ଫୁଲବାଣୀ ୨୫/୧୧: ଜଙ୍ଗଲରୁ ଯୁବକଙ୍କ କ୍ଷତାକ୍ତ ମୃୃତଦେହ ଉଦ୍ଧାର କଲା ପୋଲିସ। ଏପରି ଘଟଣା କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ରତଙ୍ଗ ପଞ୍ଚାୟତ ସେସ୍କା ଯୋଡ଼ି ଗାଁ ପାଖ ରୁଗୁଡ଼ି ପଦା ଜଙ୍ଗଲରେ ଦେଖିବାକୁ ମିଳଛି। ମୃତକଙ୍କ ପରିଚୟ ସୁଜିତ କୁମାର ନାୟକ (୩୭)। ସେପଟେ ଯୁବକଙ୍କ ମୃତ୍ୟୁକୁ ନେଇ ତାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି।
ଖବର ଅନୁସାରେ, ସୁଜିତ୍ ଗତକାଲି ସନ୍ଧ୍ୟାବେଳେ ଘରୁ ଯାଇ ଆଉ ଘରକୁ ଫେରି ନଥିଲେ। ତାଙ୍କୁ କେହି ହତ୍ୟା କରି ଜଙ୍ଗଲରେ ଫିଙ୍ଗି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତିl ସୁଜିତ୍ ଚାଷ କାମ ସହ ଅଧିକାଂଶ ସମୟରେ ଟେଣ୍ଟ କାମ କରନ୍ତି। ରାସ୍ତା ଠାରୁ ବହୁ ଦୂର ଜଙ୍ଗଲରେ ମୃତ ଦେହ ପଡ଼ିଥିଲା। ମୃତକଙ୍କ ପାଖେ ତାଙ୍କ ଗାଡ଼ି ଚାବିକାଠି ଓ ଶୀତବସ୍ତ୍ର ପଡ଼ିଥିଲା।
ଏପରି ପାରିପାର୍ଶ୍ୱିକ ପରିସ୍ଥିତିକୁ ଦେଖି ଏହା ହତ୍ୟା ସନ୍ଦେହ ସୃଷ୍ଠି କରିଛି ବୋଲି ସ୍ଥାନୀୟ ବାସିନ୍ଦାl ଘଟଣାସ୍ଥଳରେ ସଦର ଏସଡିପିଓ ସୁପ୍ରସନ୍ନ ମଲିକ ଓ ସାଇନ୍ଟିଫିକ୍ ଟିମ୍ ପହଞ୍ଚି ତନାଘନା ଆରମ୍ଭ କରିଛନ୍ତି l ଫିରିଙ୍ଗିଆ ଥାନା ତରଫରୁ ଅଭିଯୋଗ ନମ୍ୱର ୧୭୪/୨୦୨୨ ମୂଳେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ କରାଯାଉଛି ବୋଲି ଫିରିଙ୍ଗିଆ ଥାନା ଅଧିକାରୀ ପ୍ରଦୀପ କୁମାର ରାଉଳ କହିଛନ୍ତି।