ରାଜଧାନୀରେ ଟିକାକରଣ ପାଇଁ ବିଏମସିର ପ୍ରସ୍ତୁତି, ପ୍ରଥମ ପର୍ଯ୍ୟାୟରେ ୩୫ଟି ସେଣ୍ଟର

Published By : Prameya-News7 Bureau | December 31, 2021 IST

ଭୁବନେଶ୍ୱର ୩୧/୧୨: ରାଜଧାନୀରେ ଟିକାକରଣ ନେଇ ବ୍ୟାପକ ପ୍ରସ୍ତୁତି । ୩ ତାରିଖରୁ ୧୫ ରୁ ୧୮ ବର୍ଷ ବୟସ୍କଙ୍କୁ ଟିକା ଦିଆଯିବା ନେଇ ବିଏମସି ସମ୍ପୁର୍ଣ୍ଣ ପ୍ରସ୍ତୁତ । ଏହାସହ ଜାନୁଆରୀ ୧୦ ରୁ ପ୍ରିକସନାରୀ ବା ବୁଷ୍ଟର ଡୋଜ୍ ଦେବା ପାଇଁ ମଧ୍ୟ ବିଏମସି ପୂର୍ଣ୍ଣ ପ୍ରସ୍ତୁତ୍ ଥିବା କମିଶନର କହିଛନ୍ତି । ତେବେ ବିଏମସି ଶୀଘ୍ର ଟିକାକରଣ ସାରିବାକୁ ଲକ୍ଷ୍ୟ ରଖିଛି । ଗତକାଲି ଏନେଇ ବିଏମସି ପକ୍ଷରୁ ଏକ ବୈଠକ କରାଯାଇଥିଲା ।

ବର୍ତ୍ତମାନ ରାଜଧାନୀରେ ମୋଟ ୩୫ଟି ସେଣ୍ଟରରେ ଟିକାକରଣ କରାଯାଉଥିବା ବେଳେ ଆଗକୁ ସେଣ୍ଟର ସଂଖ୍ୟା ବୃଦ୍ଧି କରାଯିବ ନେଇ ସୂଚନା ଦେଇଛନ୍ତି ବିଏମସି କମିଶନର । ଏହାସହ ବିଏମସି ଅଞ୍ଚଳରେ ୧୫ ରୁ ୧୮ ବର୍ଷ ବୟସ ସୀମାରେ ପାଖାପାଖି ୧ ଲକ୍ଷ ଶିଶୁ ଟିକା ନେବାକୁ ଥିବା ବେଳେ ଗଣଶିକ୍ଷା ବିଭାଗ ଚୂଡାନ୍ତ ସଂଖ୍ୟା ଦେବା ପରେ ସ୍କୁଲରେ ନା ନିକଟସ୍ଥ ଟିକା କେନ୍ଦ୍ରରେ ଟିକା ଦିଆଯିବ ସେନେଇ ନିଷ୍ପତ୍ତି ନେବୁ ବୋଲି କମିଶନର କହିଛନ୍ତି ।

ଅନ୍ୟପଟେ ୧୦ ତାରିଖରୁ ବୁଷ୍ଟର ଡୋଜ୍ ନେବେ ସମ୍ମୁଖ ଯୋଦ୍ଧା, ନିର୍ବାଚନୀରେ ଅଂଶଗ୍ରହଣ କରୁଥିବା କର୍ମୀ ଏବଂ ୬୦ ରୁ ଉର୍ଦ୍ଧ୍ୱ ବୟସ୍କ । ତେବେ ଦ୍ୱିତୀୟ ଡୋଜ୍ ଟିକା ନେବାର ୯ ରୁ ୧୨ ମାସ ମଧ୍ୟରେ ବୁଷ୍ଟର ଡୋଜ୍ ନେଇପାରିବେ । ବୁଷ୍ଟର ଡୋଜ୍ ନେବା ପାଇଁ ଦ୍ୱିତୀୟ ଡୋଜ୍ ଟିକାର ସାର୍ଟଫିକେଟ୍ ଏବଂ ଆଧାର କାର୍ଡ ଦେଖାଇ ଟିକା ନେଇପାରିବେ ଜନସାଧାରଣ । ଅନ୍ୟପଟେ ଓମିକ୍ରନ ଭାରିଏଣ୍ଟ ଆସିବା ପରେ ରାଜଧାନୀ ରେ ପଜିଟିଭ୍ ସଂଖ୍ୟା ବଢିଛି ।

ରାଜ୍ୟ ସରକାରଙ୍କ ନୂଆ ଗାଇଡଲାଇନ୍ସ ଅନୁସାରେ ୩୧ ରୁ ୨ ଯାଏଁ ଭୁବନେଶ୍ୱରରେ ଅଧିକ ଏନଫୋର୍ଟମେଣ୍ଟ କରାଯାଉଛି । କମିଶନରେଟ୍ ପୋଲିସ, ବିଏମସି ଏବଂ ଅବକାରୀ ବିଭାଗ ମିଳିତ ଭାବରେ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି । ଆବଶ୍ୟକସ୍ଥଳେ ଗାଇଡଲାଇନର ଉଲଘଂନ ହେଲେ କଠୋର ପଦକ୍ଷେପ ନିଆଯାଉଛି । ଗତକାଲି ଠାରୁ ଏନଫୋର୍ସମେଣ୍ଟ ଆରମ୍ଭ ହୋଇଥିବା ବେଳେ ଆଜି ଓ ଆସନ୍ତାକାଲି ବି ଏନଫୋର୍ସମେଣ୍ଟ ଜାରି ରହିବ ବୋଲି କହିଛନ୍ତି । ସେହିପରି କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ ଟୀକାକରଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.