ବ୍ରହ୍ମବିଭ୍ରାଟ ରିପୋର୍ଟ ସାର୍ବଜନୀନ କରିବାପାଇଁ ବିଜେପି ଅଦାଲତର ଆଶ୍ରୟ ନେବ
28/09/2018 at 3:34 PM

ଭୁବନେଶ୍ବର ୨୮/୯: ବ୍ରହ୍ମବିଭ୍ରାଟ ରିପୋର୍ଟକୁ ସାର୍ବଜନୀନ କରାଯିବ ନାହିଁ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ନେବା ଘଟଣାରେ ବିଜେପି ପ୍ରଶ୍ନ ଉଠାଇଛି। ବ୍ରହ୍ମବିଭ୍ରାଟ ରିପୋର୍ଟରେ କଣ ରହିଛି ଏବଂ କାହିଁକି ବିଭ୍ରାଟ ହେଲା ଏ ସମ୍ପର୍କରେ ଜାଣିବାର ଅଧିକାର ଜଗନ୍ନାଥ ପ୍ରେମୀଙ୍କର ରହିଛି ବୋଳି ବିଜେପିର ବରିଷ୍ଠ ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ କରିଛନ୍ତି। ସରକାର କଣ କରୁଛନ୍ତି ସେ ସମ୍ପର୍କରେ ଜାଣିବାର ଅଧିକାର ଲୋକଙ୍କର ଅଛି। ଏହା ମୈାଳିକ ଅଧିକାରର ପର୍ଯ୍ୟାୟଭୁକ୍ତ। ବ୍ରହ୍ମବିଭ୍ରାଟ ରିପୋର୍ଟ ଯଦି ସାର୍ବଜନୀନ କରାନଯାଏ ତାହେଲେ ବିଜେପି ଅଦାଲତର ଆଶ୍ରୟ ନେଇ ରିପୋର୍ଟ ସାର୍ବଜନୀନ କରିବ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି। ରାଜ୍ୟ କାର୍ଯ୍ୟାଳୟଠାରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ ତୃତୀୟ ମହଲାର ନିର୍ଦ୍ଦେଶରେ ମୁଖ୍ୟ ପ୍ରଶାସକ ଏଭଳି ନିଷ୍ପତ୍ତି ନେଇଛନ୍ତି।
ସୂଚନାଯୋଗ୍ୟ ଯେ,ଗତକାଲି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ବ୍ରହ୍ମବିଭ୍ରାଟ ରିପୋର୍ଟ ଉପସ୍ଥାପନ କରାଯାଇଥିଲା। ଏହା ଶ୍ରୀଜୀଉମାନଙ୍କ ଗୁପ୍ତନୀତି ସମ୍ପର୍କିତ ରିପୋର୍ଟ ହୋଇଥିବାରୁ ଏହାକୁ ସାର୍ବଜନୀନ କରାଯାଇପାରିବ ନାହିଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ଗଣମାଧ୍ୟମକୁ କହିଥିଲେ।