ବିଜେପି କୁ TDP ଓ JDU ବି ମାଗୁଛନ୍ତି ଲୋକସଭା ବାଚସ୍ପତି ପଦ, ଜାଣନ୍ତୁ କାହିଁକି ଗୁରୁତ୍ୱପୂର୍ଣ୍ଣ?

Published By : Prameya-News7 Bureau | June 05, 2024 IST

ନୂଆଦିଲ୍ଲୀ ୫।୬: ବିଜେପି ଏନଡିଏ ସରକାର ଗଢିବା ପାଇଁ ଲଗାତାର ନିଜ ସହଯୋଗୀ ଦଳଙ୍କ ସହ ସମ୍ପର୍କରେ ରହିଛି। ବୁଧବାର ଏନଡିଏର ଗୁରୁତ୍ୱପୂର୍ଣ୍ଣ ବୈଠକ ମଧ୍ୟ ହୋଇଛି। ଏଥିରୁ ଆଶା କରାଯାଉଛି ବିଜେପି ଖୁବ୍ ଶୀଘ୍ର ନୂଆ ସରକାର ଗଢିବା ପାଇଁ ନିଜର ଦାବି ଉପସ୍ଥାପିତ କରିପାରେ। ଏଥି ମଧ୍ୟରେ ରାଜନୈତିକ ଅଳିନ୍ଦରେ ଏହି ଚର୍ଚ୍ଚା ମଧ୍ୟ ହେଉଛି ଯେ ବିଜେପି ସହିତ ସହଯୋଗୀ ଜେଡିୟୁ ଓ ଟିଡିପି ବାଚସ୍ପତି ପଦ ପାଇଁ ଆଗ୍ରହୀ ଅଛନ୍ତି। 

ହେଲେ ଏପର୍ଯ୍ୟନ୍ତ ଦଳମାନେ ଖୋଲାଖୋଲି କୌଣସି ଦାବି କରି ନାହାନ୍ତି। ତେବେ ଅନ୍ଦରମହଲରେ ଯେଉଁ ଚର୍ଚ୍ଚା ହେଉଛି ସେଥିରେ ଉଭୟ ସହଯୋଗୀ ଦଳ ବିଜେପି ନିକଟରେ କିଛି ଦାବି ରଖିପାରନ୍ତି, ଯେଉଁଥିରେ ମୁଖ୍ୟ ଦାବି ଲୋକସଭା ବାଚସ୍ପତି ପଦ ମଧ୍ୟ ଥାଇପାରେ। ତେବେ ଏହା ବି କୁହାଯାଉଛି ଯେ ବିଜେପି କୌଣସି ଅନ୍ୟ ଦଳକୁ କୌଣସି ବି ସ୍ଥିତିରେ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀ ଦେବ ନାହିଁ। ତେବେ ଆସନ୍ତୁ ଜାଣିବା ଲୋକସଭା ବାଚସ୍ପତିଙ୍କ ପଦ ଏତେ ଗୁରୁତ୍ୱପୂର୍ଣ୍ଣ କାହିଁକି?

ଲୋକସଭା ବାଚସ୍ପତି ପଦ ଗୃହରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବାଚସ୍ପତି ହିଁ ଲୋକସଭାର ମୁଖିଆ ହୋଇଥାନ୍ତି। ବାଚସ୍ପତି ନା କେବଳ ଗୃହର ଶୃଙ୍ଖଳା ସୁନିଶ୍ଚିତ କରନ୍ତି, ଏହାର ଉଲ୍ଲଂଘନରେ ସଦସ୍ୟଙ୍କୁ ଦଣ୍ଡିତ ମଧ୍ୟ କରନ୍ତି। ଲୋକସଭା ବାଚସ୍ପତିଙ୍କ ଭୂମିକା ସେତେବେଳେ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଯାଏ ଯେତେବେଳେ ଗୃହରେ କୌଣସି ଦଳ ବା ମେଣ୍ଟର ସଂଖ୍ୟାଗରିଷ୍ଠତା ପ୍ରମାଣ ହୁଏ। ଉଭୟପକ୍ଷର ଭୋଟ ସମାନ ସମାନ ହେଲେ ତାଙ୍କର ଭୋଟ ଦେବାର ଅଧିକାର ମଧ୍ୟ ଥାଏ। ଏଣୁ ବାଚସ୍ପତିଙ୍କ ଭୋଟ ସେତେବେଳେ ନିର୍ଣ୍ଣାୟକ ହୋଇଯାଏ। 

ଲୋକସଭା ବାଚସ୍ପତି ଗୃହର ପ୍ରକ୍ରିୟା ଯେପରି ମୁଲତବୀ ପ୍ରସ୍ତାବ, ଅବିଶ୍ୱାସ ପ୍ରସ୍ତାବ ଓ ନିନ୍ଦା ପ୍ରସ୍ତାବ ଆଦିକୁ ଅନୁମତି ଦେଇଥାନ୍ତି। ଏହା ଛଡା ବାଚସ୍ପତି ସମ୍ବିଧାନର ଅନୁଚ୍ଛେଦ ୧୦୮ ଅନୁସାରେ ସଂସଦର ଉଭୟ ସଦନର ମିଳିତ ବୈଠକରେ ଅଧ୍ୟକ୍ଷତା ମଧ୍ୟ କରନ୍ତି। କେବଳ ଏତିକି ନୁହେଁ ବାଚସ୍ପତି ହିଁ ଲୋକସଭାରେ ବିରୋଧୀ ଦଳ ନେତାଙ୍କୁ ମାନ୍ୟତା ଦେବା ପାଇଁ ନିଷ୍ପତ୍ତି ନେଇଥାନ୍ତି। ଲୋକସଭା ବାଚସ୍ପତି ହିଁ ସଦନର ସମସ୍ତ ସଂସଦୀୟ କମିଟିର ଅଧ୍ୟକ୍ଷ ନିଯୁକ୍ତ କରିବା ସହିତ ସେମାନଙ୍କ କାର୍ଯ୍ୟ ଉପରେ ନଜର ରଖନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.