ଏକ ସତର୍କତାମୂଳକ ପଦକ୍ଷେପ ଭାବରେ ସୁରକ୍ଷା ବୃଦ୍ଧି କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.