ଆସାମରେ କ୍ଷମତାକୁ ଫେରିବ ବିଜେପି, ମୁଖ୍ୟମନ୍ତ୍ରୀ ଭାବେ ସର୍ବାନନ୍ଦ ପ୍ରଥମ ପସନ୍ଦ: ଏବିପି ନ୍ୟୁଜ୍ ସି ଭୋଟର ସର୍ଭେ

Published By : Prameya-News7 Bureau | February 27, 2021 IST

ନୂଆଦିଲ୍ଲୀ ୨୭।୦୨: ନିର୍ବାଚନ ଆୟୋଗ ଗତକାଲି ପାଞ୍ଚ ରାଜ୍ୟ ପାଇଁ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଏହି ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନକୁ ସେମି ଫାଇନାଲ ଭାବେ ଦେଖାଯାଉଛି। ଉତ୍ତର ପୂର୍ବ ରାଜ୍ୟ ଆସାମରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ୧୨୬ ଆସନ ବିଶିଷ୍ଟ ଆସାମ ନିର୍ବାଚନ ତିନୋଟି ପର୍ଯ୍ୟାୟରେ ମତଦାନ ହେବ। ପ୍ରଥମ ପର୍ଯ୍ୟାୟ ମତଦାନ ମାର୍ଚ୍ଚ ୨୭ରେ ହେବାକୁ ଥିବା ବେଳେ ଭୋଟ୍ ଗଣତି ମେ ୨ରେ ହେବ।

ଆସାମରେ କ୍ଷମତାଧାରୀ ବିଜେପି ମେଣ୍ଟ ପୁଣି ଥରେ ସରକାର ଗଠନ କରିବାକୁ ଅଣ୍ଟା ଭିଡିଥିବା ବେଳେ କଂଗ୍ରେସ ମେଣ୍ଟ ବିଜେପିକୁ କ୍ଷମତାଚ୍ୟୁତ୍ କରିବାକୁ ଉଦ୍ୟମ ଚଳାଇଛି। ଆସାମର ରୋଚକ ମୁକାବିଲା ମଧ୍ୟରେ ଏବିପି ନ୍ୟୁଜ୍ ଭୋଟରଙ୍କ ମୋଡ୍ ପରଖିଛି। ଆସାମ ବିଧାନସଭା ନିର୍ବାଚନକୁ ନେଇ ଏବିପି ସର୍ଭେ କରିଛି।

ଏବିପି ନ୍ୟୁଜ୍ ସି ଭୋଟରର ଓପିନିୟନ ପୋଲ୍ ଅନୁଯାୟୀ ଆସାମରେ ବିଜେପିକୁ ୪୨ ପ୍ରତିଶତ ଭୋଟ୍ ମିଳିବ ବୋଲି ଆଶା କରାଯାଉଛି। ଅନ୍ୟପଟେ କଂଗ୍ରେସ ମେଣ୍ଟକୁ ୩୧ ପ୍ରତିଶତ ଏବଂ ଅନ୍ୟ ଖାତାରେ ୨୪ ପ୍ରତିଶତ ଭୋଟ୍ ଯାଉଥିବା ଓପିନିୟନ ପୋଲ୍‌ରୁ ଜଣା ପଡିଛି।

କାହାକୁ ମିଳିବ କେତେ ସିଟ୍

ଏବିପି ନ୍ୟୁଜ୍ ସି ଭୋଟରର ଓପିନିୟନ ପୋଲ୍ ଅନୁଯାୟୀ, ଆସାମରେ ବିଜେପି ମେଣ୍ଟକୁ ୬୮ ରୁ ୭୬ ଆସନରେ ବିଜୟୀ ହୋଇପାରେ। ସେହି ପରି କଂଗ୍ରେସକୁ ୪୩ ରୁ ୫୧ ଆସନରେ ସନ୍ତୁଷ୍ଟ ହେବାକୁ ପଡିପାରେ। ଅନ୍ୟ ଖାତାରେ ୫-୧୯ ଆସନ ମିଳିପାରେ। ଆସାମ ବିଧାନସଭାର ୧୨୬ ଆସନ ପାଇଁ ମ୍ୟାଜିକ୍ ନମ୍ବର  ହେଉଛି ୬୪ ଆସନ।

କିଏ ମୁଖ୍ୟମନ୍ତ୍ରୀ ଭାବେ ପ୍ରଥମ ପସନ୍ଦ

ଏବିପି ନ୍ୟୁଜ୍ ଓ ସି ଭୋଟର ସର୍ଭେ ଅନୁଯାୟୀ ଆସାମର ଜନତା ପୁଣି ଥରେ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ଵାଲଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହାନ୍ତି। ସର୍ଭେରେ ସାମିଲ ୪୪ ପ୍ରତିଶତ ମୁଖ୍ୟମନ୍ତ୍ରୀ ପାଇଁ ସର୍ବାନନ୍ଦଙ୍କୁ ଚାହିଁଛନ୍ତି। ଦ୍ଵିତୀୟରେ ରହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ପୁତ୍ର ତଥା କଂଗ୍ରେସ ନେତା ଗୌରଭ ଗୋଗୋଇ। ତାଙ୍କୁ ସର୍ଭେରେ ସାମିଲ ୨୬ ପ୍ରତିଶତ ଲୋକ ମୁଖ୍ୟମନ୍ତ୍ରୀ ଭାବେ ପ୍ରଥମ ପସନ୍ଦ କହିଛନ୍ତି। ତୃତୀୟରେ ରହିଛନ୍ତି ରାଜ୍ୟ ଅର୍ଥ ମନ୍ତ୍ରୀ ହେମନ୍ତ ବିଶ୍ଵା ଶର୍ମା। ତାଙ୍କୁ ୧୫ ପ୍ରତିଶତ ଲୋକେ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.