ED, CBI ଓ IT ଯାଞ୍ଚର ସାମ୍ନା କରୁଥିବା କମ୍ପାନୀଙ୍କଠୁ ନିର୍ବାଚନୀ ବଣ୍ଡରେ ବିଜେପି ନେଇଛି ୩୩୫କୋଟି ଟଙ୍କା, ତଦନ୍ତ ଦାବି କଲା କଂଗ୍ରେସ

Published By : Prameya-News7 Bureau | February 25, 2024 IST

ନୂଆଦିଲ୍ଲୀ ୨୫।୨: ଭାରତୀୟ ଜନତା ପାର୍ଟି (ବିଜେପି) ନେତୃତ୍ୱାଧୀନ ସରକାର ଏବେ ସମାପ୍ତ ହୋଇସାରିଥିବା ନିର୍ବାଚନୀ ବଣ୍ଡ ଯୋଜନା ମାଧ୍ୟମରେ ଧନସଂଗ୍ରହ ନିମନ୍ତେ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସୀଙ୍କ ମାଧ୍ୟମରେ କର୍ପୋରେଟଙ୍କୁ ବ୍ଲାକମେଲ କରିଥିବାର କଂଗ୍ରେସ ଗୁରୁତର ଅଭିଯୋଗ ଆଣିଛି। ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ତଥ୍ୟକୁ ପ୍ରମାଣ ରୂପେ ବ୍ୟବହାର କରି ସିବିଆଇ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଓ ଆୟକର (ଆଇଟି) ତଦନ୍ତରେ ଆଶ୍ୱସ୍ତ କରିବାର ପ୍ରତିଶ୍ରୁତି ଦେଇ କର୍ପୋରେଟଙ୍କଠାରୁ କଥିତ ରୂପେ ଲାଭ ନେଇଥିବାରୁ ବିଜେପିକୁ ସମାଲୋଚନା କରିଛି କଂଗ୍ରେସ।

କଂଗ୍ରେସର କେ.ସି.ବେଣୁଗୋପାଲ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଏବାବଦେ ଏକ ପତ୍ର ଲେଖି କହିଛନ୍ତି ଯେ ୨୦୧୮ରୁ ୨୦୨୨ ମଧ୍ୟରେ ଇଡି, ଆଇଟି ଓ ସିବିଆଇ ଯାଞ୍ଚର ସମ୍ମୁଖୀନ ହୋଇଥିବା ପାଖାପାଖି ୩୦ ଘରୋଇ କମ୍ପାନୀ ବିଜେପିକୁ ନିର୍ବାଚନୀ ବଣ୍ଡରେ ପାଖାପାଖି ୩୩୫ କୋଟି ଟଙ୍କା ଦାନ ଦେଇଛନ୍ତି। ଏହି ତଥ୍ୟ ଏବେ ଇସିଆଇଙ୍କ ୱେବସାଇଟ୍‌ରେ ଜଳଜଳ ହୋଇ ଦେଖାଯାଉଥିବା ବେଣୁଗୋପାଲ କହିଛନ୍ତି। କଂଗ୍ରେସ ଏହି ସବୁ କମ୍ପାନୀଙ୍କ ଠାରୁ ବିଜେପି ‘ସୁରକ୍ଷା ରାଶି’ ଅସୁଲ କରିଥିବାର ଆରୋପ ଲଗାଇଛି।   

{"id":913625,"width":843,"height":628,"sizeSlug":"full","linkDestination":"none"}

କଂଗ୍ରେସ ଅଭିଯୋଗ କରିଛି ଯେ ଏହି ୩୦ କମ୍ପାନୀଙ୍କ ମଧ୍ୟରୁ ଅନେକ ୨୦୧୮ ପୂର୍ବରୁ ବିଜେପିକୁ ପାଣ୍ଠି ଦେଉ ନଥିଲେ। ୨୦୧୮ ପରେ କଂଗ୍ରେସକୁ ଚାନ୍ଦା ଦେଉଥିବା କମ୍ପାନୀ ମାନେ ଚାନ୍ଦା ଦେବା ବନ୍ଦ କରିଦେଇଥିଲେ। କଂଗ୍ରେସ ଅଭିଯୋଗ କରିଛି ଯେ ଏହି ୩୦ କମ୍ପାନୀଙ୍କୁ ବିଜେପି ସିବିଆଇ. ଇଡି ଓ ଆୟକର ଧମକ ଦେଇ ବ୍ଲାକମେଲ କରି ଚାନ୍ଦା ଅସୁଲ କରିଛି। ଏଥିରେ କଂଗ୍ରେସ ନିର୍ବାଚନୀ ବଣ୍ଡ ମାଧ୍ୟମରେ  କରାଯାଇଥିବା ଏହି ଧନ ସଂଗ୍ରହ ନିମନ୍ତେ କେନ୍ଦ୍ର ଅର୍ଥମନ୍ତ୍ରୀ ‘ଶ୍ୱେତପତ୍ର’ ଜାରି କରିବେ କି ବୋଲି ପ୍ରଶ୍ନ କରିଛି।

ସେହିପରି କମମ୍ପାନୀଙ୍କ ଠାରୁ ପାର୍ଟିକୁ ମିଳିଥିବା ୩୩୫ କୋଟି ଟଙ୍କା ନିମନ୍ତେ ବିଜେପି ଏହାକୁ ନିନ୍ଦା କରିବ କି ବୋଲି ବେଣୁଗୋପାଲ ପ୍ରଶ୍ନ କରିଛନ୍ତି।  କଂଗ୍ରେସ ବିଜେପି ବିରୋଧରେ ‘ପ୍ରତି ଲାଭ’ ଅଭିଯୋଗର ଉଚ୍ଚତମ ନ୍ୟାୟାଳୟଙ୍କ ଦେଖରେଖରେ ତଦନ୍ତ ଦାବି କରିଛି। କଂଗ୍ରେସ କହିଛି ଯେ ଗୋଟିଏ ପଟେ ବିଜେପି ଇଡି, ସିବିଆଇ ଓ ଆୟକର ବିଭାଗ ମାଧ୍ୟମରେ କମ୍ପାନୀମାନଙ୍କୁ ଟାର୍ଗେଟ୍ କରିଥିବା ବେଳେ ଅନ୍ୟପଟେ ସେମାନଙ୍କଠାରୁ ନିର୍ବାଚନୀ ବଣ୍ଡ ମାଧ୍ୟମରେ ‘ଲାଭ ବଦଳେ ଲାଭ’ର ପ୍ରଥା ଆପଣେଇଥିବାର କଂଗ୍ରେସ ଅଭିଯୋଗ କରିଛି। ଉଲ୍ଲେଖଯୋଗ୍ୟ ଯେ ସୁପ୍ରିମକୋର୍ଟ ଚଳିତମାସ ପ୍ରାରମ୍ଭରେ ଏକ ଐତିହାସିକ ରାୟରେ ନିର୍ବାଚନୀ ବଣ୍ଡକୁ ଆସାମ୍ବିଧାନିକ ଓ ଅନୁଚ୍ଛେଦ ୧୯(ଏ)ରେ ସୂଚନାର ମୌଳିକ ଅଧିକାରର ଉଲ୍ଲଂଘନ ବୋଲି କହିଥିଲେ। ମାମଲାରେ ସୁପ୍ରିମକୋର୍ଟ ଭାରତୀୟ ନିର୍ବାଚନ ଆୟୋଗଙ୍କୁ ତାଙ୍କ ୱେବସାଇଟରେ ଏ ବାବଦ ଡାଟା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏବେ ଇସିଆଇଙ୍କ ୱେବସାଇଟ୍‌ରେ ଏହି ତଥ୍ୟ ଉପଲବ୍ଧ ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.