ନ୍ୟାୟ ମାଗୁଛି ବୋହୂ, ଶ୍ୱଶୁର ଘର ଆଗରେ ଧାରଣା : କହିଲେ- ଆଗକୁ କଥା ନଯାଉ, ଏଇ ଭିତରେ ସମାଧାନ ହେଇଯାଉ…
29/11/2022 at 2:03 PM

ସାଲେପୁର ୨୯।୧୧ : ଅଗ୍ନିକୁ ସାକ୍ଷୀ ରଖି ସାତ ଜନମ ପାଇଁ ସାଥୀ କରିଥିବା ପତ୍ନୀ ଆଜି ମାଗୁଛି ହକ୍ । ନ୍ୟାୟ ପାଇଁ ସ୍ୱାମୀ ଘର ଆଗରେ ଧାରଣା ଦେବାକୁ ପଡୁଛି । ସକାଳ ଯାଇ ଶୀତୁଆ ରାତିସାରା ଶ୍ୱଶୁର ଘର ସମ୍ମୁଖରେ ବସିରହିଛି ବୋହୂ । ହେଲେ ପତ୍ନୀଙ୍କୁ ମିଳିଲାନି ହକ୍ କି ନ୍ୟାୟ । ସେପଟେ ଘରେ ତାଲା ମାରି ଛୁ ମାରିଛନ୍ତି ସ୍ୱାମୀ ଓ ଶ୍ୱଶୁର ଘର ପରିବାର ।
ଖବର ଅନୁଯାୟୀ, କଟକ ଜିଲ୍ଲା ସାଲେପୁର ଥାନା ମାଛୁଆତି ଗାଁର ସନାତନ ମହାରଣାଙ୍କ ପୁଅ ସୁଷେନ ଢେଙ୍କାନାଳ ଜିଲ୍ଲାର ସତ୍ୟ ନାରାୟଣ ମହାରଣାଙ୍କ ଝିଅ ସସ୍ମିତାଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ୨୦୨୦ ମସିହା ଜୁଲାଇ ମାସ ୧୩ ତାରିଖରେ ହିନ୍ଦୁ ରିତିନୀତିରେ ବିବାହ କରିଥିଲେ। ଆଉ ବିବାହ ସମୟରେ ଶଶୁର ଘର ଲୋକଙ୍କ ଦାବି ମୁତାବକ ଯୌତୁକ ବି ଦେଇଥିଲେ ସସ୍ମିତାଙ୍କ ପରିବାର। ହେଲେ ପରବର୍ତ୍ତୀ ସମୟରେ ଶ୍ୱଶୁର ସନାତନ ମହାରଣା ଅଧିକ ଯୌତୁକ ମାଗିବା ସହିତ କାଳେ ବୋହୁ ଉପରେ ଲୋଲୁପ ଦୃଷ୍ଟି ପକାଉଥିଲେ ଶ୍ଵଶୁର। ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ବୋହୂ ସସ୍ମିତା।
ସେପଟେ ଏଭଳି ଅଭିଯୋଗ ଆଣି ସାଲେପୁର ଥାନାର ଦ୍ୱାରସ୍ଥ ହୋଇଥିଲେ ବୋହୂ ସସ୍ମିତା । କିନ୍ତୁ ଏବେ ଯାଏଁ ପୋଲିସର କାର୍ଯ୍ୟାନୁଷ୍ଠାନ ଶୂନ। ତେଣୁ ପୋଲିସ ଠାରୁ କୈାଣସି ନ୍ୟାୟ ନପାଇବାରୁ ଶେଷରେ ବୋହୂ ସସ୍ମିତା, ଶ୍ଵଶୁରଙ୍କ ଘର ଆଗରେ ଧାରଣାରେ ବସିଲେ। ଏଘଟଣା ଦେଖି ସ୍ଥାନୀୟ କିଛି ମହିଳା ଏବଂ କିଛି ସ୍ବେଛାସେବୀ ସଂଗଠନ ବୋହୂ ସସ୍ମିତାଙ୍କ ସାଙ୍ଗରେ ଧାରଣାରେ ବସିଥିବା ଦେଖିବାକୁ ମିଳିଥିଲା । ସକାଳୁ ସଂଧ୍ୟା ଯାଏଁ ସାଲେପୁର ପୋଲିସ ବୋହୂ ସସ୍ମିତାଙ୍କ ଧାରଣାସ୍ଥଳକୁ ଆସିନଥିଲା। ତେଣୁ ସରକାରଙ୍କ ସ୍ଲୋଗାନ, ମହିଳାଙ୍କୁ ହକ୍ ଏବଂ ତ୍ବରିତ ନ୍ୟାୟ କଥାକୁ ବୋଧହୁଏ ଭୁଲିଗଲା ସାଲେପୁର ପୋଲିସ। ଏ ଶୀତଦିନେ ଖୋଲା ଆକାଶ ତଳେ ଜଣେ ନବ ବିବାହିତା ବଧୂ ନିଜର ହକ୍ ପାଇଁ ଧାରଣା ଦେବା । ଆଉ ପୋଲିସ ସବୁ ଜାଣିଶୁଣି ନିଦାବିଷ୍ଣୁ ପାଲଟିବା ଘଟଣା । ସଭ୍ୟ ସମାଜ ପାଇଁ ଆଦୌ ଗ୍ରହଣୀୟ ନୁହେଁ।