ପଶ୍ଚିମବଙ୍ଗ ନଦୀନାଳରୁ ମିଳୁଛି ବିଜେପି କର୍ମୀ ଓ କାର୍ଯ୍ୟକର୍ତ୍ତାଙ୍କ ଶବ, ସରକାରୀ ଗୁଣ୍ଡାଙ୍କ କାଣ୍ଡ କହିଲା ପାର୍ଟି

Published By : Prameya-News7 Bureau | November 01, 2020 IST

କୋଲକାତା ୧।୧୧: ଜମ୍ମୁ-କାଶ୍ମୀର ଭଳି ଏବେ ପଶ୍ଚିମବଙ୍ଗରେ ନଦୀନାଳରୁ ମିଳୁଛି ବିଜେପି କର୍ମୀ ଓ କାର୍ଯ୍ୟକର୍ତ୍ତାଙ୍କ ଶବ। ରାଜ୍ୟର ନଦିଆ ଜିଲ୍ଲାରେ ଜନୈକ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଶବ ମିଳିବା ପରେ ରାଜ୍ୟ ବିଜେପି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ମୃତ କାର୍ଯ୍ୟକର୍ତ୍ତାଙ୍କୁ ପାର୍ଟି ବିଜୟ ଶିଲ ଭାବେ ଚିହ୍ନଟ କରିଥିବା ବେଳେ ତାଙ୍କ ବୟସ ମାତ୍ର ୩୪ ବୋଲି କହିଛି। ଜଣେ ସକ୍ରିୟ କାର୍ଯ୍ୟକର୍ତ୍ତା ହୋଇଥିବାରୁ ଶାସକ ଦଳର ଗୁଣ୍ଡାମାନେ ତାଙ୍କୁ ହତ୍ୟା କରି ନଦୀରେ ଭସାଇ ଦେଇଥାଇପାରନ୍ତି ବୋଲି ପଶ୍ଚିମବଙ୍ଗ ବିଜେପି ଟ୍ୱିଟ୍‌ ହ୍ୟାଣ୍ଡଲରେ ସୂଚୀତ କରିଛି।

ରାଜ୍ୟରେ ବିଜେପିକୁ ରୋକିବା ଲାଗି ଶାସକ ଦଳ ଏଭଳି ବର୍ବର କାଣ୍ଡ କରିଚାଲିଥିବା ଦଳ ପକ୍ଷରୁ ଅଭିଯୋଗ କରଯାଇଛି। ତେବେ ରାଜ୍ୟ ବିଜେପି ଏଥିରେ ଡରିଯିବନି ବୋଲି ମଧ୍ୟ ସତର୍କ କରାଇଦେଇଛି। ଅନ୍ୟପକ୍ଷରେ ପ୍ରତି ମୃତ କର୍ମୀ ଓ କାର୍ଯ୍ୟକର୍ତ୍ତାଙ୍କୁ ଦଳ ନିଶ୍ଚିତ ନ୍ୟାୟଦେବ ବୋଲି କହିଛି। ତେବେ ସରକାର ଯଦି ରାଜ୍ୟରେ ଏପରି ରାଜନୈତିକ ହତ୍ୟା ବନ୍ଦ ନ କରନ୍ତି ତେବେ ଆଗାମୀ ଦିନରେ ଏହାର ପରିଣାମ ସରକାରଙ୍କୁ ହିଁ ଭୋଗିବାକୁ ପଡିବ ବୋଲି ମଧ୍ୟ ଦଳ ସତର୍କ କରାଇଛି।

କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓ ମୃତ ବିଜେପି କର୍ମୀଙ୍କୁ ନେଇ ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ଶୋକ ବ୍ୟକ୍ତ କରିଛନ୍ତି। ଘଟଣାକୁ ତୀବ୍ର ନିନ୍ଦା କରିବା ସହ ଏପରି ରାଜନୈତିକ ହତ୍ୟା ବନ୍ଦ ହେଉ ବୋଲି ଦାବି କରିଛନ୍ତି। ସେହିପରି ଦଳୀୟ ନେତା ଅର୍ଜୁନ ସିଂହ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ନିର୍ବାଚନ ସମୟ ପାଖେଇ ଆସୁଥିବା ବେଳେ ଏବେ ବେଙ୍ଗଲରେ ପ୍ରତ୍ୟେକ ଦିନ କୌଣସି ନା କୌଣସି ପାର୍ଟିର କାର୍ଯ୍ୟ କର୍ତ୍ତାଙ୍କ ହତ୍ୟା ଖବର ଲୋକଙ୍କୁ ମିଳୁଛି ବୋଲି ସେ ଅଭିଯୋଗ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.