ବ୍ଲକ୍ ହେବ ଫେକ୍ ବିଦେଶୀ କଲ୍; ଟେଲିକମ୍ କମ୍ପାନୀଙ୍କୁ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

Published By : Prameya-News7 Bureau | May 27, 2024 IST

ନୂଆଦିଲ୍ଲୀ,୨୭/୦୫: ବିଦେଶୀ ଫେକ୍‌ କଲ୍‌ ଦ୍ବାରା ହଇରାଣ ହେଉଛନ୍ତି ଲୋକେ । ଟେଲିକମ୍ ୟୁଜରଙ୍କୁ ଠକେଇ କରିବା ଲକ୍ଷ୍ୟରେ ଏଭଳି କଲ୍‌ ବାରମ୍ବାର ଅସୁଛି । ଏଭଳି କଲ୍‌ ଉପରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଫେକ୍ କଲ୍‌ ଗୁଡିକୁ ବ୍ଲକ୍ କରିବାକୁ ଟେଲିକମ କମ୍ପାନିମାନଙ୍କୁ ସରକାର ନିର୍ଦ୍ଦେଶ  ଦେଇଛନ୍ତି । ଭାରତୀୟ ଗ୍ରାହକଙ୍କ ନିକଟରେ ଏଭଳି କଲ୍‌ ଯେଭଳି ନ ପହଞ୍ଚିବ ସେ ଉପରେ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ କମ୍ପାନିଙ୍କୁ କୁହାଯାଇଛି । 

ଏହି ଆଦେଶ ଅନୁଯାୟୀ, କମ୍ପାନି ପ୍ରଥମେ ଫେକ୍ କଲ୍‌ର ଚିହ୍ନଟ କରିବେ । ଏହାକୁ ତ୍ୱରିତ ଭିତ୍ତିରେ ବ୍ଲକ୍ ମଧ୍ୟ କରିବେ । ଏହି କଲ୍‌ ଗୁଡିକୁ ଚିହ୍ନଟ କରିବାକୁ ଏକ ସିଷ୍ଟମ ବିକଶିତ କରିବାକୁ ମଧ୍ୟ ଟେଲିକମ୍‌ କମ୍ପାନିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏକ ବିବୃତ୍ତିରେ କେନ୍ଦ୍ର ଯୋଗାଯୋଗ   ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ବିଦେଶରୁ ଆସୁଥିବା ଏହି କଲ୍‌ ଗୁଡିକ ବିଶେଷ କରି ସାଇବର  କ୍ରାଇମ୍ ଏବଂ ଆର୍ଥିକ ଠକେଇ ସହ ଜଡିତ । 

କଲିଂ ଲାଇନ୍ ଆଇଡେଣ୍ଟିଟି ବ୍ୟବହାର ଦ୍ୱାରା ଏଭଳି କଲ୍‌ କରାଯାଉଛି । ଏଭଳି କଲ୍‌ ସବୁ ବିଦେଶରୁ ଆସୁଥିଲେ ମଧ୍ୟ ଦେଶର କୌଣସି କଲ୍‌ ଭାବେ ୟୁଜର୍ସଙ୍କୁ ଜଣାପଡୁଛି ।  ଏଭଳି ଟେକ୍ନୋଲୋଜିର ଫାଇଦା ନେଇ ସାଇବର ଅପରାଧି ମାନେ ବେଶ୍ ସକ୍ରିୟ ହେବା ସହ   ଲୋକଙ୍କୁ ବିଭିନ୍ନ ସମୟରେ ଠକେଇ କରୁଛନ୍ତି ।   ବହୁ କୋଟି ଟଙ୍କାର ସାଇବର ଅପରାଧ ସାମ୍ନାକୁ   ଆସୁଛି । ଏମିତିକି ଏମାନେ ଆକାଉଣ୍ଟ ପୋଛି   ଦେଉଛନ୍ତି । ଜାଲ୍‌ ଡିଜିଟାଲ ଆସେଟ, ଫେଡଏକ୍ସ  ସ୍କାମ, କୋରିୟରରେ ଔଷଧ, ନାର୍କୋଟିକ୍ସ,   ପୋଲିସ ଏବଂ ସରକାରୀ ଅଧିକାରୀଙ୍କ ଛଦ୍ମ ନାମରେ ଆସୁଛି । ଏମିତିକି ଟେଲିକମ୍ ବିଭାଗ ଓ ଟ୍ରାଇ ନାମ ବ୍ୟବହାର କରି ଏହି ଅପରାଧି ମାନେ ଲୋକଙ୍କୁ କଲ୍‌ କରୁଛନ୍ତି । ମୋବାଇଲ ନମ୍ବର କାଟି ଦେବାକୁ ଲୋକଙ୍କୁ ଧମକ ଦେଉଛନ୍ତି ।  

ଭାରତୀୟ ଲ୍ୟାଣ୍ଡ ଲାଇନରୁ ଏଭଳି କଲ୍‌  ଆସୁଥିଲେ ଏହାକୁ ବ୍ଲକ କରିବାକୁ ପୂର୍ବରୁ  ଟେଲିକମ୍‌ କମ୍ପାନିଙ୍କୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିଲେ । ଏବେ ବିଦେଶରୁ ଆସୁଥିବା ଏଭଳି କଲ୍‌ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି । ଟେଲିକମ ୟୁଜରଙ୍କ ନିରାପତ୍ତା ଏବଂ ସୁରକ୍ଷାକୁ   ନଜରରେ ରଖି ଟେଲିକମ୍‌ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । 

ଏ ଦିଗରେ ସଞ୍ଚାର ସାଥୀ ପୋର୍ଟାଲ ମଧ୍ୟ ଆସିଛି । ତେବେ ସରକାରଙ୍କ ପଦକ୍ଷେପ ପରେ ମଧ୍ୟ ସାଇବର ଅପରାଧି ମାନେ ବେଶ ସକ୍ରିୟ ହୋଇପଡିଛନ୍ତି ।ସନ୍ଧିଗ୍ଧ କଲ୍‌ଗୁଡିକ ସଞ୍ଚାର ସାଥୀ ପୋର୍ଟାଲରେ ଥିବା ଚାକ୍‌ସୁ ସୁବିଧା ଦ୍ୱାରା ରିପୋର୍ଟ ମାରିବାକୁ ସରକାର କହିଛନ୍ତି । 

ସେହିଭଳି ଠକେଇ କରିବା ଲାଗି ଠକମାନେ ନୂଆ ଉପାୟ ଭାବେ ଡିଜିଟାଲ ଗୃହବନ୍ଦୀକୁ ବ୍ୟବହାର କରୁଛନ୍ତି । ଭାରତୀୟ  ରିଜର୍ଭ ବ୍ୟାଙ୍କ ର ଏକ ରିପୋର୍ଟରୁ  ଜଣାପଡିଛି କି କେବଳ୨୦୨୩ରେ ଦେଶରେ ୩୦ ହଜାର କୋଟି ଟଙ୍କାରୁ ଅଧିକ ସାଇବର ଠକେଇ ହୋଇଛି । ଡିଜିଟାଲ ଗୃହବନ୍ଦୀରେ ନକଲି ଥାନା  ଓ ସରକାରୀ କାର୍ଯ୍ୟାଳୟ ପ୍ରତିଷ୍ଠା କରିବା ଏବଂ  ଇଡି ଅଫିସରଙ୍କ ଭଳି ପୋଷାକ ପରିଧାନ ଆଦି ବିଭିନ୍ନ ଉପାୟ ଅବଲମ୍ବନ କରାଯାଉଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.