ନୂଆଦିଲ୍ଲୀ,୨୬/୦୭: କାର୍ଗିଲ୍ ଯୁଦ୍ଧକୁ ପୁରିଛି ୨୫ ବର୍ଷ। ସାରା ଦେଶ ଏହି ଦିନକୁ କରୁଛି ପାଳନ। ସହୀଦଙ୍କୁ ମନେ ପକାଇ ଭାରତର ବିଜୟ ରଥକୁ ଆଗକୁ ନେଇଥିବା ସାହସୀ ବୀରଙ୍କ ଗୌରବ ଗାଥା ଗାଉଛି ପୂରା ଦେଶ। ତେବେ କାର୍ଗିଲ ଯୁଦ୍ଧ ବଡ ପରଦାରେ ସବୁଠୁ ପ୍ରସିଦ୍ଧ ଯୁଦ୍ଧ। ଏହି ଯୁଦ୍ଧ ଉପରେ ସବୁଠୁ ଅଧିକା ସିନେମା ନିର୍ମିତ ହୋଇଛି। ସେଥିପାଇଁ ସିନେମା ଓ କଳାକାର ଏହି ଯୁଦ୍ଧକୁ ମନେ ପକାଇଛନ୍ତି। ଅନ୍ୟପଟେ ବଲିଉଡ୍ ଇଣ୍ଡଷ୍ଟ୍ରିରେ କିଛି କଳାକାର ଅଛନ୍ତି ଯେଉଁମାନେ ଏହି ଯୁଦ୍ଧ ସହିତ ସିଧାସଳଖ ଜଡ଼ିତ। ରିଲ୍ ନୁହେଁ ରିଅଲରେ।
୧. ଅନୁଷ୍କା ଶର୍ମା - ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ବାପା କର୍ଣ୍ଣେଲ ଅଜୟ ଶର୍ମା କାର୍ଗିଲ ଯୁଦ୍ଧର ଏକ ଅଂଶ ଥିଲେ। ୧୯୮୨ ପରଠାରୁ ଅନୁଷ୍କାଙ୍କ ବାପା ପ୍ରତ୍ୟେକ ପ୍ରମୁଖ ସେନା ଅପରେସନରେ ଅଂଶ ରହିଛନ୍ତି। ଏଥିରେ ଅପରେସନ୍ ବ୍ଲୁ ଷ୍ଟାର ଏବଂ କାର୍ଗିଲ୍ ୱାର୍ ସାମିଲ୍। ଅନୁଷ୍କା କହିଥିଲେ ଯେ ଯେତେବେଳେ କାର୍ଗିଲ ଯୁଦ୍ଧ ଚାଲିଥିଲା, ସେତେବେଳେ ସେ ଏସବୁ ବୁଝିବା ପାଇଁ ବହୁତ ଛୋଟ ଥିଲେ। ଯୁଦ୍ଧ ସମୟରେ ବି ଅନୁଷ୍କା ନିଜ ବାପାଙ୍କ ସହ ସ୍କୁଲ ଏବଂ ତାଙ୍କ ବୟଫ୍ରେଣ୍ଡ୍ ବିଷୟରେ କଥା ହେଉଥିଲେ । ଯଦିଓ ସେ ମଧ୍ୟ ଡରି ଯାଇଥିଲେ, କାରଣ ତାଙ୍କ ମା ସବୁବେଳେ ଯୁଦ୍ଧ ଅପଡେଟ୍ ପାଇଁ ଟିଭି ଚାଲୁ ରଖୁଥିଲେ।
୨. ଗୁଲ୍ ପନାଗ୍- ଡୋର, ରଣ ଓ ପାତାଲ ଲୋକରେ ନଜର ଆସିଥିବା ଗୁଲ୍ ପନାଗଙ୍କ ବାପା ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ହରଚରଣଜିତ ସିଂ ପନାଗ । ସେ ସମ୍ମାନର ଅଧିକାରୀ। କାର୍ଗିଲ ଯୁଦ୍ଧ ଆନୁଷ୍ଠାନିକ ଭାବରେ ଜୁଲାଇ ୧୯୯୯ରେ ଶେଷ ହୋଇଥିଲା, କିନ୍ତୁ ପରେ ବି ସେନା ପାଇଁ ଥିଲା ବଡ଼ ଟାସ୍କ। ଜାନୁଆରୀ ୨୦୦୦ରେ, ହରଚରଣଜିତ୍ ସିଂ ପନାଗ ବ୍ରିଗେଡିୟର୍ କମାଣ୍ଡର ଭାବରେ କାର୍ଗିଲ ଯୁଦ୍ଧର କେନ୍ଦ୍ରସ୍ଥଳ ୟାଲଡୋର ସେକ୍ଟରରେ ଏକ ଅପରେସନର ନେତୃତ୍ୱ ନେଇଥିଲେ। ଯେଉଁଥିରେ 35 ପାକିସ୍ତାନୀ ବଙ୍କର ନଷ୍ଟ ହୋଇଯାଇଥିଲା । LoC ରେ ଅନେକ ପାକିସ୍ତାନୀ ସୈନିକ ନିହତ ହୋଇଥିଲେ। ୨୦୦୦-୨୦୦୧ ମସିହାରେ, ସେ 'ଅପରେସନ୍ କବାଡି' ସମେତ ଅନେକ ଅପରେସନର ନେତୃତ୍ୱ ନେଇଥିଲେ, ଯେଉଁଥିରେ LoC ଉପରେ ପାକିସ୍ତାନୀ ସେନା ପୋଷ୍ଟ ନଷ୍ଟ ହୋଇଯାଇଥିଲା।
୩. ବିକ୍ରମଜିତ୍ କୱଁରପାଲ - 'ପେଜ୍- ୩', 'ଡନ୍', '୨ ଷ୍ଟେଟ୍ସ' ପରି ଅନେକ ଚଳଚ୍ଚିତ୍ର ଏବଂ ଟିଭି ଶୋ’ରେ ଅଭିନୟ କରିଥିବା ଅଭିନେତା ବିକ୍ରମଜିତ୍ କୱଁରପାଲ ୨୦୦୨ରେ ମେଜର ପଦ ସହ ଅବସର ନେଇଥିଲେ। ୨୦୨୧ରେ କୋଭିଡ କାରଣରୁ ୫୨ ବର୍ଷ ବୟସରେ ଦେହାନ୍ତ ହୋଇଥିଲେ। ବିକ୍ରମଜିତଙ୍କ ମୃତ୍ୟୁ ପରେ ତାଙ୍କ ପିଲାଦିନର ବନ୍ଧୁ ଇ ଟାଇମ୍ସକୁ କହିଥିଲେ ଯେ ସେ ମଧ୍ୟ କାର୍ଗିଲ ଯୁଦ୍ଧର ଏକ ଅଂଶ ଥିଲେ। ସେ ଯୁଦ୍ଧରୁ ଫେରିବା ପରେ ହିଁ ବଲିଉଡରେ ଯୋଗ ଦେଇଥିଲେ। କୌତୁହଳର ବିଷୟ ହେଉଛି, ଭାରତୀୟ ସେନାରେ ମେଜର ଥିବା ବିକ୍ରମଜିତ୍ ୨୦୦୭ ଆସିଥିବା ଫିଲ୍ମ '୧୯୭୧' ରେ ପାକିସ୍ତାନୀ ସେନା ଅଧିକାରୀ କର୍ଣ୍ଣେଲ ଶକୁରଙ୍କ ଭୂମିକାରେ ଅଭିନୟ କରିଥିଲେ।
୪. ନାନା ପାଟେକର - ବଲିଉଡର ଦମଦାର ଅଭିନେତାଙ୍କ ଭିତରେ ଜଣେ ନାନା ପାଟେକର। କାର୍ଗିଲ ଯୁଦ୍ଧ ସମୟରେ କିଛି ସମୟ ଅଭିନୟରୁ ବିରତି ନେଇ ଲାଇଟ୍ ଇନ୍ଫେଣ୍ଟ୍ରି ରେଜିମେଣ୍ଟରେ ଯୋଗ ଦେଇଥିଲେ। ନାନା ପାଟେକର କହିଛନ୍ତି ଯେ, ସେତେବେଳେ ଫର୍ଣ୍ଣାଣ୍ଡିସ୍ ସାହେବ ପ୍ରତିରକ୍ଷା ମନ୍ତ୍ରୀ ଥିଲେ। ମୁଁ ଯୁଦ୍ଧକୁ ଯିବାକୁ ଚାହୁଁଥିଲୁ । ମୁଁ କମାଣ୍ଡୋ ପାଠ୍ୟକ୍ରମ ସମାପ୍ତ କରିଥିଲି। ଜଣେ ଭଲ ସୁଟର । ମୁଁ ମେଡାଲ୍ ବି ପାଇଛି। 'ଯୁଦ୍ଧ ସମୟରେ ସେଠାକୁ ଯିବାକୁ ମୁଁ ଫୋନ୍ କରିଥିଲି। କନ୍ତୁ ଜଣେ ସାଧାରଣ ନାଗରିକ କହି ମନା କରିଦେଲେ। କିନ୍ତୁ ଫର୍ଣ୍ଣାଣ୍ଡିସ୍ ସାର୍ ମୋତେ ଜାଣିଥିଲେ, ଆଉ ମୋତେ ସେ କାର୍ଗିଲ ଯୁଦ୍ଧରେ ସାମିଲ୍ କରିଥିଲେ।
୫. ରଣବିଜୟ ସିଙ୍ଗା - 'MTV ରୋଡିଜ୍' ଫେମ୍ ହୋଷ୍ଟ ତଥା ଅଭିନେତା ରଣବିଜୟ ସିଙ୍ଗା ହୁଏତ ମନୋରଞ୍ଜନ ଶିଳ୍ପରେ ନିଜର ପରିଚୟ ସୃଷ୍ଟି କରିଥିବେ, କିନ୍ତୁ ସେ ସର୍ବଦା ସେନାରେ ଯୋଗଦେବାକୁ ଚାହୁଁଥିଲେ। ଏହାର କାରଣ ହେଉଛି ତାଙ୍କ ବାପା ଲେଫ୍ଟନାଣ୍ଟ ଜେନେରାଲ ଇକବାଲ ସିଂ ସିଙ୍ଗା କାର୍ଗିଲ ଯୁଦ୍ଧର ଅଂଶ ଥିଲେ। ଯୁଦ୍ଧରେ ରେଜିମେଣ୍ଟର ନିର୍ଦ୍ଦେଶ ଦେଉଥିଲେ ଇକବାଲ ସିଂ।