ବିବାଦୀୟ ବୟାନ ଅଭିଯୋଗରେ ନିଲମ୍ବିତ ବିଜେପି ବିଧାୟକ ଟି.ରାଜା ସିଂହଙ୍କ ବିରୋଧରେ ପୁଣି ମାମଲା ରୁଜୁ
1/04/2023 at 4:30 PM

ହାଇଦ୍ରାବାଦ: ବିବାଦୀୟ ମନ୍ତବ୍ୟ ପାଇଁ ପୂର୍ବତନ ବିଜେପି ବିଧାୟକ ଟି.ରାଜାଙ୍କ ବିରୋଧରେ ପୁଣି ଥାନାରେ ମାମଲା ରୁଜୁ। ଟି.ରାଜା ହାଇଦ୍ରାବାଦରେ ରାମନବମୀ ରାଲିରେ ବିବାଦୀୟ ବୟାନ ଦେଇଥିବା ଅଭିଯୋଗରେ ଅଫଜଲଗଞ୍ଜ ଥାନାରେ ମାମଲା ହୋଇଛି।
ତାଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋର୍ଟର ଧାରା ୧୫୩ଏ (ଧର୍ମା, ଭାଷା,ସମ୍ପ୍ରଦାୟ, ସ୍ଥାନ, ଜନ୍ମ, ଘର ଆଧାରରେ ଦୁଇ ଭିନ୍ନ ଗୋଷ୍ଠୀ ମଧ୍ୟରେ ଶତ୍ରୁତାକୁ ପ୍ରୋତ୍ସାହନ ଦେବା।)ଲଗାଯାଇଛି। ଏସ୍ଆଇ ଭୀରା ବାବୁ ରାଜାଙ୍କ ବିରୋଧରେ ମାମଲା କରିଛନ୍ତି। ସେ ତାଙ୍କ ଆବେଦନରେ ଦର୍ଶାଇଛନ୍ତି ଯେ ରାମନବମୀ ଉପଲକ୍ଷେ ନିଲମ୍ବିତ ବିଜେପି ବିଧାୟକ ରାଲିରେ ଆଇନଶୃଙ୍ଖଳା ବଜାଇ ରଖିବା ପାଇଁ ତାଙ୍କୁ ଏସ୍ଏ ବଜାରରେ ନିୟୋଜିତ କରାଯାଇଥିଲା।
ଟି.ରାଜା ଏଠି ରାଲି କଲାବେଳେ ଶାଙ୍କେର ଶେର୍ ହୋଟେଲ ପାଖରେ ହିଂସା ଉଦ୍ରେକକାରୀ ଭାଷଣ ଦେଇଛନ୍ତି। ଯାହାର ଭିଡିଓ କିର୍ତ୍ତୀକୁମାର ନାମକ ଜଣେ କନଷ୍ଟେବଲ ରେକର୍ଡ କରିବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ଏହି ମାମଲାରେ ତଦନ୍ତ ପାଇଁ ଷ୍ଟେସନ ହାଉସ ଅଫିସର ରବିନ୍ଦର ରେଡ୍ଡୀଙ୍କୁ ଦାୟିତ୍ୱ ଦିଆଯାଇଛି।
ସୂଚନା ଅନୁସାରେ, ରାମନବମୀ ଦିନ ଏକ ହାତୀ ପିଠିରେ ଚଢ଼ି ଶୋଭାଯାତ୍ରା କରିଥିଲେ ରାଜା ସିଂହ। ରାତି ୯ଟା ବେଳେ ଏସ୍ଏ ବଜାରରେ ପହଞ୍ଚିଥିଲେ। ସବୁବେଳେ ବିବାଦୀୟ ବୟାନକୁ ନେଇ ଚର୍ଚ୍ଚାରେ ରହିଥିବା ରାଜା ସିଂହ ଏଠି ବି ବିବାଦୀୟ ବୟାନ ଦେଇଥିଲେ। ସେ କହିଥିଲେ ଯେ ଯଦି ଭାରତ ହିନ୍ଦୁ ରାଷ୍ଟ୍ର ହେବ। ତେବେ ଯେଉଁମାନେ ଆମେ ଦୁଇ ଆମର ଦୁଇ ନୀତିରେ ବିଶ୍ୱାସ କରନ୍ତି ସେମାନଙ୍କୁ ହିଁ ଭୋଟ୍ ଦେବାର ଅଧିକାର ମିଳିବ।
ସେ ଆହୁରି ମଧ୍ୟ କହିଛନ୍ତି “ ହିନ୍ଦୁ ରାଷ୍ଟ୍ର କେମିତି ହେବା ଦରକାର ଆମ ସନ୍ଥମାନେ ଏହାର ଚିତ୍ରାଙ୍କନ କରିସାରିଲେଣି। ଏହାର ସମ୍ବିଧାନ ମଧ୍ୟ ତିଆର ସରିଲାଣି। ହିନ୍ଦୁ ରାଷ୍ଟ୍ରର ରାଜଧାନୀ ଦିଲ୍ଲୀ ହେବ ନାହିଁ ବରଂ କାଶୀ, ମଥୁରା କିମ୍ବା ଅଯୋଧ୍ୟାରେ ହେବ। ହିନ୍ଦୁ ରାଷ୍ଟ୍ରରେ କୃଷକଙ୍କ ପାଇଁ କର ମୁକ୍ତ ହେବ। ଏହି ରାଷ୍ଟ୍ରରେ କେହି ଜଣେ ହେଲେ ଗୋବଦ୍ଧକାରୀ ରହିବେ ନାହିଁ।
ଚଳିତ ବର୍ଷ ଜାନୁଆରୀ ମାସରେ ବି ରାଜାଙ୍କ ବିରୋଧରେ ମାମଲା ହୋଇଥିଲା। ଜାନୁଆରୀ ୨୯ ତାରିଖରେ ମୁମ୍ବାଇରେ ଆୟୋଜିତ ସକଳ ହିନ୍ଦୁ ସମଜା ରାଲି ଯୋଗ ଦେଇ ଟି. ରାଜା ବିବାଦୀୟ ବୟାନ ଦେଇଥିଲେ। ଏହାପରେ ତାଙ୍କ ବିରୋଧରେ ମାମଲା ହୋଇଥିଲା।”