ହିମାଚଳ ପ୍ରଦେଶ ପାଇଁ ବିଜେପିର ନିର୍ବାଚନ ଇସ୍ତାହାର: ଜିତିଲେ, ୟୁନିଫର୍ମ ସିଭିଲ କୋଡ୍ ଲାଗୁ କରିବୁ ଓ ୮ ଲକ୍ଷ ଚାକିରି ଦେବୁ

Published By : Prameya-News7 Bureau | November 06, 2022 IST

ଶିମଲା: ହିମାଚଳ ପ୍ରଦେଶର ଭୋଟ ଗ୍ରହଣକୁ ଆଉ ସପ୍ତାହରୁ କମ୍ ସମୟ ରହିଛି। ଏତିକି ବେଳେ ରାଜ୍ୟ ପାଇଁ ନିର୍ବାଚନ ଇସ୍ତାହାର ଘୋଷଣା କରିଛି ବିଜେପି। ରାଜ୍ୟରେ ଦଳ କ୍ଷମତାକୁ ଆସିଲେ ୟୁନିଫର୍ମ ସିଭିଲ୍ କୋଡ୍ ନିୟମ ଲାଗୁ କରାଯିବ ବୋଲି ବିଜେପି କହିଛି।  

କେବଳ ହିମାଚଳ ପ୍ରଦେଶରେ ନୁହେଁ, ଆସନ୍ତା ମାସ ନିର୍ବାଚନ ହେବାକୁ ଥିବା ଗୁଜୁରାଟରେ ମଧ୍ୟ ୟୁନିଫର୍ମ ସିଭିଲ କୋଡ୍ ଲାଗୁ ହେବ ବୋଲି ବିଜେପି ପ୍ରତିଶ୍ରୁତି ଦେଇଛି। ତା ସହିତ ଉତ୍ତର ପ୍ରଦେଶ ଭଳି ହିମାଚଳ ପ୍ରଦେଶରେ ୱାକଅଫ୍ ବୋର୍ଡର ସମ୍ପତ୍ତିର ସର୍ଭେ କରାଯିବ ବୋଲି ବିଜେପି କହିଛି। ୟୁପିରେ ୱାକଅଫ୍ ବୋର୍ଡର ସମ୍ପତ୍ତି ଯାଞ୍ଚ ପାଇଁ ପ୍ରଥମେ ପଦକ୍ଷେପ ନିଆଯାଇଥିଲା। ଯାହାକୁ ନେଇ ଅନେକ ସମାଲୋଚନା ବି ହୋଇଥିଲା।

ନିର୍ବାଚନ ଇସ୍ତାହାର ପୁଣିଥରେ ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦେଇଛି ଦଳ। ରାଜ୍ୟରେ ୫ ବର୍ଷ ଭିତରେ ୮ ଲକ୍ଷ ନିଯୁକ୍ତି ଦିଆଯିବ ବୋଲି ବିଜେପି କହିଛି। ଏହା ବାଦ୍ ରାଜ୍ୟରେ ପ୍ରମୁଖ ଉତ୍ପାଦନ ସେଓର ପ୍ୟାକେଜିଂ ଉପରେ ଜିଏସ୍‌ଟି ୧୮ରୁ ୧୨ ପ୍ରତିଶତକୁ ହ୍ରାସ କରାଯିବ ଓ ସରକାରୀ ଚାକିରିରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ରଖାଯିବ ବୋଲି ବିଜେପି କହିଛି।  

ଆଜି ଦଳ ପକ୍ଷରୁ ବିଜେପି ସଭାପତି ଜେପି ନଡ୍ଡାଙ୍କ ସହିତ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ପ୍ରମୁଖ ନିର୍ବାଚନୀ ଇସ୍ତାହାର ଉନ୍ମୋଚନ କରିଛନ୍ତି। ହିମାଚଳବାସୀ ଜେପି ନଡ୍ଡା ରାଜ୍ୟ ପାଇଁ ଇସ୍ତାହାର ଘୋଷଣା କଲା ବେଳେ ଛାତ୍ରୀମାନଙ୍କୁ ଶ୍ରେଣୀ-୬ରୁ ୧୨ ଭିତରେ ସାଇକେଲ୍ ଓ କଲେଜ୍ ଛାତ୍ରୀମାନଙ୍କୁ ସ୍କୁଟର ଦେବାକୁ ଘୋଷଣା କରିଛନ୍ତି।

ସ୍ୱାସ୍ଥ୍ୟ କ୍ଷେତ୍ରରେ ବିକାଶ ପାଇଁ ରାଜ୍ୟରେ ୫ ନୂଆ ମେଡିକାଲ କଲେଜ୍ ଖୋଲାଯିବ ବୋଲି ବିଜେପି ଘୋଷଣା କରିଛି। ଇସ୍ତାହାର ଘୋଷଣା କରିବା ସହିତ କଂଗ୍ରେସର ଇସ୍ତହାରକୁ ସମାଲୋଚନା କରିଛନ୍ତି ନଡ୍ଡା। କଂଗ୍ରେସର ଇସ୍ତାହାର ଦୂରଦୃଷ୍ଟି ସମ୍ପନ୍ନ ନୁହେଁ ବୋଲି ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.