ମଧ୍ୟପ୍ରଦେଶ ରାଜନୈତିକ ସଂକଟ ନେଇ ମୁହଁ ଖୋଲିଲା BJP, କହିଲା ଏହା କଂଗ୍ରେସର ଆଭ୍ୟନ୍ତରିଣ ମାମଲା
4/03/2020 at 1:34 PM

ଭୋପାଲ ୪।୩: ମଧ୍ୟପ୍ରଦେଶ କମଲନାଥ ସରକାରରେ ଉପୁଜିଥିବା ସଂକଟ ନେଇ ବୁଧବାର ବିଜେପି ମୁହଁ ଖୋଲିଛି। ଏହା କଂଗ୍ରେସର ଆଭ୍ୟନ୍ତରିଣ ବ୍ୟାପାର ବୋଲି ବିଜେପି ପ୍ରଦେଶ ସଭାପତି ବି.ଡି. ଶର୍ମା କହିଛନ୍ତି। କଂଗ୍ରେସର କିଛି ବିଧାୟକଙ୍କୁ ବିଜେପି ହରିୟାଣାର ଏକ ହୋଟେଲରେ ରଖିଥିବାର କଂଗ୍ରେସ ଅଭିଯୋଗ ଆଣିଥିଲା। ଏଥିରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ତୀବ୍ରପ୍ରତିକ୍ରିୟା ପ୍ରକାଶ କରିଥିଲେ। ନିଜ ଘରେ କଳି ଲଗାଇ କଂଗ୍ରେସ ଆମ ଉପରେ ଦୋଷ ଥାପୁଥିବା କହିଥିଲେ।
ତେବେ କଂଗ୍ରେସରେ ଉପୁଜିଥିବା ପରିସ୍ଥିତି ଲାଗି ମୁଖ୍ୟମନ୍ତ୍ରୀ କମଲ ନାଥ, ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ଦିଗବିଜୟ ସିଂହ ସ୍ପଷ୍ଟିକରଣ ଦେବା କଥା ବୋଲି ବିଜେପି ସଭାପତି ଶର୍ମା କହିଛନ୍ତି। ଏଥିଲାଗି ଆମକୁ ପଚରାଯିବା ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଛନ୍ତି ଶର୍ମା। ତେବେ କଂଗ୍ରେସ ସହ ଆମର କୌଣସି ନେଣ ଦେଣ ନଥିବା ସେ ସ୍ପଷ୍ଟ କରିଦେଇଛନ୍ତି।
ସେପଟେ ମଧ୍ୟପ୍ରଦେଶ ମନ୍ତ୍ରୀମଣ୍ଡଳର ଜନୈକ ମନ୍ତ୍ରୀ ବି.ଏସ୍.ରାଠୋର କିଛି ନେତା ଏଭଳି ପରିସ୍ଥିତି ସୃଷ୍ଟି କରିଥିବା ଅଭିଯୋଗ କରିଛନ୍ତି। କଂଗ୍ରେସ ସରକାର ଭ୍ରଷ୍ଟାଚାର ବିରୋଧରେ ହାତକୁ ନେଇଥିବା କାର୍ଯ୍ୟକ୍ରମରେ ସେମାନଙ୍କର ପୋଲ ଖୋଲିଯିବାର ଆଶଙ୍କା କରାଯାଉଛି। ଏଣୁ ସେମାନେ କଳାଧନ ଉପଯୋଗ କରି ସରକାର ପରିବର୍ତ୍ତନ ଲାଗି ଉଦ୍ୟମ କରୁଥିବାରୁ ଫ୍ଲୋରଟେଷ୍ଟ ନିତ୍ୟାନ୍ତ ଜରୁରି ବୋଲି କହିଛନ୍ତି।
ତେବେ ରାଜ୍ୟରେ ଉପୁଜିଥିବା ପରିସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ନିମନ୍ତେ ଦିଲ୍ଲୀରୁ ଦିଗବିଜୟ ସିଂହ ଭୋପାଲ ପହଞ୍ଚିଥିବା ଜଣାପଡିଛି। ତେବେ ଦିଲ୍ଲୀରୁ ବାହାରିବା ବେଳେ ଗଣମାଧ୍ୟମକୁ ସାକ୍ଷାତକାରରେ ମଧ୍ୟପ୍ରଦେଶ ସରକାରକୁ ନେଇ ସେପରି କୌଣସି ଚିନ୍ତାନଜକ ପରିସ୍ଥିତି ନାହିଁ ବୋଲି କହିଛନ୍ତି। ବିଧାୟକମାନେ ପୁଣି ଦଳକୁ ଫେରିଆସିବେ ବୋଲି କହିଛନ୍ତି ଦିଗବିଜୟ।