ମସ୍କୋ-ଗୋଆ ବିମାନରେ ପୁଣି ବୋମା ଆତଙ୍କ, ଭାରତୀୟ ବାୟୁସୀମାରେ ପ୍ରବେଶ ପୂର୍ବରୁ ଗତିପଥ ପରିବର୍ତ୍ତନ
21/01/2023 at 1:27 PM

ଗୋଆ: ଋଷୀୟ ବିମାନରେ ବୋମା ଆତଙ୍କ । ମସ୍କୋ-ଗୋଆ ଫ୍ଲାଇଟ୍ ବିସ୍ଫୋରକ ପଦର୍ଥ ଥିବା ଧମକ ମିଳିଛି । ଚାର୍ଟାଡ୍ ଫ୍ଲାଇଟରେ ସୁରକ୍ଷା ଆଲର୍ଟ ଜାରି କରାଯିବା ସହିତ ଉଜବେକିସ୍ତାନରୁ ବିମାନର ଗତିପଥ ପରିବର୍ତ୍ତନ କରାଯାଇଛି । ଋଷର ପେରମ୍ ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟରୁ ଅଜୁର ଲାଇନ୍ସର ପ୍ଲେନ୍ ଗୋଆ ଆସୁଥିଲା । ଏଥିରେ ୨ଜଣ ଛୋଟ ପିଲା ଏବଂ ୭ କ୍ରିୟୁ ମେମ୍ବର ସହିତ ମୋଟ୍ ୨୩୮ଜଣ ଯାତ୍ରୀ ଥିଲେ ।
ମିଡିଆ ରିପୋର୍ଟ ମୁତାବକ, ଏହାର ସୂଚନା ଜଣେ ବରିଷ୍ଠ ପୋଲିସ ଅଧିକାରୀ ଦେଇଛନ୍ତି । ଅଜୁର ଏୟାରଲାଇନ୍ସର ବିମାନ ସକାଳ ସାଢେ ୪ଟାରେ ଦକ୍ଷିଣ ଗୋଆର ଡାବୋଲିମ୍ ବିମାନବନ୍ଦରରେ ଅବତରଣ କରିଥାନ୍ତା । ହେଲେ ବିମାନ ଭାରତୀୟ ବାୟୁସୀମାରେ ପ୍ରବେଶ କରିବା ପୂର୍ବରୁ ଏହାର ଗତିପଥ ବଦଳିଛି। ବିମାନବନ୍ଦର ନିର୍ଦ୍ଦେଶକଙ୍କୁ ସାଢେ ୧୨ଟା ବେଳେ ଏକ ଇ-ମେଲ୍ ଆସିଥିଲା । ବିମାନରେ ବିସ୍ଫୋରକ ପଦାର୍ଥ ଥିବା ନେଇ ସୂଚନା ମିଳିବା ପରେ ଋଷୀୟ ଫ୍ଲାଇଟର ଗତିପଥ ପରିବର୍ତ୍ତନ କରାଯାଇଛି ।
ଗତ ୧୧ ଦିନ ମଧ୍ୟରେ ଅଜୁର ଏୟାରଲାଇନ୍ସରେ ଏଭଳି ଦୁଇଟି ଘଟଣା ଘଟିଛି । ଜାନୁଆରୀ ୯ତାରିଖ ରାତିରେ ମସ୍କୋରୁ ଗୋଆ ଆସୁଥିବା ବିମାନକୁ ଜାମନଗର ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ କରାଯାଇଥିଲା । ବିମାନରେ ବମ୍ ଥିବା ନେଇ ଏୟାର ଟ୍ରାଫିକ୍ କଣ୍ଟ୍ରୋଲରଙ୍କୁ ଇ-ମେଲ୍ ଆସିବା ପରେ ଏହାକୁ ଜାମନଗରରେ ଅବତରଣ କରାଯାଇଥିଲା ।