ବାପାକୁ ହତ୍ୟା କରି ପୋତିଦେଲା ନୃଶଂସ ପୁଅ
5/01/2023 at 9:35 PM

ଧର୍ମଗଡ଼ ୦୫/୦୧: ବାପାକୁ ହତ୍ୟା କରି ପୋତିଲା ନୃଶଂସ ପୁଅ। ହତ୍ୟାକାଣ୍ଡର ୫ ଦିନ ପରେ ଏହି ଘଟଣା ସାମ୍ନାକୁ ଆସିଛି। ବଡ଼ ଓ ମଝିଆ ପୁଅ ବାପାଙ୍କୁ ଖୋଜାଖୋଜି କରି ନପାଇବାରୁ ଏହି ଅପରାଧ ପଦାରେ ପଡ଼ିଛି। ସେପଟେ ସାନ ପୁଅ ଏହି ନାରକୀୟ କାଣ୍ଡ ଭିଆଇ ଫେରାର ହୋଇଯାଇଛି। ଅଭିଯୁକ୍ତ ତଥା ସାନ ପୁଅର ପରିଚୟ ସୁମନ୍ତ ହରିଜନ। ମୃତକ ବାପା ପରମା ହରିଜନଙ୍କୁ ସେ ପିଟିପିଟି ହତ୍ୟା କରିଛି। ପରେ ତାଙ୍କ ଘର ସାମ୍ନାରେ ଥିବା ଏକ ଭଙ୍ଗା ଘରେ ପୋତି ଦେଇଛି। ଏପରି ଘଟଣା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ କାଡମ ଗାଁରେ ଦେଖିବାକୁ ମିଳିଛି।
ଖବର ଅନୁସାରେ, ନୂଆବର୍ଷ ବା ଜାନୁଆରୀ ୧ରେ ମୃତକ ବାପା ଓ ସାନ ପୁଅ ମଧ୍ୟରେ ଭିଷଣ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍ୟକ୍ତ ହୋଇ ଅଭିଯୁକ୍ତ ସୁମନ୍ତ ବାପା ପରମା ହରିଜନଙ୍କୁ ପିଟି ପିଟି ହତ୍ୟାକରିଥିଲା। ପରେ ମୃତକଙ୍କ ଦେଖା ନମିଳିବାରୁ ବଡ଼ ଓ ମଝିଆ ପୁଅ ସବୁ ଜାଗାରେ ଖୋଜିଥିଲେ। କିନ୍ତୁ କୌଣସି ଜାଗାରେ ବାପାଙ୍କୁ ପାଇନଥିଲେ। ଶେଷରେ ସେ ସାନ ଭାଇ ଘରକୁ ଆସିଥିଲେ। ଅଭିଯୁକ୍ତ ଘର ଆଗରେ ଥିବା ଏକ ଭଙ୍ଗା ଘରେ ସିମେଣ୍ଟ ରଖିଥିଲା। ଏହାକୁ ଦେଖିବାକୁ ୨ ବଡ଼ ଭାଇ ଯିବାବେଳେ ଦୁର୍ଗନ୍ଧ ହୋଇଥିଲା।
ଫଳରେ ଦୁର୍ଗନ୍ଧ କାରଣ ଖୋଜିବାକୁ ସିମେଣ୍ଟ ଥିବା ଘରେ ମାଟି ଖୋଳିଥିଲେ। ପରେ ମାଟି ତଳୁ ବାପାଙ୍କ ମୃତଦେହ ବାହାରି ଥିଲା। ଅନ୍ୟପଟେ ସାନପୁଅ ସୁମନ୍ତ ଏହା ମଧ୍ୟରେ ଘରୁ ଫେରାର ହୋଇଯାଇଥିଲା। ଏନେଇ ବଡ଼ ଓ ମଜିଆ ପୁଅ ଭବାନିପାଟନା ଥାନାରେ ଅଭିଯୋଗ କରିଥିଲେ। ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହାସହିତ ମୃତଦେହ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏହା ସହିତ ଅଭିଯୁକ୍ତର ସ୍ତ୍ରୀଙ୍କୁ ଅଟକ ରଖି ପୋଲିସ ପଚରାଉଚୁରା କରୁଛି।