ହାଇଦ୍ରାବାଦ ନଗର ନିଗମ ନିର୍ବାଚନ : ଟିଆରଏସକୁ ବଡ ଝଟକା, ଓଓ୍ୱେସୀଙ୍କ ଗଡରେ ଧସେଇ ପସିଲା ବିଜେପି

Published By : Prameya-News7 Bureau | December 05, 2020 IST

ହାଇଦ୍ରାବାଦ,୦୫/୧୨:ଗ୍ରେଟର୍ ହାଇଦ୍ରାବାଦ ନଗର ନିଗମ ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ନିର୍ବାଚନରେ ତେଲେଙ୍ଗାନା ରାଷ୍ଟ୍ର ସମିତି ବା ଟିଆରଏସ ପ୍ରଥମ ସ୍ଥାନରେ ଥିବା ବେଳେ ବିଜେପି ଦ୍ୱିତୀୟ ଓ ଏଆଇଏମଆଇଏମ ତୃତୀୟ ସ୍ଥାନକୁ ଖସି ଆସିଛି । ମୋଟ୍ ୧୫୦ଟି ଆସନରୁ ଟିଆରଏସ ୫୫ଟି ଆସନରେ ବିଜୟଲାଭ କରିଥିବା ବେଳ ବିଜେପି ୪୮ ଓ ଏଆଇଏମଆଇଏମ ୪୪ଟି ଆସନରେ ବିଜୟଲାଭ କରିଛି । କଂଗ୍ରେସ ଖାତାକୁ ମାତ୍ର ୨ଟି ଆସନ ଯାଇଛି ।

ନିର୍ବାଚନରେ ସବୁଠାରୁ ଅଧିକ କ୍ଷତି ସହିଛି ଟିଆରଏସ । ଗତଥର ଟିଆରଏସ ୯୯ଟି ଆସନ ଜିତିଥିଲା । ଏଆଇଏମଆଇଏମ ମଧ୍ୟ କ୍ଷତି ସହିଛି । ତେବେ ବିଜେପିର ଭରପୁର ଫାଇଦା ହୋଇଛି । ଦଳ ଗତଥର ୪ଟି ଆସନରେ ଜିତିଥିବା ବେଳେ ଏଥର ୪୮ଟି ଆସନରେ ବିଜୟଲାଭ କରିଛି । ବିଜେପିର ପ୍ରଦର୍ଶନ ଅବିଶ୍ୱସନୀୟ ରହିଛି ।

ବିଜେପି ହାଇଦ୍ରାବାଦ ନଗରପାଳିକା ନିର୍ବାଚନରେ ଆକ୍ରମଣାତ୍ମକ ଭାବେ ଲଢିଥିଲା । ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହ ଓ ୟୁପି ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟନାଥ ମଇଦାନକୁ ଓହ୍ଲାଇଥିଲେ । ଏବା ବ୍ୟତୀତ ବିଜେପିର ଅନେକ କେନ୍ଦ୍ରମନ୍ତ୍ରୀ ଓ ତୁଙ୍ଗନେତା ମଧ୍ୟ ପ୍ରଚାର କରିଥିଲେ । ବିଜେପିର ପ୍ରଦର୍ଶନକୁ ନେଇ ଗୃହମନ୍ତ୍ରୀ କହିଛନ୍ତି ଯେ, ତେଲେଙ୍ଗାନାବାସୀ ମୋଦୀଙ୍କ ଉପରେ ବିଶ୍ୱାସ ପ୍ରକଟ କରିଛନ୍ତି । ଏହାସହ ସେ ତେଲେଙ୍ଗାନାବାସୀଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।

ସୂଚନାଯୋଗ୍ୟ, ହାଇଦ୍ରାବାଦ ନଗର ନିଗମ ନିର୍ବାଚନ ପାଇଁ ଡିସେମ୍ବର ୧ରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ପ୍ରାୟ ୩୪ ଲକ୍ଷ ୫୦ ହଜାର ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.