ADR Report: ନିର୍ବାଚନୀ ଟ୍ରଷ୍ଟରୁ ବିଜେପିକୁ ମିଳିଛି ୭୨ ପ୍ରତିଶତ ଚାନ୍ଦା, କଂଗ୍ରେସର ଆୟ ଟିଆରଏସ, ଏସପି ଏବଂ ଆପରୁ ବି କମ
29/12/2022 at 9:09 PM

ନୂଆଦିଲ୍ଲୀ: ଆସୋସିଏସନ ଫର ଡେମୋକ୍ରେଟିକ୍ ରିଫର୍ମ (ଏଡିଆର) ଗୁରୁବାର ନିଜର ରିପୋର୍ଟରେ କହିଛି ଯେ ବିଜେପିକୁ ୨୦୨୧-୨୨ରେ ନିର୍ବାଚନୀ (ଇଲେକ୍ଟ୍ରୋରଲ) ଟ୍ରଷ୍ଟ ଦ୍ୱାରା ରାଜନୈତିକ ଦଳକୁ ଦିଆଯାଇଥିବା ମୋଟ ଚାନ୍ଦାର ୩୫୧.୫୦ କୋଟି ଟଙ୍କା (୭୨.୧୭) ମିଳିଛି । ଅନ୍ୟପଟେ କଂଗ୍ରେସକୁ ଟିଆରଏସ, ସମାଜବାଦୀ ପାର୍ଟି, ଆପ୍ ଏବଂ ୱାଇଏସଏରସିପିରୁ ମଧ୍ୟ କମ ଚାନ୍ଦା ମିଳିଛି ।
ଇଲେକ୍ଟ୍ରୋରଲ ଟ୍ରଷ୍ଟ, କର୍ପୋରେଟ୍ ସଂସ୍ଥା ଏବଂ ବ୍ୟକ୍ତିଙ୍କ ଏକ ନନ୍ ପ୍ରଫିଟେବଲ ସଂଗଠନ । ଏହା କୌଣସି ବ୍ୟକ୍ତିଙ୍କ ଠାରୁ ବ୍ୟବସ୍ଥିତ ଢଙ୍ଗରେ ଅନୁଦାନ ପ୍ରାପ୍ତର କାର୍ଯ୍ୟ କରିଥାଏ । ଏହାର ଉଦ୍ଦେଶ୍ୟ ନିର୍ବାଚନୀ ସମ୍ୱନ୍ଧୀୟ ଖର୍ଚ୍ଚ ପାଇଁ ଧନରାଶିର ବ୍ୟବହାରରେ ପାରଦର୍ଶିତାରେ ସୁଧାର ଆଣିବା ଅଟେ ।
ଏଡିଆର ଡାଟା ଅନୁସାରେ ବିଜେପିକୁ ୨୦୨୧ରେ ଇଲେକ୍ଟ୍ରୋରଲ ଟ୍ରଷ୍ଟରୁ କଂଗ୍ରେସ ତୁଳନାରେ ୧୯ ଗୁଣା ଅଧିକ ଚାନ୍ଦା ମିଳିଛି । ବିଜେପିକୁ ମିଳିଥିବା ମୋଟ ଚାନ୍ଦା ଅନ୍ୟ ନଅ ଦଳକୁ ମିଳିଥିବା ଚାନ୍ଦାଠାରୁ ଅଢେଇ ଗୁଣ ଅଧିକ ଥିଲା । ଏଡିଆର ନିଜ ରିପୋର୍ଟରେ କହିଛି ଯେ ୨୦୨୧-୨୨ରେ ସବୁ ରାଜନୈତିକ ଦଳକୁ ମିଳିଥିବା ମୋଟ ଚାନ୍ଦାର ୩୫୧.୫୦ କୋଟି ଅର୍ଥାତ ୭୨.୧୭ ପ୍ରତିଶତ ବିଜେପିକୁ ମିଳିଛି ।
ଏଡିଆର ରିପୋର୍ଟ ଅନୁସାରେ, ଇଲେକ୍ଟ୍ରୋରଲ ଟ୍ରଷ୍ଟରୁ କଂଗ୍ରେସକୁ ୧୮.୪୪ କୋଟି ଟଙ୍କା ମିଳିଛି । ଅନ୍ୟପଟେ ଟିଆରଏସକୁ ୪୦ କୋଟି ଟଙ୍କା ମିଳିଛି । ସମାଜବାଦୀ ପାର୍ଟିକୁ ୨୭ କୋଟି ଟଙ୍କା ମିଳିଛି । ସେହିପରି ଆମ୍ ଆଦମୀ ପାର୍ଟିକୁ ୨୧.୧୨ କୋଟି ଟଙ୍କା ଏବଂ ୱାଇଏସଆରସିପିକୁ ୨୦ କୋଟି ଟଙ୍କା ମିଳିଛି । ରିପୋର୍ଟରେ କୁହାଯାଇଛି ଯେ ଶିରୋମଣି ଅକାଳୀ ଦଳକୁ ୭ କୋଟି ଟଙ୍କା, ପଞ୍ଜାବ ଲୋକ କଂଗ୍ରେସ ପାର୍ଟିକୁ ୧ କୋଟି ଟଙ୍କା, ଗୋଆ ଫରୱାର୍ଡ ପାର୍ଟି ଏବଂ ଡିଏମକେକୁ ୫୦-୫୦ ଲକ୍ଷ ଟଙ୍କା ମିଳିଛି ।
ଆର୍ଥିକ ବର୍ଷ ୨୦୨୧-୨୨ରେ ଇଲେକ୍ଟ୍ରୋରଲ ଟ୍ରଷ୍ଟକୁ ୮୯ କର୍ପୋରେଟ୍/ବ୍ୟବସାୟୀକ ପରିବାରରୁ ୪୭୫ କୋଟିର ରାଶି ମିଳିଛି । ଅର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ ଇଣ୍ଡିଆ ଲିମିଟେଡ୍ ଇଲେକ୍ଟ୍ରୋରଲ ଟ୍ରଷ୍ଟର ସବୁ ଦାତାଙ୍କ ଠାରୁ ସବୁଠୁ ଅଧିକ ୭୦ କୋଟି ଟଙ୍କା ଦେଇଛନ୍ତି । ଏହାପରେ ଏକ୍ରେଲର ମିତ୍ତଲ ଡିଜାଇନ ଆଣ୍ଡ ଇଞ୍ଜିନିୟରିଂ ସେଣ୍ଟର ପ୍ରାଇଭେଟ ଲିମିଟେଡ୍ ୬୦ କୋଟି ଟଙ୍କା ଦେଇଛି । ଭାରତୀ ଏୟରଟେଲ ଲିମିଟେଡ୍ ବିଭିନ୍ନ ଟ୍ରଷ୍ଟକୁ ୫୧ କୋଟିର ଅନୁଦାନ ଦେଇଛି ।