କୃଷି ଆଇନକୁ ନେଇ ସୁପ୍ରିମକୋର୍ଟରେ BKU, କହିଲା- 'କର୍ପୋରେଟଙ୍କ ପ୍ରଲୋଭନ ଚାଷକୁ ଧ୍ୱଂସ କରିଦେବ'

Published By : Prameya-News7 Bureau | December 11, 2020 IST

ନୂଆଦିଲ୍ଲୀ ୧୧।୧୨:  ସଂଶୋଧିତ କୃଷି ଆଇନକୁ ନେଇ କୃଷକ ସଙ୍ଗଠନ ସବୁ ରାସ୍ତାରେ କେନ୍ଦ୍ର ସରକାରଙ୍କୁ ଘେରିଛି। ଦିଲ୍ଲୀ ଚଲ୍ଲୋ ଡାକରାରେ ହଜାର ହଜାର କୃଷକ ରାଜଧାନୀ ଦିଲ୍ଲୀକୁ ଚତୁପାର୍ଶ୍ୱରୁ ଘେରାଉ କରିଥିବା ବେଳେ ଶୁକ୍ରବାର ଜନବିରୋଧୀ ଆଇନକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଛି ଭାରତୀୟ କିସାନ ୟୁନିଯନ (ବିକେୟୁ)। ଏ ନେଇ ୟୁନିୟନ ପକ୍ଷରୁ କୋର୍ଟରେ ପିଟିସନ ଦାୟର କରାଯାଇଛି। 

ବିକେୟୁ ସଭାପତି ଭାନୁ ପ୍ରତାପ ସିଂହ କୋର୍ଟରେ ପିଟିସନ ଦାଖଲ କରି କୃଷି ସମ୍ପର୍କିତ ୩ଟି ଯାକ ଆଇନକୁ ଚାଲେଞ୍ଜ କରିଛନ୍ତି। ଆବେଦନକାରୀ ନୂଆ ଆଇନ ଦେଶର ଏହି କ୍ଷେତ୍ରକୁ ଘରୋଇକରଣକୁ ନେଇଯିବ ବୋଲି ଅଭିଯୋଗ କରିଛନ୍ତି। କର୍ପୋରେଟଙ୍କ ପ୍ରଲୋଭନରେ ଚାଷୀ ସର୍ବସ୍ୱ ହରାଇ ବରବାଦ ହୋଇଯିବାର ଆଶଙ୍କା ବ୍ୟକ୍ତ କରିଛନ୍ତି।  ସଂସଦରେ ପ୍ରସ୍ତାବର ପର୍ଯ୍ୟାପ୍ତ ଆଲୋଚନା ନକରି ସରକାର ଏହାକୁ ଏକତରଫା ଆଇନରେ ପରିଣତ କରିଦେଇଥିବା କୃଷକନେତା ଅଭିଯୋଗ କରିଛନ୍ତି। ସରକାର ଏବେ ଆଇନ ପ୍ରଣୟନ କରିସାରିବା ପରେ ଏହା ଉପରେ ଆଲୋଚନା କରିବେବୋଲି କହୁଛନ୍ତି। ହେଲେ ଏଥିରୁ ମଧ୍ୟ ସମାଧାନର କୌଣସି ମାର୍ଗ ଖୋଲିବା ଭଳି ଲାଗୁନି। ଏଣୁ ମାମଲାରେ କୋର୍ଟଙ୍କ ହସ୍ତକ୍ଷେପ ଲାଗି କୃଷକ ସଙ୍ଗଠନ ନିବେଦନ କରିଛି।

ସେପଟେ ମିଳିତ କୃଷକ ସଙ୍ଗଠନ ସରକାରଙ୍କୁ ଘେରିବା ଲାଗି ଆନ୍ଦୋଳନର ନୂଆ ରଣନୀତି ପ୍ରସ୍ତୁତ କରୁଛି। ଏଥିରେ ଡିସେମ୍ବର ୧୪ରୁ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି କୃଷକ ନେତା ରାକେଶ ଟିକୈତ କହିଛନ୍ତି। ଏଥିଲାଗି ସଙ୍ଗଠନମାନେ ବିସ୍ତୃତ ଆଲୋଚନା ଚଳାଇଥିବା ବେଳେ ଖୁବ୍ ଶୀଘ୍ର ଏ ନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି। କୃଷକମାନେ ଏପର୍ଯ୍ୟନ୍ତ ସଡକରେ ଚଳାଇଥିବା ଆନ୍ଦୋଳନକୁ ସାରା ଦେଶରେ ରେଳ ଧାରଣା ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବାକୁ ଯୋଜନା କରୁଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.