ଭୋପାଲ: ଆଇପିଏସ୍ କନକ୍ଲେଭ୍ ୱାଟର ସ୍ପୋର୍ଟସ୍ରେ ନୌକା ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ୮ ଯାତ୍ରୀ
20/02/2020 at 5:02 PM

ଭୋପାଲ୨୦।୨: ଏଠାରେ ଚାଲିଥିବା ଭାରତୀୟ ପୋଲିସ ସେବା (ଆପିଏସ୍) କନକ୍ଲେଭରେ ଗୁରବାର ଘଟିଛି ଅଘଟଣ । କାର୍ଯ୍ୟକ୍ରମ ଅବସରରେ ନୌକା ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ଥିବା ସମସ୍ତ ଯାତ୍ରୀ ପାଣିରେ ବୁଡି ଯାଇଥିଲେ। ଏହି ଦୁର୍ଘଟଣା ବଡା ଝିଲରେ ହୋଇଥିଲା। ତେବେ ଅନ୍ୟ ନୌକାମାନେ ତୁରନ୍ତ ଘଟଣାସ୍ଥଳରେ ପହ଼ଞ୍ଚି ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଥିବା ଜଣାପଡିଛି।

ଦୁର୍ଘଟଣାଗ୍ରସ୍ତ ନୌକାରେ ମଧ୍ୟପ୍ରଦେଶ ପୋଲିସ ମହାନିର୍ଦ୍ଦେଶକ ବିଜୟ କୁମାର ସିଂହଙ୍କ ପତ୍ନୀ ମଧ୍ୟ ଥିଲେ। ତେବେ ଯାତ୍ରୀମାନେ ଲାଇଫ ଜ୍ୟାକେଟ୍ ପିନ୍ଧିଥିବାରୁ ଏକ ବଡ ଦୁର୍ଘଟଣା ଟଳିଯାଇଛି। ନୌକା ବୁଡି ଯିବାରୁ ଯାତ୍ରୀମାନେ ପାଣିରେ ପଡି ଚିତ୍କାର କରିଥିଲେ। ହେଲେ ଲାଇଫ ଜ୍ୟାକେଟ୍ ଯୋଗୁ କେହି ପାଣି ତଳକୁ ଯାଇ ନଥିଲେ। ଏଣୁ ଉଦ୍ଧାରକାରୀ ନୌକା ପହ଼ଞ୍ଚି ସମସ୍ତଙ୍କୁ ସକୁଶଳେ କୂଳକୁ ଆଣିଛନ୍ତି।

ଏଠାରେ ଚାଲିଥିବା ଆଇପିଏସ୍ କନକ୍ଲେଭରେ ଆଡଭେଞ୍ଚର ଓ ୱାଟରସ୍ପୋର୍ଟସ କାର୍ଯ୍ୟକ୍ରମ ପୂର୍ବରୁ ନିର୍ଦ୍ଧାରିତ ଥିଲା। ଏଥିରେ ଅଂଶଗ୍ରହଣ କରିଥିବା ପ୍ରତିଭାଗୀମାନେ ଜଳ କ୍ରିଡା ଲାଗି ବଡା ଝିଲକୁ ନୌକାରେ ଯାଇଥିବା ବେଳେ ପାଣି ପଶି ଯିବାରୁ ତାହା ବୁଡି ଯାଇଛି।