ଗୁଜରାଟ ହିଂସାରେ ଦଙ୍ଗାକାରୀଙ୍କୁ ଉଚିତ୍ ଶିକ୍ଷା ଦେଇଥିଲା ବିଜେପି, ଆଜି ରାଜ୍ୟରେ ଶାନ୍ତି କାଏମ୍ ଅଛି: ଅମିତ ଶାହ

Published By : Prameya-News7 Bureau | November 25, 2022 IST

ଗାନ୍ଧୀନଗର: ଆଜି ଗୁଜରାଟ ନିର୍ବାଚନ ପ୍ରଚାରରେ ଯାଇ କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହ ଏଭଳି ବୟାନ ଦେଇଛନ୍ତି ଯାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଶୁକ୍ରବାର ଏକ ରାଲିକୁ ସମ୍ବୋଧନ କରି ଶାହ ୨୦୦୨ ଗୁଜୁରାଟ ଦଙ୍ଗା କଥା ଉଠାଇଛନ୍ତି। ସେ କହିଛନ୍ତି ଯେ ପୂର୍ବରୁ ଅପରାଧିମାନେ ଗୁଜରାଟରେ ହିଂସା କାଣ୍ଡ ଘଟାଉଥିଲେ, ଆଉ କଂଗ୍ରେସ ସେମାନଙ୍କୁ ସହଯୋଗ କରୁଥିଲା। ହେଲେ ୨୦୦୨ ଅପରାଧିମାନଙ୍କୁ ଉଚିତ ଶିକ୍ଷା ଦିଆଯିବା ପରେ ଏବେ ଗୁଜରାଟରେ ଶାନ୍ତି କାଏମ ରହିଛି ବୋଲି ଶାହ କହିଛନ୍ତି।   

୨୦୦୨ ଫେବ୍ରୁଆରୀ ମାସରେ ଗୋଧ୍ରା ଟ୍ରେନ୍‌ ପୋଡ଼ି ଘଟଣା ପରେ ଗୁଜରାଟରେ ଭୟଙ୍କର ହିଂସା ହୋଇଥିଲା। ଏଥିରେ ଏକ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ଯେଉଁଥିରେ ଅଧିକ ସଂଖ୍ୟକ ମୁସଲମାନଙ୍କର ମୃତ୍ୟୁ ହୋଇଥିଲା।

ଗୁଜରାଟର ଖେଡ଼ା ଜିଲ୍ଲା ମହୁଧା ଟାଉନ୍‌ରେ ଏକ ରାଲିକୁ ସମ୍ବୋଧନ କରି ଶାହ ଅଭିଯୋଗ କରିଛନ୍ତି “ ଗୁଜରାଟରେ କଂଗ୍ରେସର ଶାସନ ସମୟରେ(୧୯୯୫ ପୂର୍ବର ସମୟ) ସାମ୍ପ୍ରଦାୟିକ ଦଙ୍ଗା ଅନିୟନ୍ତ୍ରିତ ରହୁଥିଲା। କଂଗ୍ରେସ ଅଲଗା ଅଲଗା ସମ୍ପ୍ରଦାୟର ଲୋକଙ୍କୁ ଉସ୍‌କାଇ ପରସ୍ପରକୁ ଲଢ଼ାଉଥିଲା। ଆଉ ଏହି ଦଙ୍ଗା ପାଇଁ କଂଗ୍ରେସ ନିଜର ଭୋଟ ବଢ଼ାଇବା ସହିତ ବହୁସଂଖ୍ୟକ ପ୍ରତି ଅନ୍ୟାୟ କରୁଥିଲା।

୨୦୦୨ରେ ଏଥିପାଇଁ ଦଙ୍ଗା ହୋଇଥିଲା, କାରଣ ଦଙ୍ଗାକାରୀମାନେ ଏସବୁ କରିବା ପାଇଁ  କଂଗ୍ରେସ ଠାରୁ ସମର୍ଥନ ପାଇଁ ଅଭ୍ୟସ୍ତ ହୋଇଯାଇଥିଲେ। କିନ୍ତୁ ୨୦୦୨ରେ ଦଙ୍ଗାକାରୀମାନେ ଶିକ୍ଷା ପାଇବା ପରେ ଏଭଳି ତତ୍ୱ ହିଂସା ପଥ ଛାଡ଼ିଛନ୍ତି। ୨୦୦୨ରୁ ୨୦୨୨ ପର୍ଯ୍ୟନ୍ତ ସେମାନେ କୌଣସି ଦଙ୍ଗାରେ ସାମିଲ ହୋଇ ନାହାନ୍ତି। ଯେଉଁମାନେ ସାମ୍ପ୍ରଦାୟିକ ହିଂସାରେ ସାମିଲ ରହୁଥିଲେ ବିଜେପି ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇ ରାଜ୍ୟରେ ଶାନ୍ତି ପ୍ରତିଷ୍ଠା କରିଛି।”

ସେହିପରି ଜାମ୍ମୁ-କାଶ୍ମୀରରେ ଧାରା ୩୭୦ ଉଚ୍ଛେଦକୁ ନେଇ ମଦ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଦେଇଛନ୍ତି ଅମିତ ଶାହ। କଂଗ୍ରେସ ଏହା କରିବାକୁ ଚାହୁଁନଥିଲା। କାରଣ ତାର ଭୋଟ ବ୍ୟଙ୍କ ରାଜନୀତି କରୁଥିଲା ବୋଲି ଶାହ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.