ବିଜେପି କହିଲା ମହାରାଷ୍ଟ୍ରର ଅନୁକରଣ କରିବ ତାମିଲନାଡୁ, ପୁନରାବୃତ୍ତି ହେବ ଏକନାଥ ସିନ୍ଦେଙ୍କ କାହାଣୀ, ଜାଣନ୍ତୁ DMK କହିଛି କ’ଣ ?
7/07/2022 at 1:33 PM

ଚେନ୍ନାଇ ୭।୭: ରାଜ୍ୟ ବିଜେପି ପ୍ରମୁଖ କେ. ଆନ୍ନାମଲାଇ ତାମିଲନାଡୁ ଖୁବ୍ ଶୀଘ୍ର ମହାରାଷ୍ଟ୍ରର ଅନୁକରଣ କରିବ ବୋଲି କହିଛନ୍ତି। ସେ କହିଛନ୍ତି ଯେ ରାଜ୍ୟ ରାଜନୀତିରେ ନିଶ୍ଚିତ କେହି ଜଣେ ଏକନାଥ ସିନ୍ଦେଙ୍କ ଭଳି ନିଷ୍ପତ୍ତି ନେବେ ଓ କ୍ଷମତାର ପରିବର୍ତ୍ତନ ହେବ ବୋଲି ସେ ଦାବି କରିଛନ୍ତି। ତେବେ ଡିଏମକେ ସଙ୍ଗଠନ ସଚିବ ଆର.ଏସ୍. ଭାରତୀ ଆନ୍ନାମଲାଇଙ୍କ ଦାବିକୁ ଦିବା ସ୍ୱପ୍ନ ଓ ତାଙ୍କ ମନ୍ତବ୍ୟକୁ ପାର୍ଟି ଗୁରୁତ୍ୱର ସହ ଗ୍ରହଣ କରୁନଥିବା କହିଛନ୍ତି।
ଅନ୍ନାମଲାଇ ତାମିଲନାଡୁ ଓ ମହାରାଷ୍ଟ୍ରର ପରିସ୍ଥିତି ମଧ୍ୟରେ ସମାନତା ଦର୍ଶାଇ ଏପରି ପରିକଳ୍ପନା କରିଛନ୍ତି। ସେ କହିଛନ୍ତି ଯେ ସ୍ୱର୍ଗତ ଶିବସେନା ସୁପ୍ରିମୋ ବାଲ ଠାକରେଙ୍କ ବଡ ପୁଅ ବିନ୍ଦୁମାଧବ ଠିକ ଏମ.କରୁଣାନିଧିଙ୍କ ବଡ଼ ପୁଅ ମୁ କା ମୁଥୁଙ୍କ ଭଳି ଫିଲ୍ମ ଉଦ୍ୟୋଗରେ ଭାଗ୍ୟ ପରୀକ୍ଷା କରିଥିଲେ। ହେଲେ ସେମାନଙ୍କ ଫିଲ୍ମ ଚାଲିଲାନି। ସେହିପରି ବାଲ ଠାକରେଙ୍କ ଦ୍ୱିତୀୟ ପୁତ୍ର ଜୟଦେବ ପରିବାରଠାରୁ ଦୂରରେ ଥିବା ବେଳେ କରୁଣାନିଧିଙ୍କ ଦ୍ୱିତୀୟ ପୁତ୍ର ଏମ.କେ. ଅଲାଗାରି ମଧ୍ୟ ପରିବାରଠାରୁ ଦୂରେଇ ରହୁଛନ୍ତି।

ମଙ୍ଗଳବାର ଆନ୍ନାମଲାଇ ଏକ ଜନସମାବେଶକୁ ସମ୍ବୋଧିତ କରିବା ଅବସରରେ ଦୁଇ ରାଜନୈତିକ ପରିବାରଙ୍କ ମଧ୍ୟରେ ଅନେକ କିଛି ସମାନତା ଥିବା ଭଳି କହିଥିଲେ । ବାଲ ଠାକରେଙ୍କ ତୃତୀୟ ପୁତ୍ର ଉଦ୍ଧବ ଠାକରେଙ୍କୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ମିଳିବା ପରି ଏମକରୁଣା ନିଧିଙ୍କ ତୃତୀୟ ପୁତ୍ର ଏମ.କେ.ଷ୍ଟାଲିନଙ୍କୁ ମଧ୍ୟ ତାମିଲନାଡୁ ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ମିଳିଛି । ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେଙ୍କ ରାଜନୀତି ମହତ୍ୱାକାଙକ୍ଷା ଭଳି ଷ୍ଟାଲିନଙ୍କ ପୁଅ ଉଦୟ ନିଧି ମଧ୍ୟ ରାଜନୀତିରେ ଋଚି ରଖିବା ସହିତ ଆଦିତ୍ୟଙ୍କ ଭଳି ଯୁବଶାଖା ନେତା। ଏଣୁ ମହାରାଷ୍ଟ୍ର ଭଳି ତାମିଲନାଡୁ ରାଜନୀତିରେ ଖୁବ୍ ଶୀଘ୍ର ପରିବର୍ତ୍ତନ ହେବାକୁ ଯାଉଥିବା ଆନ୍ନାମଲାଇ କହିଛନ୍ତି।
ମହାରାଷ୍ଟ୍ରରେ ଅଢେଇ ବର୍ଷ ପୂର୍ବେ ଶିବସେନା ଏନସିପି ଓ କଂଗ୍ରେସ ସହ ହାତ ମିଳାଇ ରାଜ୍ୟରେ ମହାବିକାଶ ଅଘାଡି ମେଣ୍ଟ ଗଢିଥିଲେ ଠିକ ତାମିଲନାଡୁ ପରି। ଏଠାରେ ଷ୍ଟାଲିନଙ୍କ ଦଳ କଂଗ୍ରେସ ଓ ବାମ ଦଳଙ୍କ ସହ ମିଶି ସରକାର କରିଛନ୍ତି। ଏଣୁ ଏଠାରେ ମଧ୍ୟ ଖୁବ୍ ଶୀଘ୍ର ଜଣେ ଏକନାଥ ସିନ୍ଦେଙ୍କ ଉତ୍ପତି ହେବାକୁ ଯାଉଛି ବୋଲି ଆନ୍ନାମଲାଇ କହିଛନ୍ତି। ତେବେ ତାମିଲନାଡୁ ଡିଏମକେରେ କିଏ ସେହି ସିନ୍ଦେ ବୋଲି ପ୍ରଶ୍ନ କରାଯିବାରୁ ସେ ଟାଳି ଯାଇଛନ୍ତି।
ଅନ୍ୟପକ୍ଷରେ ଡିଏମକେ ନେତା ତଥା ସାଂସଦ ଆର.ଏସ୍. ଭାରତୀ ରାଜ୍ୟ ରାଜନୀତିରେ ଏହା ସମ୍ଭବ ନୁହେଁ ବୋଲି କହିଛନ୍ତି। କାରଣ ଷ୍ଟାଲିନଙ୍କ ନେତୃତ୍ୱରେ ପାର୍ଟି ରାଙ୍କରେ ବିଦ୍ରୋହର ସମ୍ଭାବନା ହିଁ ନାହିଁ। ଏଣୁ ବିଜେପି ନେତାଙ୍କ ଏହା ଦିବା ସ୍ୱପ୍ନ ହୋଇପାରେଓ ସେ ତାଙ୍କ କଥାକୁ ଗୁରୁତ୍ୱର ସହ ଗ୍ରହଣ କରୁନଥିବା କହିଛନ୍ତି।