ବଲାଙ୍ଗୀର ୧୧/୮: ଅଭିଯୋଗକାରୀ ହିଁ ଲୁଟେରା । ନିଜେ ନିଜର ଲୁଟ୍ ନାଟକ କରି ପୋଲିସକୁ ଠକିବାକୁ ଚେଷ୍ଟା କରି ଶେଷରେ ଧରାପଡିଛନ୍ତି ୨ ଜଣ ଫାଇନାନ୍ସ କର୍ମଚାରୀ । ଉଭୟଙ୍କୁ ଗିରଫ କରିଛି ବଲାଙ୍ଗୀର ସଦର ପୋଲିସ । ଗିରଫ ୨ ଜଣ ଲୋଇସିଂହା ଥାନା କନ୍ଦାଜୁରି ଗାଁର ଡୋଳାମଣି ପ୍ରଧାନ ଓ ସୋନପୁର ତରଭା ଥାନା ତକର୍ଲା ଗାଁର ସର୍ଜନ ଦନ୍ତା । ସେମାନଙ୍କ ଠାରୁ ନଗଦ ୬୦ ହଜାର ୬୮୦ ଟଙ୍କା ସହ ୨ଟି ମୋବାଇଲ ଓ ବାଇକ ଜବତ ହୋଇଛି ।
ଗତ ୭ ତରିଖରେ ଫୁଲିଝରନ ନିକଟରେ ଉଭୟ ଲୁଟ୍ର ଶିକାର ହୋଇଥିବା ନେଇ ସଦର ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।ତଦନ୍ତ ସମୟରେ ଡୋଳାମଣି ଓ ସର୍ଜନ ଲୁଟ୍ କରିଥିବା ଜଣାପଡିଥିଲା । ନିଜେ ନିଜର ଲୁଟ୍ ନାଟକ କରି ଫାଇନାନ୍ସ କଲେକ୍ସନ ଟଙ୍କା ହଡପ କରିଥିଲେ ।ଉଭୟଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯିବା ନେଇ ସୂଚନା ଦେଇଛନ୍ତି ବଲାଙ୍ଗୀର ଏସ୍ଡିପିଓ ପ୍ରଦୀପ କୁମାର ସାହୁ ।