ଭେଟେରାନ୍ ଅଭିନେତା ଋଷି କପୁରଙ୍କ ବିଗିଡିଲା ସ୍ବାସ୍ଥ୍ୟାବସ୍ଥା, ମୁମ୍ବାଇର ଏକ ଡାକ୍ତରଖାନାରେ ଭର୍ତ୍ତି

Published By : Prameya-News7 Bureau | April 30, 2020 IST

ମୁମ୍ବାଇ ୩୦।୪: ବଲିଉଡର ପ୍ରସିଦ୍ଧ ଅଭିନେତା ଋଷି କପୁର ବୁଧବାର ମୁମ୍ବାଇର ଏଚଏନ ରିଲାଏନ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଗତ କିଛି ଦିନ ହେବ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଥିଲା । ତାଙ୍କ ପତ୍ନୀ ନୀତୁ ସିଂ ତାଙ୍କ ସହିତ ଡାକ୍ତରଖାନାରେ ଅଛନ୍ତି । ଋଷି କପୁରଙ୍କ ଡାକ୍ତରଖାନାରେ ଭର୍ତ୍ତି ହେବା ନେଇ ତାଙ୍କ ବଡ ଭାଇ ରଣଧୀର କପୁର ସୂଚନା ଦେଇଛନ୍ତି ।

ଋଷି କପୁରଙ୍କୁ ବୁଧବାର ଦିନ ତାଙ୍କ ପରିବାରଲୋକ ଏଚଏନ ରିଲାଏନ୍ସ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ସେ ଡାକ୍ତରଖାନାରେ ଅଛନ୍ତି ବୋଲି ରଣଧୀର କହିଛନ୍ତି । ସେ କର୍କଟ ରୋଗରେ ପୀଡିତ ଏବଂ ନିଶ୍ବାସ ନେବାରେ ଅସୁବିଧା ଭୋଗୁଥିବା ଯୋଗୁଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ରହିଛି ।

ଗତ ବର୍ଷ ସେପ୍ଟେମ୍ବରରେ ଋଷି କପୁର ଆମେରିକାରୁ ଭାରତ ଫେରିଥିଲେ । ସେ ସେଠାରେ ପ୍ରାୟ ଏକ ବର୍ଷ ଧରି କର୍କଟ ରୋଗର ଚିକିତ୍ସା କରାଇଥିଲେ । ୨୦୧୮ ମସିହାରେ ସେ କର୍କଟ ରୋଗରେ ପୀଡିତ ଥିବା ଜଣାପଡିଥିଲା । ଏହାପରେ ସେ ପ୍ରାୟ ଏକ ବର୍ଷ ପର୍ଯ୍ୟନ୍ତ ନ୍ୟୁୟର୍କରେ ରହି ଚିକିତ୍ସା କରାଇଥିଲେ । ନୀତୁ ସିଂ ଏଭଳି ସମୟରେ ଋଷି କପୁରଙ୍କ ସହ ଛିଡା ହୋଇଛନ୍ତି । ଯେତେବେଳେ ଋଷି କପୁର ଚିକିତ୍ସା ପାଇଁ ନ୍ୟୁୟର୍କରେ ଥିଲେ ନୀତୁ ସିଂ ତାଙ୍କ ସହିତ ରହିଥିଲେ ।

ସୂଚନାଯୋଗ୍ୟ ଯେ, ବୁଧବାର ସକାଳେ ବଲିଉଡ ଅଭିନେତା ଇରଫାନ ଖାନଙ୍କ ପରଲୋକ ହୋଇଛି । ସେ ମଧ୍ୟ ଦୁଇ ବର୍ଷ ଧରି କ୍ୟାନସର ରୋଗରେ ପୀଡିତ ଥିଲେ । ହଠାତ୍ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ମଙ୍ଗଳବାର ଦିନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ବୁଧବାର ସକାଳ ତାଙ୍କର ଦେହାନ୍ତ ହୋଇଥିଲା । ତାଙ୍କ ପରଲୋକରେ ସାରା ବଲିଉଡ୍ ଜଗତରେ ଶୋକର ଛାୟା ଖେଳିଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.