ମାଇକ୍ରୋପ୍ଲାଷ୍ଟିକ୍‌କୁ ନଷ୍ଟ କରିବ ଫୁଟା ପାଣି, ରିସର୍ଚ୍ଚରୁ ଖୁଲାସା କଲେ ବିଶେଷଜ୍ଞ…

Published By : Prameya-News7 Bureau | March 02, 2024 IST

ନୂଆଦିଲ୍ଲୀ ୦୨।୦୩: ପ୍ଲାଷ୍ଟିକ୍‌ର ବହୁଳ ବ୍ୟବହାର ମାନବ ସ୍ୱାସ୍ଥ୍ୟ ପାଇଁ ବଡ଼ ଚେତାବନୀ । ଖାଦ୍ୟ-ପାନୀୟ ଜରିଆରେ ପ୍ଲାଷ୍ଟିକ୍‌ ଆମ ଶରୀରକୁ ପ୍ରବେଶ କରୁଛି, ଯାହା ଅନେକ ଗମ୍ଭୀର ରୋଗର କାରଣ ହେଉଛି । ବର୍ତ୍ତମାନ ନଳ ପାଣିରୁ ମାଇକ୍ରୋପ୍ଲାଷ୍ଟିକ୍‌ କଣିକା ହ୍ରାସ କରିବାର ଉପାୟ ଆସିଛି । ଅଧ୍ୟୟନ ଅନୁସାରେ, ନଳ ପାଣିକୁ ଫୁଟାଇବା ଦ୍ୱାରା ସୂକ୍ଷ୍ମ ପ୍ଲାଷ୍ଟିକ୍‌ କଣିକା ନଷ୍ଟ ହୋଇଥାଏ ।

{"id":916141,"width":842,"height":562,"sizeSlug":"full","linkDestination":"none"}

ବୈଜ୍ଞାନିକଙ୍କ ଅନୁଯାୟୀ, ମାତ୍ର ୫ ମିନିଟ୍‌ ପାଣିକୁ ଗରମ କରିବା ଦ୍ୱାରା ସେଥିରୁ ୮୦ ଭାଗ ସୂକ୍ଷ୍ମ ପ୍ଲାଷ୍ଟିକ୍‌ କଣିକା ବାହାରିଯାଏ । ୧ ମିଲିମିଟରର ୧ ହଜାରତମ ଭାଗରୁ ୫ ମିଲିମିଟର ଆକାରବିଶିଷ୍ଟ ମାଇକ୍ରୋପ୍ଲାଷ୍ଟିକ୍‌ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟାର କାରଣ ହେଉଛି । ସଦ୍ୟ ଅଧ୍ୟୟନର ନେତୃତ୍ୱ ନେଇଥିବା ଚୀନ୍‌ର ଜିନାନ ବିଶ୍ୱବିଦ୍ୟାଳୟର ଡ. ଇଡି ଜେଙ୍ଗ ନଳ ପାଣି ନମୁନାରେ ମାଇକ୍ରୋପ୍ଲାଷ୍ଟିକ୍‌ର ସ୍ତର ମାପିଥିଲେ ।

{"id":916148,"sizeSlug":"full","linkDestination":"none"}

ପ୍ରତି ଲିଟର ପାଣିରେ ସେମାନେ ହାରାହାରି ୧ ମିଲିଗ୍ରାମ୍‌ ସୂକ୍ଷ୍ମ ପ୍ଲାଷ୍ଟିକ୍‌ କଣିକା ପାଇଲେ । ପାଣିକୁ ସେମାନେ ୫ ମିନିଟ୍‌ ପାଇଁ ଫୁଟାଇଲେ । ତା’ପରେ ପୁଣି ଥରେ ଏହାର ମାଇକ୍ରୋପ୍ଲାଷ୍ଟିକ୍‌ ପରିମାଣକୁ ମାପିଲେ । ଫଳାଫଳ ଅତ୍ୟନ୍ତ ଆଶାଜନକ ଥିଲା । ୫ ମିନିଟ୍‌ ଫୁଟିଥିବା ପାଣିରେ ମାଇକ୍ରୋପ୍ଲାଷ୍ଟିକ୍‌ ମାତ୍ରା ୮୦ ଭାଗରୁ ଅଧିକ ହ୍ରାସ ପାଇଥିଲା ।

{"id":916143,"sizeSlug":"full","linkDestination":"none"}

 ସ୍ୱାସ୍ଥ୍ୟ ଉପରେ ସୂକ୍ଷ୍ମ ପ୍ଲାଷ୍ଟିକ୍‌ କଣିକାଗୁଡ଼ିକର ପ୍ରଭାବକୁ ନେଇ ଅଦ୍ୟାବଧି ଅଧ୍ୟୟନ ଜାରି ରହିଛି । ଏହି ସ୍ଥିତିରେ ସଦ୍ୟ ଅଧ୍ୟୟନର ଫଳ ଦୈନନ୍ଦିନ ଜୀବନରେ ପ୍ଲାଷ୍ଟିକ୍‌ର ପ୍ରଭାବକୁ ହ୍ରାସ କରିବାର ପ୍ରଭାବଶାଳୀ ମାର୍ଗ ପ୍ରଦାନ କରିଛି । ଦୈନିକ ନଳ ପାଣି ଜରିଆରେ ଆମେ ଗ୍ରହଣ କରୁଥିବା ସୂକ୍ଷ୍ମ ପ୍ଲାଷ୍ଟିକ୍‌ ତୁଳନାରେ ଫୁଟା ପାଣି ଜରିଆରେ ଏହାର ମାତ୍ରା ୨-୫ ଗୁଣ କମ୍‌ ହେଉଥିବା ଜେଙ୍ଗ କହିଛନ୍ତି ।

{"id":916144,"sizeSlug":"full","linkDestination":"none"}

ଏହି ସରଳ କିନ୍ତୁ ପ୍ରଭାବଶାଳୀ ମାର୍ଗ ଜରିଆରେ ଘର କାମରେ ବ୍ୟବହୃତ ନଳ ପାଣିରୁ ପ୍ଲାଷ୍ଟିକ୍‌ ମାତ୍ରା ହ୍ରାସ କରାଯାଇପାରିବ । ପାଣି ଜରିଆରେ ପ୍ଲାଷ୍ଟିକ୍‌ ସଂସ୍ପର୍ଶରେ ଆସିବା ଯୋଗୁ ଶରୀରକୁ ହେଉଥିବା କ୍ଷତି ହ୍ରାସ କରିବାରେ ଏହା ପ୍ରଭାବଶାଳୀ ପ୍ରମାଣିତ ହୋଇଛି ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.