୧୯୦ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନକୁ ବୋମା ଧମକ: ସର୍ଚ୍ଚ ଅପରେସନରେ କିଛି ମିଳିଲାନି
22/01/2023 at 11:14 PM

ନୂଆଦିଲ୍ଲୀ: ୧୯୦ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନକୁ ମିଳିଲା ବୋମା ଧମକ। ବିମାନରେ ବୋମା ଅଛି ବୋଲି ଧମକ ମିଳିବା ପରେ ରାୟନଏୟାର ଫ୍ଲାଇଟ୍ର ଗତିପଥ ବଦଳାଇ ଦିଆଯାଇଥିଲା।
ବିମାନଟି ପୋଲାଣ୍ଡରୁ ଗ୍ରୀସ୍ ଯାଉଥିବା ବେଳେ ବୋମା ଧମକ ମିଳିଥିଲା ବୋଲି ଗ୍ରୀକ୍ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ବୋମା ଧମକ ମିଳିବା ପରେ ଯୁଦ୍ଧକାଳୀନ ଭିତ୍ତିରେ ବିମାନଟି ଆଥେନ୍ସ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଲ୍ୟାଣ୍ଡିଂ କରାଯାଇଛି। ମିଳିଥିବା ଧମକ ସତ ନା ଗୁଜବ ତାର ତଦାରଖ ପାଇଁ ବିମାନରେ ବୋମ ନିଷ୍କ୍ରିୟକାରୀ ଦଳ ଓ ପୁଲିସ ଟିମ୍ ପହଞ୍ଚି ସର୍ଚ୍ଚ ଅପରେସନ କରାଯାଇଥିଲା। ଯାତ୍ରୀମାନଙ୍କୁ ବିମାନରୁ ଓହ୍ଲାଇଯିବାକୁ କୁହାଯିବା ସହ ସେମାନଙ୍କ ଲଗେଜ୍ ସବୁ ଚେକ୍ କରାଯାଇଥିଲା। ହେଲେ ବିମାନରେ କୌଣସି ବିସ୍ଫୋରକ ସାମଗ୍ରୀ ମିଳି ନଥିବା ସୂଚନା ମିଳିଛି।
ଏହା ପୂର୍ବରୁ ମସ୍କୋ-ଗୋଆ ଫ୍ଲାଇଟ୍ ଅଜୁର ଲାଇନ୍ସକୁ ବୋମା ଧମକ ମିଳିଥିଲା। ଗୋଆ ବିମାନବନ୍ଦରକୁ ମେଲ୍ ଯୋଗେ ଏହି ଧମକ ମିଳିବା ପରେ ଏହାକୁ ଭାରତ ସୀମାରେ ପ୍ରବେଶ କରିବାକୁ ନ ଦିଆଯାଇ ଗତପଥ ବଦଳାଇ ଉଜବେକିସ୍ତାନରେ ଲାଣ୍ଡିଂ କରାଯାଇଥିଲା। ଋଷର ପେରମ୍ ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟରୁ ଅଜୁର ଲାଇନ୍ସର ପ୍ଲେନ୍ ଗୋଆ ଆସୁଥିଲା। ଏଥିରେ ୨ଜଣ ଛୋଟ ପିଲା ଏବଂ ୭ କ୍ରିୟୁ ମେମ୍ବର ସହିତ ମୋଟ୍ ୨୩୮ଜଣ ଯାତ୍ରୀ ଥିଲେ ।
ଏହି ବିମାନଟି ସକାଳ ସାଢେ ୪ଟାରେ ଦକ୍ଷିଣ ଗୋଆର ଡାବୋଲିମ୍ ବିମାନବନ୍ଦରରେ ଅବତରଣ କରିଥାନ୍ତା । ହେଲେ ରାତି ୧୨ଟା ବେଳେ ଇ-ମେଲ୍ ଯୋଗେ ବୋମା ଧମକ ଆସିଲା। ପରେ ବିମାନର ଗତିପଥ ବଦଳାଇ ଉଜବେକିସ୍ତାନରେ ଏହାକୁ ଲାଣ୍ଡିଂ କରାଯାଇଥିଲା।