ଜମି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ, ବାପର ଗଡ଼ିଲା ମୁଣ୍ଡ, ପୁଅ-ପୁତୁରା ଗୁରୁତର

Published By : Prameya-News7 Bureau | July 01, 2022 IST

ଢେଙ୍କାନାଳ: ଜମି ବାଡ଼ି ବିବାଦରୁ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ ସଂଘର୍ଷ । ଏପରିକି କଟୁରି ଓ ଟାଙ୍ଗିଆ ଚୋଟରେ ବିଲ ମୁଣ୍ଡରେ ବାପର ମୁଣ୍ଡ ଗଡିଥିବାବେଳେ ପୁଅ ସମେତ ଦୁଇ ପୁତୁରା ଗୁରୁତର ହୋଇଛନ୍ତି। ଢେଙ୍କାନାଲ ଜିଲ୍ଲା କାମାକ୍ଷାନଗର ଥାନା ଜୟପୁରା କାଟେଣି ଗ୍ରାମରେ ଆଜି ରାତିରେ ଏହି ଦୁଇ ପରିବାର ମଧ୍ୟରେ ଏହି ଗୋଷ୍ଠୀ ସଂଘର୍ଷ ଘଟିଛି । ମୃତକ ହେଲେ ଜୟପୁରାକାଟେଣି ଗ୍ରାମର  ବୈକୁଣ୍ଠ ସାହୁ।  ଗୁରୁତର ମାନେ ହେଲେ ବୈକୁଣ୍ଠ ଙ୍କ ପୁଅ ରୋହିତ ସାହୁ  ଓ ପୁତୁରା ସଞ୍ଜୟ ସାହୁ ଓ ସିଦ୍ଧାର୍ଥ ସାହୁ। ଗୁରୁତର ମାନଙ୍କୁ ପ୍ରଥମେ କାମାକ୍ଷାନଗର ଓ ପରେ ଢେଙ୍କାନାଲ ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇଛି । ଖବର ପାଇ କାମାକ୍ଷାନଗର ଥାନା ପୁଲିସ ପହଂଚି ମୃତ ଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । 

ସୂଚନା ମୁତାବକ, ମୃତ ବୈକୁଣ୍ଠ ସାହୁ ଓ ତାଙ୍କ ଭାଇଙ୍କ ମଧ୍ୟରେ ଏକ ଜମିକୁ ନେଇ ବିବାଦ ଲାଗିରହିଥିଲା। ତେବେ ଆଜି ବିବାଦୀୟ ଜମିରେ  ବୈକୁଣ୍ଠ ଯାଇ ଖୋଳୁଥିଲେ । ଏହାକୁ ନେଇ ତାଙ୍କ ପୁତୁରା ସଞ୍ଜୟ ପ୍ରତିବାଦ କରିବାରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଓ ହାତହାତି ହୋଇଥିଲା। ପରେ ବୈକୁଣ୍ଠଙ୍କ ପୁଅ ଓ ସେପଟୁ  ସଂଜୟଙ୍କ ଭାଇ ଓ  ବାପା ପହଂଚିବାରୁ ବିବାଦ ଉଗ୍ର ରୂପ ନେଇଥିଲା। ଟାଙ୍ଗିଆ ଓ କରୁରୀରେ ପରସ୍ପର ଉପରେ ଆକ୍ରମଣ କରିଥିଲେ ଦୁଇ ପରିବାର। ଫଳରେ ଘଟଣାସ୍ଥଳରେ ଟାଙ୍ଗିଆ ଚୋଟରେ ବୈକୁଣ୍ଠଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ଜଣ ଗୁରୁତର ହୋଇଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.