ମହିଳା ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ମାମଲାରେ ସାଂସଦ ଅନୁଭବ ମହାନ୍ତିଙ୍କ ଗିରଫ ଦାବିରେ କୁଶ ପୁତ୍ତଳିକା ଦାହ
15/06/2019 at 5:21 PM

କଟକ ୧୫/୬ : ସାଂସଦ ଅନୁଭବ ମହାନ୍ତି ଜଣେ ମହିଳାଙ୍କୁ ଦୁର୍ବ୍ୟହାର କରିଥିବା ଘଟଣାକୁ ନେଇ ଆଜି କଟକ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଗୌରୀଶଙ୍କର ପାର୍କ ଠାରେ ବିଜେପି ଯୁବ ମୋର୍ଚ୍ଚାର ସଦସ୍ୟମାନେ ପ୍ରତିବାଦ କରିବା ସହ ସାଂସଦ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ । ଏହି ଘଟଣାରେ ସେମାନେ ସାଂସଦଙ୍କ ଗିରଫ ଦାବି କରିବା ସହ ତାଙ୍କ ଇସ୍ତଫା ମଧ୍ୟ ଦାବି କରିଛନ୍ତି । ୟେପର୍ଯ୍ୟନ୍ତ ଏହି ଘଟଣାରେ ପିଡିତାଙ୍କୁ ନ୍ୟାୟ ନମିଳିଛି ସେଯାଏଁ ବିଜେପି ସାରା ରାଜ୍ୟରେ ଆନ୍ଦୋଳନ ଜାରି ରଖିବ ବୋଲି ଏମାନେ ଧମକ ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ଜଣେ ସାମ୍ବାଦିକା ଅନୁଭବ ଓ ତାଙ୍କ ବଡ ଭାଇ ଅନୁପ୍ରାସଙ୍କ ନାଁରେ ଦୁର୍ବ୍ୟବହାର ଅଭିଯୋଗ କରିଥିଲେ । ଅନୁଭବ ତାଙ୍କୁ ଗାଳିଗୁଲଜ କରିଥିବା ଯୁବତୀ ଜଣକ ଅଭିଯୋଗ କରିଥିଲେ । ଏନେଇ କଟକ ପୁରୀଘାଟ ଥାନାରେ ଅନୁଭବଙ୍କ ନାଁରେ ଏକ ମାମଲା ରୁଜୁ କରିଥିଲେ । ଅନ୍ୟପଟେ ଅଭିଯୋଗକୁ ଖଣ୍ଡନ କରିଥିଲେ ସାଂସଦ ଅନୁଭବ । ତାଙ୍କ ନାଁକୁ ବଦନାମ କରିବା ପାଇଁ ଏହା ଏକ ଷଡଯନ୍ତ୍ର ବୋଲି ସେ କହିଥିଲେ ।
ଯୁବତୀଙ୍କ ଘର କଟକ ଝାଞ୍ଜିରିମଙ୍ଗଳା । ତାଙ୍କ ନାଁ ସସ୍ମିତା ଆଚାର୍ଯ୍ୟ । ସେ ଏକ ଖବରକାଗଜରେ ଇଣ୍ଟର୍ଣ୍ଣ କରୁଛନ୍ତି । ତେବେ ସେ ଯିବା ରାସ୍ତାରେ ଅନୁଭବଙ୍କ ବଡ ଭାଇ ଅନୁପ୍ରାସ ମହାନ୍ତି ନିଜ ବନ୍ଧୁଙ୍କ ସହିତ ତାଙ୍କୁ କମେଣ୍ଟ ମାରୁଥିବା ଅଭିଯୋଗ କରିଥିଲେ ସସ୍ମିତା । ଏ ସମ୍ପର୍କରେ ଅନୁଭବଙ୍କୁ ଜଣାଇବା ପାଇଁ ସେ ତାଙ୍କ ଘରକୁ ଯାଇଥିଲେ । ତେବେ ଅନୁଭବ ମଧ୍ୟ ତାଙ୍କୁ ଗାଳିଗୁଲଜ କରିଥିବା ଲିଖିତ ଅଭିଯୋଗ କରିଛନ୍ତି ସସ୍ମିତା । ତାଙ୍କ ଅଭିଯୋଗ ଆଧାରରେ ଦଫା ୨୯୪, ୩୫୪(କ), ୩୨୩, ୩୪ (IPC)ରେ ପୋଲିସ ମାମଲା ରୁଜୁ କରିଥିଲା ।
ଅନ୍ୟପଟେ ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ ଅନୁଭବ । ଅନୁଭବ କହିଛନ୍ତି ଯେ ୧୨ ତାରିଖ ରାତି ପ୍ରାୟ ଗୋଟାଏ ସୁଦ୍ଧା ଯୁବତୀ ଜଣକ ତାଙ୍କ ଘର ଆଗରେ ଆଶି ଅଶାଳୀନ ଭାଷାରେ ଗାଳି ଗୁଲଜ କରିଥିଲେ । ଅନୁଭବ ଓ ତାଙ୍କ ପତ୍ନୀ ବାହାରକୁ ଆସି ଯୁବତୀଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ । ମାତ୍ର ଯୁବତୀ ଜଣକ କୌଣସି କଥା ନଶୁଣିବାରୁ ସେ ନିଜେ ପିସିଆର ଭ୍ୟାନ ଡକାଇ ତାଙ୍କୁ ତାଙ୍କ ଘରକୁ ପଠାଇଥିବା କହିଛନ୍ତି ଅନୁଭବ। ଏହା ସହ ତାଙ୍କ ଭାଇ କିମ୍ବା ସେ ସସ୍ମିତାଙ୍କୁ କୌଣସି ପ୍ରକାର ଖରାପ ବ୍ୟବହାର ପ୍ରଦର୍ଶନ କରିନାହାଁନ୍ତି ବୋଲି ଅନୁଭବ କହିଛନ୍ତି । ତେବେ ତାଙ୍କ ପ୍ରତିଷ୍ଠାରେ ଆଞ୍ଚ ଆଣିବା ପାଇଁ କେହି ଏଭଳି ଷଡଯନ୍ତ୍ର କରୁଥାଇପାରେ ବୋଲି ଅନୁଭବ କହିଛନ୍ତି । ଏହା ସହ ପୋଲିସକୁ ତଦନ୍ତରେ ସବୁ ପ୍ରକାର ସାହାଯ୍ୟ କରିବେ ବୋଲି ସେ କହିଛନ୍ତି ।